ପାଇକମାଲ – ପଲସଦା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଯତୀନ୍ଦ୍ର ଦୀପଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷାବିତ୍ ମହେନ୍ଦ୍ର କୁମାର ସାହୁ ଏବଂ ପୀତାମ୍ବର ସାହୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଗଜିନ୍ଦ୍ର ସାହୁ, ବିଚିତ୍ର ପ୍ରଧାନ, ପ୍ରଦୀପ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମହେନ୍ଦ୍ର ସିଂ ବରିହା ଏବଂ ଅନ୍ୟ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ। ଦଶମ ଶ୍ରେଣୀ ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।
ପ୍ରଧାନ ଶିକ୍ଷକ ଯତୀନ୍ଦ୍ର ଦୀପ ବିବରଣୀ ପଠନ କରିଥିଲେ। ଏହି ଅବସରରେ ଷଷ୍ଠରୁ ଦଶମ ଶ୍ରେଣୀର ସମାପ୍ତି ସୂଚକ ଆକଳନ-୧ ରେ ସର୍ବାଧିକ ନମ୍ବର ରଖିଥିବା ପ୍ରତି ଶ୍ରେଣୀରୁ ତିନି ଜଣ ଲେଖାଏଁ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ବର୍ଗରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଏବଂ ବାର୍ଷିକ କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା “ଛି ଛି ଛି ରେ ମଦୁଆ ଛି” ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା “ସମିଆଁର୍ ଖେଲ୍” ନାଟକ ଦର୍ଶକମାନଙ୍କ ମନ ଜିଣି ନେଇଥିଲା। ଛାତ୍ରଛାତ୍ରୀମାନେ ମଞ୍ଚ ପରିଚାଳନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବରିଷ୍ଠ ଶିକ୍ଷକ ପଦ୍ମଲୋଚନ ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।