ପଦ୍ମପୁର – ଜନସାଧାରଣଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ବିଭାଗ ଜରିଆରେ ଯୋଜନା ମାନ କାର୍ଯ୍ୟକାରୀ କରୁଛନ୍ତି । ସରକାରୀ ଯୋଜନାକୁ ଲୋକଙ୍କ ପାଖକୁ ପହଂଚାଇବା ସହ କାର୍ଯ୍ୟକାରୀ କରିବା ସମ୍ପୃକ୍ତ ବିଭାଗର ଅଧିକାରୀ ମାନଙ୍କ ଦାୟିତ୍ୱ ରହିଛି । ହେଲେ କିଛି ଅଧିକାରୀଙ୍କ ଖାମ ଖିଆଲି କାମ ଯୋଗୁଁ ସରକାରୀ ଯୋଜନା ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପଂହଚି ପାରୁ ନ ଥିବା ଅନେକ ସମୟରେ ଅଭିଯୋଗ ହୋଇଆସୁଛି । ସେମିତିକା ଏକ ଅଭିଯୋଗ ଆସିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ଅଂଚଳରୁ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଆସୁଥିବା ମୃର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନରୁ ।

ପାଇକମାଲ ଅଂଚଳ ଗୋଟିଏ ମରୁଡି ପ୍ରପିଡିତ ଅଂଚଳ ହୋଇଥିବା କାରଣରୁ ସରକାରଙ୍କ ତରଫରୁ ଏହି ଅଂଚଳର ଚାଷୀ ଓ ଚାଷର ଉନ୍ନତି କରଣ ପାଇଁ ମୃର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ତରଫରୁ ଅନେକ ଯୋଜନା ପ୍ରଣୟନ ହୋଇଅଛି । ହେଲେ ପାଇକମାଲର କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ଅଧିକାରୀ ମାନଙ୍କ ଅବହେଳା କାରଣରୁ ଲୋକମାନେ ସରକାରୀ ଯୋଜନାରେ ଅବଗତ ନ ଥିବା ଅଭିଯୋଗ ହେଉଛି । ଦେଖିବାକୁ ଗଲେ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟର ଠିକଣା ରହିଛି , ଫଳରେ ଜନସାଧାରଣ ସେହି ଠିକଣା ଅନୁସାରେ ସରକାରୀ କାର୍ଯ୍ୟାଳୟକୁ ଆସି ସରକାରୀ ଯୋଜନା ବିଷୟରେ ଅବଗତ ହେବା ସହ ତାହାର ଲାଭ ଉଠାଇଥାନ୍ତି ।

ହେଲେ ପାଇକମାଲ ବ୍ଳକର ମୃର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ କାର୍ଯ୍ୟାଳୟର କୌଣସି ଠିକଣା ନାହିଁ । ଏହି ବିଭାଗର ଅଧିକାରୀ କିଏ ଅଛନ୍ତି , କାହାକୁ ତାଙ୍କ ସମସ୍ୟା ବିଷୟରେ ଅଭିଯୋଗ କରିବେ ତାହା ଜନସାଧାରଣ ଠିକ ଭାବରେ ଜାଣି ପାରୁ ନାହାଁନ୍ତି । ତେଣୁ ଯଥାଶୀଘ୍ର ଏହି କାର୍ଯ୍ୟାଳୟର ଠିକଣା ତଥା ଅଧିକାରୀଙ୍କ ନାମ ପ୍ରକଟ କରାଗଲେ ଜନସାଧାରଣ ଉପକୃତ ହୋଇ ପାରିବେ । ତେଣୁ ଯଥାଶୀଘ୍ର ପାଇକମାଲ ବ୍ଳକର ମୃର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ କାର୍ଯ୍ୟାଳୟର ଠିକଣା ଓ ଅଧିକାରୀଙ୍କ ନାମ ପ୍ରକାଶ କରାଗଲେ ଚାଷୀ ମାନେ ସରକାରୀ ଯୋଜନା ବିଷୟରେ ଅବଗତ ହେବା ସହ ତାହାର ଲାଭ ଉଠାଇ ପାରିବେ ।



