ପଦ୍ମପୁର – ପଦ୍ମପୁର ଉପଖଣ୍ଡ ପାଇକମାଲ ସହରକୁ ଏନ୍.ଏ.ସି ମାନ୍ୟତା ଦାବିରେ ବୁଧବାର ବିଜୁ ଜନତା ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଭୂତପୂର୍ବ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ଉପନିର୍ବାଚନ ସମୟରେ ପାଇକମାଲ ସହରକୁ ଏନ୍.ଏ.ସି ମାନ୍ୟତା ଓ ପାଇକମାଲ ପିଏଚସି କୁ ସିଏଚସି ମାନ୍ୟତା ପାଇଁ ପାଇକମାଲ ଜନସାଧାରଣ ତତକାଲିନ ବିଜେଡି ସରକାର ଠାରେ ଦାବି କରିଥିଲେ । ତତକାଲିନ ବିଜେଡି ସରକାର ପାଇକମାଲ ଅଂଚଳବାସୀଙ୍କ ଦାବିକୁ ସମ୍ମାନ ଜଣାଇ ପାଇକମାଲ ପିଏଚସିକୁ ସିଏଚସି ଭାବେ ଘୋଷଣା କରିଥିଲେ । ପଦ୍ମପୁର ଉପନିର୍ବାଚନ ଫଳ ପ୍ରକାଶିତ ହେବା ପରେ ଓଡିଶାରେ ଅନେକ ସ୍ଥାନକୁ ଏନ୍.ଏ.ସି ଘୋଷଣା କରିଥିଲେ ଯେଉଁଥିରେ ପାଇକମାଲ ସହର ମଧ୍ୟ ସାମିଲ ରହିଥିଲା ।

୨୦୨୪ ସାଧାରଣ ନିର୍ବାଚନରେ ଓଡିଶାରେ ସରକାର ପରିବର୍ତ୍ତନ ହେଲା । ଗତ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୬ ଗୋଟି ନୂତନ ଏନ୍.ଏ.ସି ଓ ୦୭ ଗୋଟି ନୂତନ ମ୍ୟୁନିସିପାଲିଟି ଘୋଷଣା କରିଥିଲେ , ଯେଉଁଥିରେ ପାଇକମାଲ ସହର ବାଦ ପଡିଥିଲା । ଏନ୍.ଏ.ସି ଘୋଷଣାରୁ ପାଇକମାଲ ସହର ବାଦ ପଡିବା ପରେ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଲିଥିଲା । ଏହାର ପ୍ରତିବାଦରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ନେତୃତ୍ୱରେ ବୁଧବାର ପାଇକମାଲ ସହରରେ ବିଜେଡି କର୍ମୀମାନେ ଶାନ୍ତି ଶୃଙ୍ଖଳା ସହ ବନ୍ଦ ପାଳନ ପାଇଁ ଲୋକଙ୍କୁ ଆହ୍ୱାନ କରିଥିଲେ ।

ଏହି ବନ୍ଦ ପାଳନରେ ଅତିଆବଶ୍ୟକ ସାମଗ୍ରୀ ବ୍ୟତିତ ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ,କାର୍ଯ୍ୟାଳୟ ତଥା ଦୋକାନ ବଜାର ବନ୍ଦ ରହିଥିଲା । ଏହି ବନ୍ଧ ପାଳନ ସମୟରେ ପାଇକମାଲ ବ୍ଲକ୍ ଅଧ୍ୟକ୍ଷା ଭାବନା ସିଂ,ବିଜୁ ଯୁବ ଜନତା ଦଳ ବ୍ଲକ୍ ସଭାପତି ଗୌତମ ସିଂ,ପାଇକମାଲ କୃଷି ସମବାୟ ସମିତି ସଭାପତି ବିଜୟ କୁମାତ ସ୍ୱାଇଁ,ବରିଷ୍ଠ ନେତା ରାଜୁ ଘିବେଲା,ଟାଇଲ ଚନ୍ଦ୍ର ଭୋଇ,ଗିରିଶ ଚନ୍ଦ୍ର ଡନସନାଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ,ଶତାଧିକ ବିଜେଡି କର୍ମୀ ସାମିଲ ଥିଲେ । ବନ୍ଦ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର,ଚାରିଜଣ ଇନ୍ସପେକ୍ଟର ରାଙ୍କର ର ଅଧିକାରୀ, ଜଣେ ଓପିଏସ ରାଙ୍କର ଅଧିକାରୀ,ପାଇକମାଲ ଥାନା ଅଧିକାରୀଙ୍କ ସମେତ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ।



