ପଦ୍ମପୁର-ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ପଦ୍ମପୁରରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବୋଡ଼ାସମ୍ବର ମେହେର (ଭୁଲିଆ) ଯୁବାମଞ୍ଚ ତରଫରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ପଦ୍ମପୁର ନଗରରେ ବସବାସ କରୁଥିବା ଭୁଲିଆ ସମାଜର ଆବାଳବୃଦ୍ଧବନିତା ଶହ ଶହ ସଂଖ୍ୟାରେ ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ। ମେହେର ପଡ଼ା ସ୍ଥିତ ଗଙ୍ଗାଧର ମେହେର ଧର୍ମଶାଳା ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ନଗର ପରିକ୍ରମା କରି ପରିଶେଷରେ ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟ ଠାରେ ଥିବା ଗଙ୍ଗାଧର ସ୍ମୃତିପୀଠରେ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ଶୋଭାଯାତ୍ରାରେ ଗଙ୍ଗାଧରଙ୍କ ରଚିତ କବିତା ଗୁଡ଼ିକରେ ପଦ୍ମପୁର ନଗର ମୁଖରିତ ହୋଇଉଠିଥିଲା। ମାଲ୍ୟାର୍ପଣ ପରେ କବି ଗଙ୍ଗାଧରଙ୍କ ରଚିତ ବିଭିନ୍ନ କବିତା ମଧ୍ୟ ଗାନ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଭୁଲିଆ ସମାଜ ସମେତ ମେହେର କବି ସ୍ମୃତି ପରିଷଦର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ।

ବୋଡ଼ାସମ୍ବର ମେହେର (ଭୁଲିଆ) ସମାଜର ସଭାପତି ରୋହିତ କୁମାର ମେହେର, ଶେଷଦେବ ମେହେର, କରୁଣାକର ମେହେର, ରାମଚନ୍ଦ୍ର ମେହେର, ଗୌରୀଶଙ୍କର ମେହେର ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା। ବୋଡ଼ାସମ୍ବର ମେହେର (ଭୁଲିଆ) ଯୁବାମଞ୍ଚର ସଭାପତି ରୀତେଶ ରଂଜନ ମେହେର, ସମ୍ପାଦକ ଚିନ୍ମୟ ମେହେର, ଉପଦେଷ୍ଟା ରାଜେନ୍ଦ୍ର ମେହେର, ସମୀର ମେହେର, ପ୍ରମୋଦ ମେହେର ପ୍ରମୁଖ ଏହାକୁ ସଫଳତାର ସହ ଆୟୋଜନ କରିଥିଲେ।



