
ପଦ୍ମପୁର-ଅବୈଧ ଭାବେ କଫ୍ ସିରଫ ବିକ୍ରି କରୁଥିବା ଘଟଣାରେ ଚାରି ଜଣଙ୍କୁ ଗିରଫ କରିଛି ପଦ୍ମପୁର ପୋଲିସ। ପୋଲିସ ପକ୍ଷରୁ ମିଲିଥିବା ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ୭ଟା ୧୦ ମିନିଟ ସମୟରେ ପଦ୍ମପୁର ଥାନାର ଏସଆଇ ଧନେଶ୍ୱର ସାହୁ ପୋଲିସ ଦଳ ସହିତ ପେଟ୍ରୋଲିଂ କରୁଥିବା ବେଳେ ବୁଧାପାଳି ଗାଁ ବନ୍ଧ ନିକଟରେ କିଛି ବ୍ୟକ୍ତି ଅବୈଧ ଭାବେ କୋଡିନ ଥିବା କଫ୍ ସିରଫ ବିକ୍ରି କରୁଥିବା ଖବର ପାଇଥିଲେ। ସେଠାରେ ଚଢ଼ାଉ କରି ପୋଲିସ ଚାରି ଜଣଙ୍କୁ ଧରିଥିଲେ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପଦ୍ମପୁର ରଜାପଡାର ବିକି ଭୋଇ, ଭେଉଁରିଆର ଚତୁର୍ଭୁଜ ପଟେଲ ଓ ଲକ୍ଷ୍ମୀପ୍ରସାଦ ବାଗ ଏବଂ ବୁଧାପାଲିର ଜଗେଶ୍ୱର ମେହେର।

ଘଟଣାସ୍ଥଳରୁ ପୋଲିସ ୧୦ ଲିଟର ମିଶ୍ରିତ ୱିନସରେକ୍ସ କଫ୍ ସିରଫ ଥିବା ଗୋଟିଏ ପ୍ଲାଷ୍ଟିକ ଜାର୍କିନ, ୧୦୦ ମିଲି ହୋଇଥିବା ୩୧ଟି ୱିନସରେକ୍ସ କଫ୍ ସିରଫ ବୋତଲ (କୋଡିନ ଫସ୍ଫେଟ ୧୦ ମି.ଗ୍ରା. ଥିବା), ୧୦ ଗୋଟି ବ୍ୟବହୃତ ପ୍ଲାଷ୍ଟିକ ଗ୍ଲାସ, ନିଟ୍ରୋସନ-୧୦ ଟାବଲେଟର ୨ଟି ଷ୍ଟ୍ରିପ (ମୋଟ ୩୪ଟି ଟାବଲେଟ), ୨ଟି ଖାଲି ୱିନସରେକ୍ସ ବୋତଲ ଏବଂ ଓଡି-୧୭-ଏଫ-୧୦୬୧ ନମ୍ବର ଥିବା ହିରୋ ଏଚ.ଏଫ ଡିଲକ୍ସ ମୋଟରସାଇକେଲ ଜବତ କରିଥିଲେ।ପଦ୍ମପୁର ଥାନା କେସ୍ ନମ୍ବର ୫୩/୨୦୨୬,ବିଏନଏସ ର ୨୭୬/୨୭୭/୧୧୧(୨)(ବି)/୩(୫)ଧାରା ଅନୁସାରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ପଦ୍ମପୁର ଥାନା ଅଧିକାରୀ କ୍ରେସେନସିଆ ସାମାରିଆ ସୂଚନା ଦେଇଛନ୍ତି ।



