
ପଦ୍ମପୁର-ପଦ୍ମପୁର ସହରସ୍ଥିତ ଜେନିଥ ଲାୟଂଶ୍ ଗୁରୁକୁଳର ଦୁଇ ଦିନ ଧରି ଚାଲିଥିବା ୧୯ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସ ପ୍ରତ୍ୟୁଷରୁ ବିଦ୍ୟାଳୟର ଛାତ୍ରମାନେ ସହରର ବଡବନ୍ଧ ସ୍ଥିତ ଦୁର୍ଗା ମନ୍ଦିରରୁ ପୂଜାର୍ଚ୍ଚନା କରି ମଶାଲ ଶୋଭାଯାତ୍ରାରେ ବାହାରି ଖେଳ ପଡ଼ିଆରେ ପହଞ୍ଚିଥିଲେ । ଏହା ପରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ମିଶ୍ର କ୍ରୀଡ଼ା ପତାକା ଉତ୍ତୋଳନ କରି କ୍ରୀଡ଼ା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଉପସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରଥ, ସମ୍ପାଦକ ଶ୍ରୀଯୁକ୍ତ ପବନ ଅଗ୍ରୱାଲ, କୋଷଧ୍ୟକ୍ଷ ଶ୍ରୀଯୁକ୍ତ ମହମ୍ମଦ ଜାୱେଦ୍,ଜେନିଥ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚତୁର୍ଭୁଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କ୍ରୀଡ଼ା ଉତ୍ସବରେ ୧୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ୧୦୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିଲେ । ପ୍ରତିଯୋଗିତା ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କର ଉତ୍ସାହ, ସଂଘର୍ଷ ଓ ଦୃଢ଼ ମନୋବଳ ପ୍ରଶଂସନୀୟ ଥିଲା । ଏହା ବ୍ୟତୀତ ଅଭିଭାବକ ମାନଙ୍କ ମଧ୍ୟରେ ଅନେକ ମନୋରଞ୍ଜନ ଧର୍ମୀ ପ୍ରତିଯୋଗିତା ଗୁଡ଼ିକ ଅନୁଷ୍ଠିତ ହୋଇଥିଲା । ଦ୍ଵିତୀୟ ଦିବସରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ମନୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନି ସଭାରେ ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ତଥା ସମାଜସେବୀ ଶ୍ରୀଯୁକ୍ତ ଜୟ ନାରାୟଣ ତ୍ରିପାଠୀ ଅତିଥି ଭାବରେ ଯୋଗଦେଇଥିଲେ ।

ଶ୍ରୀଯୁକ୍ତ ତ୍ରିପାଠୀ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡ଼ା ପ୍ରତିଯୋଗିତାର ଆବଶ୍ୟକତା ସମ୍ପର୍କରେ ଉଦବୋଧନ ଦେବା ସହ ବିଭିନ୍ନ ବିଭାଗରେ ଚାମ୍ପିଅନ ହୋଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । କ୍ରୀଡ଼ା ଉତ୍ସବରେ ବିଚାରକ ଦାୟିତ୍ଵ ନିର୍ବାହ କରିଥିବା ବିଭିନ୍ନ ସରକାରୀ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦଯାପନୀ ଉତ୍ସବରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ ବେହେରା ସଭା ପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜିତ କୋଚିଆରୀ ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡ଼ା ଉତ୍ସବର ସଫଳ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ।



