Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମହାପ୍ରଭୁଙ୍କ ସ୍ନାନଉତ୍ସବ ପାଳିତ ।

ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମହାପ୍ରଭୁଙ୍କ ସ୍ନାନଉତ୍ସବ ପାଳିତ ।

ବରପାଲି-ବରପାଲି ଶ୍ରୀଜଗନ୍ନାଥ ମନ୍ଦିର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମହାପ୍ରଭୁଙ୍କ ମହାସ୍ନାନ ଉତ୍ସବ ସେବାୟତ ଓ ସେବକ ମାନଙ୍କ ସହାୟତାରେ ସମ୍ପର୍ଣ୍ଣ ହୋଇଯାଇଛି। ,ରବିବାର ପୂର୍ବାହ୍ନ ସମୟରେ ଜମିଦାର ଲାଲ ବିକ୍ରମ ସିଂଦେଓ ଓ ପ୍ରଶାନ୍ତ କୁମାର ସିଂ,ଯୁବରାଜ ତଥା ରାଜପୁରୋହିତ ସଞ୍ଜୟ କୁମାର ମିଶ୍ରଙ୍କ ଦ୍ବାରା ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ମୁଖ୍ୟପୂଜକ ରାଜେନ୍ଦ୍ର ପୂଝାରୀ ଓ ସେବକ ମାନଙ୍କ ସହାୟତାରେ ସ୍ନାନତ୍ସବ ବିକାର୍ଯ୍ୟ ସୁଭାରମ୍ଭ ହୋଇଥିଲା । ସହକାରୀ ପୂଜକ ବାଳକୃଷ୍ଣ ପୂଝାରୀ, ଅମିତ ପୂଝାରୀ, ନାରାୟଣ ପୂଝାରୀ ଓ ବିନୋଦ ସୁଶାରୀ, ଅନୂପ ପୂଝାରୀ ପ୍ରମୁଖ ତିନି ଠାକୁରଙ୍କୁ ଘଣ୍ଟ-ଶଙ୍ଖ, ହୁଳାହୁଳି, ସଂକୀର୍ତ୍ତନମଣ୍ଡଳିଙ୍କ ଗହଣରେ ମନ୍ଦିର ପରିସରରୁ ସ୍ନାନମଣ୍ଡପକୁ ଅଣା ଯାଇଥିଲା।

ପରେ ତୁଳସୀ, ପୁଷ୍ପ, ଅଗୁରୁ, କର୍ପୂର, ଚନ୍ଦନପଞ୍ଚସୁଗନ୍ଧି ମିଶ୍ରିତ ପ୍ରଲେପକୁ ସେବକମାନେ ତିନି ଠାକୁରଙ୍କ ମୁଖମଣ୍ଡଳ ଓ ଶରୀରରେ ଲେପନ ସହ ମର୍ଦ୍ଦନ କରିଥିଲେ | ବୈଷ୍ଣାବ ଧର୍ମାବଳମ୍ବୀ ବହୁ ପୁରୁଷ ଓ ମହିଳା ଘଣ୍ଟ, ଶଙ୍ଖ, ହୁଳହୁଳି, କରତାଳି ଧ୍ବନି ମଧ୍ୟରେ ମହାପ୍ରଭୁଙ୍କୁ ଗରାଗରା ପାଣି ଢ଼ାଳି ମହାସ୍ନାନ ପର୍ବ ସମାପନ କରାଯାଇଥିଲା I ପରେ ଠାକୁର ମାନଙ୍କ ସ୍ନାନ ଜଳରାଶିକୁ ଭକ୍ତ ମାନଙ୍କୁ ସେବାୟତମାନେ ବିତରଣ କରିଥିଲେ | ଭକ୍ତମଣ୍ଡଳୀ ଭକ୍ତିପୂର୍ଣ୍ଣ ଭାବେ ନିଜ ମଥାରେ ଲଗାଇ ନିଜ ପରିବାରର ଶୁଭକାମନା ମନାସିଥିଲେ। ପରେ ସେବକଗଣ ତିନି ଠାକୁରଙ୍କୁ ମନ୍ଦିର ଆଭ୍ୟନ୍ତର କକ୍ଷକୁ ବୋହି ନେଇ ତିନି ଠାକୁରଙ୍କୁ ନୂତନ ବସ୍ତ୍ର ପରିଧାନ କଲାପରେ ଶୃଙ୍ଗାର ସହିତ ଦେବକାର୍ଯ୍ୟ ଆରମ୍ଭ କରିଥିଲେ। ଆଜିଠାରୁ ମହାପ୍ରଭୁ ମାନଙ୍କ ଅଣସର ଗୃହରେ ବିଶ୍ରାମ କାର୍ଯ୍ୟକ୍ରମ ପାଳିତ ହେବ ବୋଲି ସେବକ ମାନେ ଜଣାଇଥିଲେ । ପୂର୍ବରୁ ମହାପ୍ରଭୁ ମାନଙ୍କ ଚକାଛାଡ଼ ନୀତି ହୋଇଥିଲା I

ଜମିଦାର ଲାଲ ବିକ୍ରମ ସିଂଦେଓଙ୍କ ଦ୍ବାରା ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ ହେଲାପରେ ସେବକ ମାନେ ଶ୍ରୀଜିଉଙ୍କୁ ରତ୍ନ ବେଦୀରୁ ଭୂମି ସ୍ପର୍ଶ କଲାପରେ ସିଂହାସନ ତଳ ପାର୍ଶ୍ବ ସ୍ବତନ୍ର୍ତ ସ୍ଥାନରେ ରଖି ଚକାଛାଡ଼ ନୀତି ପାଳନ କରିଥିଲେ | ସେବକ ମାନଙ୍କ ସୂଚନାନୂଯାୟୀ, ଆଜିଠାରୁ ଠାକୁର ମାନେ ଜ୍ବର ରୋଗରେ ପୀଡ଼ିତ ହୋଇ ଚିକିତ୍ସା ସେବା ଉପଚାର ପରମ୍ପରା ଆରମ୍ଭ ହେବ। ମନ୍ଦିରରରେ ଦୈନିକ ଭାବରେ ପରିଚାଳିତ ଠାକୁରଙ୍କ ନିତିକାର୍ଯ୍ୟ ବିଭିନ୍ନ ପୂଜାକର୍ମ ମାନ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ । ଗତକାଲିଠାରୁ ମହାପ୍ରଭୁ ମାନଙ୍କ ସ୍ବାସ୍ଥ୍ୟସେବା କାର୍ଯ୍ୟ ଆରମ୍ଭ ହେବା ସହିତ ବ୍ୟାଧି ଉପଶମ ପାଇଁ ପଞ୍ଚମୂଳ, ଅଷ୍ଟାଙ୍ଗୁଳ, ଦଶମୂଳ ରୂପୀ ପାନୀୟ ଔଷଧ ପ୍ରୟୋଗ କରାଯିବ। ପରେ ମହାପ୍ରଭୁ ମାନଙ୍କ ନବଯୌବନ ଦର୍ଶନ ସହ ନେତ୍ର ଉତ୍ସବ ପାଳିତ ହେବ ବୋଲି ଜଣାପଡ଼ିଥିଲା।

error: Content is protected !!