ବରଗଡ଼ – ସଡକ ଦୁର୍ଘଟଣାରେ ବୃଦ୍ଧା ମୃତ । ଗ୍ରାମବାସୀଙ୍କ ଦ୍ବାରା ଦୀର୍ଘ ସମୟ ଧରି ଜାତୀୟ ରାଜପଥ ଅବରୋଧ ଏଭଳି ଏକ ଅଭାବନୀୟ ଘଟଣା ଆଜି ଗୁରୁବାର ସନ୍ଧ୍ୟା ୬ଘଣ୍ଟା ସମୟରେ ବରଗଡ଼ ସହେଲା ମଝି ଗର୍ଭଣା ଗ୍ରାମରେ ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ଗର୍ଭଣା ଗ୍ରାମର ବସୁ ନାଏକ(୬୫) ନୁଆଁଖାଇ ହାଟ କରି ସହେଲା ରୁ ନିଜ ଘର ଗର୍ଭଣା କୁ ଏକ ଏକସେଲ ସୁପର ବାଇକ ଚଳାଇ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଚାରଶହ ସାଥ ଗାଡି ତାଙ୍କୁ ଜୋରରେ ଧକ୍କା ଦେଇଥିଲା ଓ ପ୍ରାୟ ୫୦ ମିଟର ଓ ଅର୍ଯ୍ୟନ୍ତ ଘୋଷାଡି ନେଇଯାଇଥିଲା ଯାହା ଫଳରେ ଘଟଣା ସ୍ଥଳରେ ବସୁ ନାଏକ ମୃତ୍ୟବରଣ କରିଥିଲେ । ବସୁଙ୍କ ମୃତ୍ୟୁ ଖବର ପାଇ ଗର୍ଭଣା ଗ୍ରାମବାସୀ ଙ୍କ ମନରେ ଆକ୍ରୋଶ ଦେଖିବାକୁ ମିଳିଥିଲା ଓ ସେମାନେ ଛ ନମ୍ବର ଜାତୀୟ ରାଜପଥ କୁ ଦୀର୍ଘ ତିନି ଘଣ୍ଟା ଧରି ଅବରୋଧ କରିଥିଲେ ।
ଅଶୋକା କମ୍ପାନୀର ତ୍ରୁଟି ପୂର୍ଣ ରାସ୍ତା ତିଆରି, ସାର୍ଭିସ ରୋଡ଼ ତିଆରି, ରାସ୍ତାରେ ଷ୍ଟ୍ରୀଟ ଲାଇଟ ର ବ୍ୟବସ୍ଥା ଓ ମୃତ ବ୍ୟକ୍ତିଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି କରି ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ ପରେ ଅଶୋକା ବିଲଡ଼କାନ କମ୍ପାନୀର ବରିଷ୍ଠ ଅଧିକାରୀ ଆସି ଆସନ୍ତା ଦୁଇମାସ ମଧ୍ୟରେ ସମସ୍ତ ଦାବି ପୂରଣ କରିବାର ଲିଖିତ ପ୍ରତିଶୃତି ଦେବା ପରେ ରାସ୍ତାରୋକରୁ ଲୋକେ ଅହରି ଯାଇଥିଲେ ଓ ଯାତାୟାତ ସ୍ୱାଭାବିକ ହୋଇଥିଲା । ତେବେ ମୃତ ବସୁ ନାଏକ ଙ୍କ ଶବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ବରଗଡ଼ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ସହେଲା ପୋଲିସ ପକ୍ଷରୁ ସୂଚନା ମିଳିଛି ।