ବରଗଡ(ସୁଶାନ୍ତ ପଣ୍ଡା)-କଥାରେ ଅଛି ଅମର ହେବାକୁ ହେଲେ ସବୁ ଦିନ ବଞ୍ଚି ରହିବାର ଆବଶ୍ୟକତା ନାହିଁ । ସ୍ଵଳ୍ପ ଆୟୁଷ ଭିତରେ ଏମିତି କିଛି କରିଯାଅ ଯେ ସାରା ଦୁନିଆ ତମକୁ ସବୁଦିନ ପାଇଁ ମନେ ରଖିବ । ଆଉ ତମେ ଜନ ମାନସରେ ଅମର ହୋଇଯିବ । ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଆଇନଜୀବୀ ସ୍ବର୍ଗତ ସୁରେନ୍ଦ୍ର ସାହୁ । ଇହଲୀଳା ସମ୍ବରଣ କରିବାର ତିନିବର୍ଷ ପରେ ବି ଲୋକେ ତାଙ୍କୁ ଆଉ ତାଙ୍କ କାମକୁ ଝୁରୁଛନ୍ତି ।
ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଠାରେ ମୁରଲୀକ୍ରିଷ୍ଣା ଫାଉଣ୍ଡେସନ, ବିକାଶ ମଲ୍ଟିସ୍ପେସିଆଲିଟି ହସ୍ପିଟାଲ ଓ ଲୋକର ଖବର ମିଡିଆ ଉଦ୍ୟମରେ ଆଇନଜୀବୀ ସ୍ବର୍ଗତ ସୁରେନ୍ଦ୍ର କୁମାର ସାହୁଙ୍କର ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ବିଜେପୁର ବିଧାୟକ ସନତ ଗଡତିଆ ଏବଂ ଡି ମୁରଲୀ କ୍ରିଷ୍ଣା ଶିବିରକୁ ଉଦଘାଟନ କରିଥିଲେ ।
ଗାଇସିଲେଟ ଅଞ୍ଚଳର ପ୍ରାୟ ୫୩୬ ଜଣଙ୍କ ଚକ୍ଷୁ ଓ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଛି । ବାପାଙ୍କ ଶ୍ରାଦ୍ଧ ବାର୍ଷିକୀକୁ ଏଭଳି ଢଙ୍ଗରେ ପାଳନ କରିଥିବାରୁ ସ୍ବର୍ଗତ ସାହୁଙ୍କ ପୁତ୍ର ସରୋଜ ଶ୍ରିଭୂଷଣ ସାହୁ ଏବଂ ସାକେତ ଶ୍ରିଭୂଷଣ ସାହୁଙ୍କୁ ଲୋକେ ଭୂରି ଭୂରି ପ୍ରଶଂସା କରିଛନ୍ତି । ସ୍ବର୍ଗତ ସୁରେନ୍ଦ୍ର ସାହୁ ସାଧାରଣ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ସମସ୍ୟାରେ ପଡ଼ିଥିବା ଲୋକକୁ ସାହାଯ୍ୟ ନକଲେ ଯେମିତି ରାତିରେ ତାଙ୍କୁ ନିଦ ହୁଏ ନାହିଁ ।
ସମ୍ବଲପୁର ଗଙ୍ଗାଧର ମେହେର ଲ କଲେଜରେ ଟପ୍ପର ହେବା ପରେ ଆଇନଜୀବୀ ଭାବେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କଲେ । କିନ୍ତୁ ଏହି ସମୟରେ ଶ୍ରୀ ସାହୁ ଅର୍ଥ ଅପେକ୍ଷା ସେବାକୁ ପ୍ରାଥମିକତା ଦେଲେ । ବିନା ମୂଲ୍ୟରେ କୋର୍ଟରେ ଗରିବ ଅସହାୟ ଲୋକଙ୍କ ପାଇଁ କେସ ଲଢ଼ୁଥିଲେ । ତାଙ୍କ ସମସାମୟିକ ଆଇନଜିବୀମାନେ ସୁଖ ସ୍ଵଚ୍ଛନ୍ଦରେ ଜୀବନଯାପନ କରୁଥିବା ବେଳେ ସ୍ବର୍ଗତ ସୁରେନ୍ଦ୍ର ସାହୁ କିନ୍ତୁ ଲୋକଙ୍କ ସେବାରେ ସବୁ କିଛି ସମର୍ପିତ କରିଦେଇ ନିଜେ ନିଶ୍ୱ ପାଲଟି ଯାଇଥିଲେ ।
ଶ୍ରୀ ସାହୁଙ୍କ ମତରେ ଧନ ସଂପତ୍ତି କ୍ଷଣିକ ମାତ୍ର କିନ୍ତୁ ଲୋକଙ୍କ ଭଲ ପାଇବା ଚିରସ୍ଥାୟୀ । ସେ ସବୁବେଳେ କହୁଥିଲେ ତାଙ୍କୁ ଯେଉଁ ସମ୍ମାନ ଓ ଭଲ ପାଇବା ମିଳୁଛି ତାହା ହେଉଛି ସେ ଉପାର୍ଜନ କରିଥିବା ପୁଞ୍ଜି । କେବଳ ଯେ ଜଣେ ସୁନାମଧନ୍ୟ ଆଇନଜୀବୀ ନୁହଁନ୍ତି ଶ୍ରୀ ସୁରେନ୍ଦ୍ର ସାହୁ ଏକାଧାରରେ ଥିଲେ ଜଣେ ସାହିତ୍ୟିକ, ନାଟ୍ୟକାର, ଲେଖକ, କଳାକାର । ସମଗ୍ର ପଶ୍ଚିମ ଓଡ଼ିଶାରେ ଜଣେ ଚର୍ଚ୍ଚିତ ବ୍ୟକ୍ତି ଭାବେ ପରିଚିତ ଶ୍ରୀ ସୁରେନ୍ଦ୍ର ସାହୁ ଥିଲେ ଜଣେ ଭଲ ଫୁଟବଲ ଖେଳାଳି।
ପ୍ରଥମ ସମ୍ବଲପୁରୀ ନାଟକ “ଝାର ବିଲେଇ ବଦ୍ଧ” ଥିଲା ତାଙ୍କ ଅନବଦ୍ୟ ସୃଷ୍ଟି । କଳା, ସାହିତ୍ୟ ଏବଂ କ୍ରୀଡା ପ୍ରତି ଥିବା ଅନୁରାଗ ବାସ୍ତବରେ ଅବର୍ଣ୍ଣନୀୟ । ସ୍ବର୍ଗତ ସୁରେନ୍ଦ୍ର ସାହୁଙ୍କ ଅନ୍ତେ ଏବେ ତାଙ୍କର ପିଲାମାନେ ମଧ୍ୟ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି । ବାପାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ଅବହେଳିତ ଲୋକଙ୍କ ସେବା କରୁଛନ୍ତି । ବାପାଙ୍କ ଶ୍ରାଦ୍ଧରେ ନିଶୁଳ୍କ ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଏମାନେ ପ୍ରମାଣିତ କରିଦେଇଛନ୍ତି ଯେ ସୁରେନ୍ଦ୍ର ସାହୁ ହୁଏତ ଆଉ ଏ ଦୁନିଆରେ ନାହାଁନ୍ତି କିନ୍ତୁ ତାଙ୍କ ବିଚାର କେବେ ମରି ନାହିଁ କି ଜନସେବା କରିବା ପାଇଁ ସେ ଆରମ୍ଭ କରିଥିବା ମିଶନ କେବେ ବନ୍ଦ ହେବ ନାହିଁ ।