
ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଶରଧାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲେବିଡି ଖେଳପଡିଆ ଠାରେ ନିରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ ଶରଧାପାଲି ମଣ୍ଡଳ ସମଗ୍ର ହିନ୍ଦୁ ସମାଜ ତରଫରୁ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୱତ ପରିଷଦ ଓଡିଶା ପ୍ରାନ୍ତ ସଭାପତି ତଥା ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ.ବାଞ୍ଛାନିଧି ପଣ୍ଡା,ସମ୍ମାନିତ ଅତିଥି ଭାବରେ ହୃଷୀକେଶ ନାଗ ସେବା ଭାରତୀ ପ୍ରାନ୍ତ ସଂଗଠନ ମନ୍ତ୍ରୀ,ଦ୍ଵାଦଶ କୁମାର ପ୍ରଧାନ ସଙ୍କୁଳ ପ୍ରମୁଖ ପଦ୍ମପୁର,କୃଷ୍ଣଚନ୍ଦ୍ର ପଣ୍ଡା,କରମ ସିଂ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଗ୍ରାମର ପୋଖରୀରୁ ଶତାଧିକ ମହିଳା ମୁଣ୍ଡରେ ପାଣି ଭର୍ତ୍ତି କଳସୀ ଧରି ସଙ୍କୀର୍ତ୍ତନ ସହ ମଣ୍ଡପରେ ପହଞ୍ଚି କଳସ ସ୍ଥାପନ କରି ବିଶ୍ଵ କଲ୍ୟାଣ ପାଇଁ ଘୃତଯଜ୍ଞ ଅନୁଷ୍ଠିତ ହୋଇଥିଲା । ପରେ ପରମେଶ୍ବର ସାହୁଙ୍କ ସଭାପତିତ୍ବରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରାୟ ଏକ ହଜାରରୁ ଅଧିକ ସାଧାରଣ ଲୋକଙ୍କ ଅଂଶଗ୍ରହଣ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହିନ୍ଦୁ ସମାଜର ଏକତା, ସାଂସ୍କୃତିକ, ସୁରକ୍ଷା, ପରମ୍ପରାର ମୂଲ୍ୟ ବୁଝିବା ଓ ଯୁବପିଢ଼ୀ ଙ୍କୁ ସଠିକ୍ ଦିଗଦର୍ଶନ ଦେବା ଏହା ଏକ ବଡ଼ ମାଧ୍ୟମ ବୋଲି ମୁଖ୍ୟ ଅତିଥି ଡ.ପଣ୍ଡା କହିଥିବା ବେଳେ ହିନ୍ଦୁ ସମାଜକୁ ସଂଗଠିତ ଓ ସଚେତନ ରହିବା, ଧର୍ମ ଓ ସଂସ୍କୃତିକୁ ସୁରକ୍ଷା କରିବା ପାଇଁ ଶକ୍ତିଶାଳୀ ଆହ୍ୱାନ କରିଥିଲେ ଏବଂ ଆଜି ସମୟ ଆସିଛି ଦୋଷ ଦେବାର ନୁହେଁ, ଦାୟିତ୍ୱ ନେବାର। ନିଜ ସଂସ୍କୃତିକୁ ଜାଣିବାର,ନିଜ ମୂଲ୍ୟବୋଧକୁ ବଞ୍ଚାଇବାର, ଓ ଯୁବପୀଢ଼ିକୁ ସଠିକ୍ ଦିଗ ଦେଖାଇବାର। ହିନ୍ଦୁ ସମାଜ ଜାଗ୍ରତ ହେଲେ ସମାଜ ସୁଦୃଢ଼ ହେବ,ରାଷ୍ଟ୍ର ସଶକ୍ତ ହେବ,ଓ ଭବିଷ୍ୟତ ସୁରକ୍ଷିତ ହେବ ବୋଲି ମତପ୍ରକାଶ କରିଥିବା ବେଳେ ସେ ଲୋକମାନଙ୍କୁ ଉପଦେଶ ଦେଇଛନ୍ତି କିପରି ସମୟ ସହ ହିନ୍ଦୁ ଧର୍ମ, ଜୀବନ ମୂଲ୍ୟ, ପାରିବାରିକ ସଂସ୍କାର ଓ ସାମାଜିକ ଦାୟିତ୍ଵକୁ ଗଭୀର ଭାବେ ଅନୁଷ୍ଠାନ କରାଯିବ ବୋଲି ।

ମଧ୍ୟାହ୍ନ ୧ ଘଣ୍ଟିକାରେ ବୃହତ୍ ଅନ୍ନଯଜ୍ଞ ଓ ଅନ୍ନପ୍ରସାଦ ବିତରଣ କରାଯାଇଥିଲା, ସମସ୍ତେ ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ପରିବେଶରେ ଅନ୍ନପ୍ରସାଦ ଗ୍ରହଣ କରିଥିବା ବେଳେ ଦଶମଣୀ ସାହୁ ଗାଇସିଲେଟ ଖଣ୍ଡ ସଂଘ ଚାଳକ,ତପନ ସାହୁ ଖଣ୍ଡ କାର୍ଯ୍ୟବାହ,ବେଦବ୍ୟାସ ପଧାନଙ୍କ ସହଯୋଗ କ୍ରମେ କାର୍ଯ୍ୟକ୍ରମଟି ସଫଳ ହୋଇଥିବାରୁ ପରିଶେଷରେ ସନ୍ତୋଷ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆୟୋଜକ ମାନେ କହିଛନ୍ତି ଯେ, ଏପରି କାର୍ଯ୍ୟକ୍ରମ ହିନ୍ଦୁ ସମାଜକୁ ଏକତ୍ରିତ, ସଚେତନ ଓ ଶକ୍ତିଶାଳୀ କରିବା ସହ ଯୁବପିଢିଙ୍କୁ ଧର୍ମ, ସଂସ୍କୃତି ଓ ପରମ୍ପରା ମୂଲ୍ୟ ଅନୁଭବ କରିବାରେ ସାହାଯ୍ୟ କରିବ । ଆଗାମୀ ଦିନରେ ଏହି ପ୍ରକାରର ବୃହତ୍ ହିନ୍ଦୁ ସମ୍ମିଳନୀ ଆହୁରି ବୃହତ୍ ଭାବରେ ଆୟୋଜିତ ହେବ ବୋଲି ଆୟୋଜକ ମାନେ ଆଶା ପ୍ରକାଶ କରିଛନ୍ତି ।



