ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକ ଅଧିନସ୍ତ ବାଦୀକଟା କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରେଇକେଲାରେ ଚଳିତ ବର୍ଷ ୭୬ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଉକ୍ତ ବନ ମହୋତ୍ସବ ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ମୁକୁନ୍ଦଦେବ ସାହୁ,ସମ୍ମାନିତ ଅତିଥି ଭାବେ ଜଗଦଳପୁର ସେକ୍ସନର ବନପାଳ ଶ୍ରୀଯୁକ୍ତ ରାଧାକାନ୍ତ କୁମ୍ଭାର, ବନ ବିଭାଗ କର୍ମଚାରୀ ଶ୍ରୀଯୁକ୍ତ ପ୍ରକାଶ ହୋତା ଯୋଗ ଦେଇଥିଲେ।

ପ୍ରଧାନ ଶିକ୍ଷକ ଦିଲୀପ କୁମାର ଭୋଇ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଛାତ୍ରଛାତ୍ରୀ,ଉପସ୍ଥିତ ଥିଲେ । ବିଦ୍ୟାଳୟରେ ଆୟୋଜିତ ସଭାରେ ରହି ବିଶ୍ୱ ତାପନ ରୋକିବା, ପରିବେଶର ସନ୍ତୁଳନ ରକ୍ଷା,ଜଙ୍ଗଳ ସୁରକ୍ଷା ଏବଂ ପରିବେଶ ରକ୍ଷା ତଥା ବୃକ୍ଷ ରୋପଣର ଲକ୍ଷ୍ୟ ଏବଂ ଚଳିତ ବର୍ଷର ବିଷୟ “ମାଁ ଙ୍କ ନାମରେ ଗଛ ଟିଏ” ଏବଂ ବଞ୍ଚିବା ପାଇଁ ଗଛ ଟିଏ ଲଗାଇବା ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ।

ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବନ ମହୋତ୍ସବ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା କୁଇଜ, ବକ୍ତୃତା, ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ପରେ ସମସ୍ତେ ମିଳିତ ଭାବେ ବିଦ୍ୟାଳୟ ପରିସର ମଧ୍ୟରେ ପଣସ, ଲେମ୍ବୁ, ସଜନା ଆଦି ଫଳ ଏବଂ ଚାରି ଗୋଟି ବଉଳ ବୃକ୍ଷ ରୋପଣ କରିଥିଲେ । ସହକାରୀ ଶିକ୍ଷକ ନିରାକାର ପ୍ରଧାନ ସଂଯୋଜନା କରିଥିବା ବେଳେ ଶିକ୍ଷକ ବିନୋଦ ଚୋଖି ଧନ୍ୟବାଦ ଜ୍ଞାପନ କରିଥିଲେ।




