ପାଇକମାଲ(ନିରୋଜ କୁମାର ପାଣୀ)-ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ମୁକ୍ତେଶ୍ଵର ସାଗରଙ୍କ ୮୨ ବର୍ଷ ବୟସରେ ଶନିବାର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ପାଇକମାଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ୧୯୬୦ ମସିହାରେ ପ୍ରତିଷ୍ଠିତ ପାଇକମାଲ ହାଇସ୍କୁଲର ପ୍ରଥମ ମାଟ୍ରିକ ବ୍ୟାଚ-୧୯୬୩ର ଛାତ୍ର ମୁକ୍ତେଶ୍ଵର, ସର୍ବୋଚ୍ଚ ନମ୍ବର ରଖି ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହେବା ସହିତ ବିଦ୍ୟାଳୟର ପ୍ରଥମ ମାଟ୍ରିକ ଟପ୍ପର ହୋଇ ଗୌରବ ଆଣିଥିଲେ । ଆଇଏସସି ପାଶ କଲାପରେ ୧୯୬୫ ଜୁଲାଇ ୨୪ ତାରିଖରେ ସେ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବରେ ଯୋଗଦାନ କଲେ ।
ଏହା ପରେ ପରବର୍ତ୍ତୀ ସମୟରେ ବିଏ ଏବଂ ବିଇଡି ଡିଗ୍ରୀ ହାସଲ କରିଥିଲେ। ୧୯୯୬ ନଭେମ୍ବର ୩୦ ତାରିଖରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ଵର୍ଗତ ସୁରେଶ୍ଵର ପାଣିଗ୍ରାହୀଙ୍କ ଅବସର ଗ୍ରହଣ ପରେ ମୁକ୍ତେଶ୍ଵର ବାବୁ ଭାରପ୍ରାପ୍ତ ଶିକ୍ଷକ ଦାୟିତ୍ଵ ବହନ କରି ୨୦୦୦ ଏପ୍ରିଲ ମାସରେ ଅବସର ଗ୍ରହଣ କାଲେ । ସେ ଅତି ସୁନ୍ଦର ସରଳ, ସହଜ ଓ ପ୍ରାଞ୍ଜଳ ଭାବରେ ଗଣିତ ଓ ବିଜ୍ଞାନ ଏବଂ ଅନ୍ଯାନ୍ଯ ବିଷୟକୁ ଦକ୍ଷତାର ସହିତ ଶିକ୍ଷାଦାନ କରୁଥିଲେ।
ତାଙ୍କର ଅମାୟିକ ଶାନ୍ତ ଶିଷ୍ଟ ତଥା ଆତ୍ମୀୟ ତୁଲ୍ୟ ବ୍ୟବହାର ଯୋଗୁଁ ସେ ଛାତ୍ର ଛାତ୍ରୀଙ୍କର ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଦୁଇ ବର୍ଷ ତଳେ ତାଙ୍କ ପତ୍ନୀଙ୍କ ଦେହାନ୍ତ ଘଟିଥିଲା । ଏହାପରେ ଦୀର୍ଘ ଦିନ ଧରି ଶାରୀରିକ ଅସୁସ୍ଥତା ହେତୁ ପୁଅ ବୋହୂ ନାତି ନାତୁଣୀଙ୍କ ସେବା ଯତ୍ନ ଲାଭ କରି ତିନି ପୁଅ, ଦୁଇ ଝିଅ ଏବଂ ନାତି ନାତୁଣୀଙ୍କୁ ଛାଡି ଇହଧାମ ତ୍ୟାଗ କରିଛନ୍ତି । ତାଙ୍କର ବିୟୋଗରେ ପାଇକମାଲ ଅଞ୍ଚଳରେ ଶୋକର ଛାୟା ଖେଳି ଯିବା ସହିତ ତାଙ୍କର ପ୍ରିୟ ଛାତ୍ରଛାତ୍ରୀ ମାନେ ବିଶେଷ ଭାବରେ ମର୍ମାହତ ହୋଇ ପଡିଛନ୍ତି ।