ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ବନଖଣ୍ଡ ଅଧିନସ୍ତ ଅର୍ଜୁନପୂର ସ୍ଥିତ ନଗରବନ୍ ଠାରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଜିଲ୍ଲାପାଳ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଥମ ଦିନରେ ପ୍ରାୟ ଦୁଇ ହଜାର ବୃକ୍ଷ ରୋପଣ କରାଯିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହି ଅବସରରେ ଭ୍ରାମ୍ୟମାଣ ଚାରା ବଣ୍ଟନ ଯାନକୁ ସବୁଜ ପତାକା ଦେଖାଇ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି । ଏହି ଯାନରେ ଚାରା ପ୍ରତି ଏକ ଟଙ୍କା ଦରରେ ଜିଲ୍ଲା ସାରା ବୁଲି ବୁଲି ଚାରା ବିକ୍ରୟ କରାଯିବ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ସହ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇ ଚାରା ରୋପଣ ସହ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି।




