Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିନୂଆବର୍ଷରେ ବଣଭୋଜି ପାଇଁ ବୁଦାକୁଦରେ ଜମୁଛି ଭିଡ଼।

ନୂଆବର୍ଷରେ ବଣଭୋଜି ପାଇଁ ବୁଦାକୁଦରେ ଜମୁଛି ଭିଡ଼।

ବାଉଁଶୁଣୀ(ଉମାକାନ୍ତ ମହାକୁଳ)-ବୌଦ୍ଧ ବ୍ଳକ ବାଉଁଶୁଣୀ ନିକଟ ବାଘନଦୀ ଓ ମହାନଦୀ ସଙ୍ଗମସ୍ଥଳର ମହାନଦୀ ମଝିରେ ଥିବା ଟାପୁ ବୁଦାକୁଦରେ ନୂଆବର୍ଷରେ ବଣଭୋଜି ପାଇଁ ବେଶ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ଏହା ଏକ ସୁନ୍ଦର ବଣଭୋଜି ସ୍ଥଳ ହୋଇଥିଲେ ମଧ୍ୟ ଅନେକ ଲୋକ ଜାଣିପାରୁ ନାହାନ୍ତି। ପୂର୍ବରୁ ଟାପୁରେ ମୃତ୍ତିକା ସଂରକ୍ଷଣ ଓ ବନ ବିଭାଗ ପକ୍ଷରୁ କାଜୁ, ଆମ୍ବ ଭଳି ବିଭିନ୍ନ ବୃକ୍ଷରୋପଣ କରାଯାଇ ଜଗୁଆଳି ବ୍ୟବସ୍ଥା ହୋଇଥିଲା। ଫଳରେ ଟାପୁଟି ସବୁଜିମାରେ ଭରି ରହିଥିଲା। ମହାନଦୀର ଗଭୀର ନୀଳ ଜଳରାଶିରେ ବିଚରଣ ପାଇଁ ଶୀତଋତୁରେ ଅନେକ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଥିଲା। ପରେ ଜଗୁଆଳିଙ୍କୁ ହଟେଇ ନେବାରୁ ବୁଦାକୁଦ ବର୍ତ୍ତମାନ ବୁଦାହିନ ହୋଇଯାଇଛି। ତଥାପି ବଣଭୋଜି ପାଇଁ ଆଖପାଖ ଅଞ୍ଚଳର ଯୁବଗୋଷ୍ଠୀ ଦଳ ଦଳ ହୋଇ ବଣଭୋଜି କରିବା ପାଇଁ ବୁଦାକୁଦକୁ ଡଙ୍ଗାରେ ଆସୁଛନ୍ତି।

ଅନେକ ପ୍ରକୃତିପ୍ରେମୀ ଟାପୂକୁ ଯିବାପାଇଁ ଚାହୁଥିଲେହେଁ ରାସ୍ତା ଓ ନୌଯାତ୍ରାର ବ୍ୟବସ୍ଥା ନଥିବାରୁ ଯାଉପାରୁ ନାହାନ୍ତି। ଟାପୁକୁ ବାହାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ସେଠାରେ ବହୁଳ ଭାବେ ବୃକ୍ଷରୋପଣ କରାଯିବାର ଆବଶ୍ୟକ‌ତା ରହିଛି। ଏହାଛଡ଼ା ଗମନାଗମନ ପାଇଁ ୫୬ ନମ୍ବର ଜାତୀୟ ରାଜପଥର ଡାକବଙ୍ଗଳା ଛକରୁ ଏକ ରାସ୍ତା ନିର୍ମାଣ ସହ ରାଜପଥ କଡରେ ଥିବା ରାଜରାଜୁଡ଼ା ଅମଳର ଡାକବଙ୍ଗଳା ଯାହାକି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ତାହାର ପୁନରୁଦ୍ଧାର ଏବଂ ଟାପୁକୁ ଯିବା ପାଇଁ ବୋଟିଂର ବ୍ୟବସ୍ଥା କରାଗଲେ ଶୀତଋତୁରେ ଟାପୂକୁ ଅନେକ ପର୍ଯ୍ୟଟକ କଣଭୋଜି ପାଇଁ ଆସିବା ସହ ଏହା ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇପାରନ୍ତା ବୋଲି ପ୍ରକୃତିପ୍ରେମୀ ମହଲରେ ମତପ୍ରକାଶ ପାଇଛି।

error: Content is protected !!