ଗାଇସିଲେଟ – ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ପଲ୍ଲୀ ପ୍ରଗତି ପଞ୍ଚଗାଁ ଉଚ୍ଚବିଦ୍ୟାଳୟ ବରିହାପୁଖାପାଣିରେ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ତିଥିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ସମାରୋହରେ ରାଜ୍ୟ ପୁରସ୍କାର ପାଇଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲିପ ଯୋଷୀ ମୁଖ୍ୟ ଅତିଥି ଓ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ଭୁବନର ଓଡ଼ିଆ ଅଧ୍ୟାପକ ଆଲୋକ ରଂଜନ ଷଡ଼ଙ୍ଗୀ ମୁଖ୍ୟ ବକ୍ତା ରୂପେ ଯୋଗ ଦାନ କରି ଛାତ୍ରଛାତ୍ରୀଙ୍କୁ ଗଙ୍ଗାଧରଙ୍କ ସାହିତ୍ୟକୃତିର ଆଲୋକପାତ କରି ଶିକ୍ଷଣୀୟ ବିଷୟରେ ଉପଦେଶ ଦେଇଥିଲେ। ଏହି ଅବସରରେ ଗଙ୍ଗାଧର ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମନିଷା, ମିଲି, ବର୍ଷା,ସଞ୍ଜନା, ଜାଗୃତି, କୁସୁମ ପ୍ରଭା , ଗାୟତ୍ରୀ, ପ୍ରତିମା ପ୍ରଭୃତିଙ୍କୁ ପୁରସ୍କୃତ କରାଯାଇଥିଲା।
ଏହା ପୂର୍ବରୁ ଶିକ୍ଷକ ଗଙ୍ଗାଧର କୁମ୍ଭାର,ରାଧେଶ୍ୟାମ ପଧାନ, ଅଶ୍ଵିନୀ କୁମାର ଦାଶ,ସୁରଥ ଭୋଇଙ୍କ ତତ୍ତ୍ଵାବଧାନରେ ଅତିଥି ମାନଙ୍କ ଦ୍ଵାରା ମା ବାଗ୍ ଦେବୀଙ୍କ ଠାରେ ପୂଜାର୍ଚ୍ଚନା ପୂର୍ବକ ଗଙ୍ଗାଧର ବାଟିକାରେ ପୁଷ୍ପ ମାଲ୍ୟାର୍ପଣ କରି ସମବେତ ଗଙ୍ଗାଧର ସଂଗୀତ ଗାନ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଅରକ୍ଷିତ ବାରିକଙ୍କ ସଂଯୋଜନାରେ ପରିଚାଳିତ ସାରସ୍ଵତ ସଭାରେ ପ୍ରଧାନ ଶିକ୍ଷକ ମୋହନ ରଣା ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଶିକ୍ଷକ ବଳରାମ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଓ ଅନ୍ୟାନ୍ୟ ବିଦ୍ୟାଳୟ କର୍ମଚାରୀ ରବିନାରାୟଣ ବେହେରା, ମୁରଲୀଧର ସାହୁ, ସୋମନାଥ ବଗର୍ତ୍ତି, ପୁରନ୍ଦର ସାହୁ ପ୍ରମୁଖ ବିଶେଷ ସହଯୋଗ କରିଥିଲେ।