Friday, June 6, 2025
spot_imgspot_imgspot_img
Homeରାଜ୍ୟଜୁନ ୫ ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୧୦ କୋଟି ଗଛ ଲଗାଇବା - ଧର୍ମେନ୍ଦ୍ର...

ଜୁନ ୫ ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୧୦ କୋଟି ଗଛ ଲଗାଇବା – ଧର୍ମେନ୍ଦ୍ର ପ୍ରଧାନ ।

‘ଏକ୍ ପେଡ୍ ମା’ କେ ନାମ୍ ୨.୦” ଅଭିଯାନର ଶୁଭାରମ୍ଭ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ।

• ମା’ଙ୍କ ନାମରେ ଗୋଟିଏ ଗଛ ; ପ୍ରକୃତିର ସମ୍ମାନ ପ୍ରତି ଏକ ବଡ଼ ପ୍ରତିଜ୍ଞା ।
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମିଶନ ଲାଇଫ୍’ କଳ୍ପନାରେ ବିଶ୍ୱ ପରିବେଶ ଦିବସରୁ ମାଟି ମାଆର ସୁରକ୍ଷା ପାଇଁ ସବୁଠୁ ବଡ଼ ଜନ ଆନ୍ଦୋଳନ କରିବା ।
• ଏହି ଅଭିଯାନ ପ୍ରକୃତି ପ୍ରତି ଥିବା ଆମର ସ୍ନେହ ଏବଂ ଦାୟିତ୍ୱବୋଧତାର ସ୍ୱରୂପ ଅଟେ ।
• ସମସ୍ତେ ନିଜର ମା’ଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ, ତାହାର ସୁରକ୍ଷା ଓ ଯତ୍ନ ନିଅନ୍ତୁ ।
• ସେହି ଗଛକୁ ବଡ ହେବାକୁ ଦିଅନ୍ତୁ ଏବଂ ଏହାର କାହଣୀ ଅନ୍ୟମାନଙ୍କୁ କହିବାକୁ କେନ୍ଦ୍ରମନ୍ତ୍ରୀ ଦେଲେ ବାର୍ତ୍ତା ।

ଭୁବନେଶ୍ୱର – “ଏକ୍ ପେଡ୍ ମା’ କେ ନାମ୍” ଅର୍ଥାତ୍ “ମା’ଙ୍କ ନାମରେ ଗୋଟିଏ ଗଛ” ପ୍ରକୃତିର ସମ୍ମାନ ପ୍ରତି ଏକ ବଡ଼ ପ୍ରତିଜ୍ଞା । ଚଳିତବର୍ଷ ଏହି ବୃହତ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବା ପାଇଁ “ମାଙ୍କ ନାମରେ ଗୋଟିଏ ଗଛ ୨.୦” ର ଶୁଭାରମ୍ଭ ହେଉଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନରେ ଜୁନ ୫ ବିଶ୍ୱ ପରିବେଶ ଦିବସରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୧୦ କୋଟି ଗଛ ଲଗାଇବା ପାଇଁ ଦେଶବାସୀ ବିଶେଷ ଭାବରେ ଛାତ୍ରଛାତ୍ରୀମାନଙ୍କୁ ଭିଡିଓ ମେସେଜ୍ ଜରିଆରେ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶ୍ରୀ ପ୍ରଧାନ କହିଛନ୍ତି ଯେ “ଏକ୍ ପେଡ୍ ମା’ କେ ନାମ୍” ଏକ ଭାବନାତ୍ମକ ବିଚାର । ଭାରତ ସରକାର ଏକ ବ୍ୟାପକ ବୃକ୍ଷରୋପଣ ଅଭିଯାନ କରିବା ପାଇଁ ଏହାକୁ ଆରମ୍ଭ କରିଥିଲେ । ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଦେଶବାସୀଙ୍କ ସଫଳ ପ୍ରଚେଷ୍ଟା ଯୋଗୁଁ “ମା’ଙ୍କ ନାମରେ ଗୋଟିଏ ଗଛ” ଏକ ବଡ ଅଭିଯାନରେ ପରିଣତ ହୋଇଛି । ଏହି ଅଭିଯାନ ଅଧୀନରେ ସମଗ୍ର ଭାରତବର୍ଷରେ ସାଢେ ୫ କୋଟିରୁ ଅଧିକ ଗଛ ଲଗାଯାଇଛି ।

ଏହା କେବଳ ଏକ ଗଛ ନୁହେଁ, ବରଂ ମାଆଙ୍କ ପ୍ରତି ଥିବା ଆମର ସ୍ନେହ, ଶ୍ରଦ୍ଧା ଓ ଭଲପାଇବାର ଏକ ନିଚ୍ଛକ ପ୍ରମାଣ । ଏହା ମାଟି ମାଆ ପ୍ରତି ଆମର ପ୍ରେମ ଏବଂ ନିବିଡ଼ତାର ପ୍ରତୀକ । ଛତିଶଗଡ଼ରେ ଶିଶୁ ଏବଂ ମାଆ ଭଉଣୀଙ୍କ ଦ୍ୱାରା ପ୍ରସ୍ତୁତ ସିଡ୍ ବଲ୍, ତ୍ରିପୁରାରେ ଗଛ ଲଗାଇବା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ରାଜସ୍ଥାନରେ ୧.୫ କୋଟିର ଚାରାରୋପଣ ଏହି ଅଭିଯାନକୁ ନୂଆ ପରିଚୟ ଦେଇଛି । ଓଡ଼ିଶା ପ୍ରଦେଶ ସମେତ ସମଗ୍ର ଦେଶବାସୀଙ୍କ ପ୍ରଚେଷ୍ଟା ଏହି ରାଷ୍ଟ୍ରୀୟ ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଅଭିଯାନ କେବଳ ଏକ ପରିସଂଖ୍ୟାନରେ ସୀମିତ ନୁହେଁ ବରଂ ପ୍ରକୃତି ପ୍ରତି ଥିବା ଆମର ସ୍ନେହ ଏବଂ ଦାୟିତ୍ୱବୋଧତାର ସ୍ୱରୂପ ଅଟେ । ଏହି ଅଭିଯାନ ଏପରି ଏକ ଭବିଷ୍ୟତ ପ୍ରତି ସମର୍ପଣ, ଯେଉଁଠି ପ୍ରକୃତିର ସମ୍ମାନ ; ଆମର ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପରିଗଣିତ ହେବ । ସାରା ବିଶ୍ୱରେ ସ୍ଥାୟୀ ବିକାଶର ପ୍ରୟାସକୁ ମାର୍ଗଦର୍ଶନ କରୁଥିବା ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଅନୁସାରେ – ଜଳବାୟୁ ସଂକଟର ସମାଧାନ କେବଳ ନୂଆ ପଦ୍ଧତିରେ ନୁହେଁ ବରଂ ଆମର ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଦ୍ୱାରା ସମ୍ଭବ ହେବ ।

ଏହି ଚିନ୍ତାଧାରାକୁ ଆଗକୁ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ମିଶନ ଲାଇଫ୍’ର ଶୁଭାରମ୍ଭ କରିଛନ୍ତି । ମହାତ୍ମା ଗାନ୍ଧୀ ଥରେ ଅତ୍ୟନ୍ତ ପ୍ରେରଣାଦାୟୀ କଥା କହିଥିଲେ । ସେ କହିଥିଲେ “ତୁମେ ସେହିପରି ଭାବରେ ନିଜକୁ ପରିବର୍ତ୍ତନ କର, ଯେଉଁ ପରିବର୍ତ୍ତନ ତୁମେ ଦୁନିଆରେ ଦେଖିବାକୁ ଚାହୁଁଛ” । ଏହା ଅତ୍ୟନ୍ତ ଖୁସି ଏବଂ ଗର୍ବର ବିଷୟ, ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ -ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ; ଦାୟିତ୍ୱବାନ ଏବଂ ସମ୍ବେଦନଶୀଳତା ସହ ଏହି ପରିବର୍ତ୍ତନର ଜଣେ ଜଣେ ଉତ୍ତମ ନାୟକ ହେଉଛନ୍ତି । ଏହାର ପ୍ରମାଣ ହେଉଛି, ୨୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୫୦ ଲକ୍ଷରୁ ଅଧିକ ଗଛ ପାଇଁ କ୍ୟୁଆର୍ କୋଡ୍ ତିଆରି କରିଛନ୍ତି । ଏହା ହିଁ ଭାରତର ବିଶାଳ ପରିବେଶ ଜ୍ଞାନକୁ ଡିଜିଟାଲ୍ ଏବଂ ସୁଲଭ କରିଛି । ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ସମସ୍ତେ ନିଜର ମା’ଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ । ତାହାର ସୁରକ୍ଷା ଓ ଯତ୍ନ ନିଅନ୍ତୁ । ସେହି ଗଛକୁ ବଡ ହେବାକୁ ଦିଅନ୍ତୁ ଏବଂ ଏହାର କାହଣୀ ଅନ୍ୟମାନଙ୍କୁ କୁହନ୍ତୁ । ଆମେ ଲଗାଉଥିବା ପ୍ରତିଟି ଚାରା ଏକ ବାର୍ତ୍ତା ବହନ କରେ ଯେ, ଆମେ ପ୍ରକୃତିର ଚିନ୍ତା କରୁ ଏବଂ ତା’ର ସୁରକ୍ଷା ପାଇଁ ମଧ୍ୟ ବେଶ୍ ଯତ୍ନବାନ ଅଛୁ । ଯେତେବେଳେ ଜନୈକ ବ୍ୟକ୍ତି ଗୋଟିଏ ଗଛ ଲଗାଉଛନ୍ତି, ସେତେବେଳେ ଏକ ଆଶାର ସଂଚାର ସୃଷ୍ଟି ହେଉଛି ଏବଂ ଏହି ଆଶାର ସଂଚାର ଆସନ୍ତାକାଲି ଏକ ସବୁଜ ଆନ୍ଦୋଳନର ସୂତ୍ରପାତ କରିବ, ଏହା ମୋର ପୂର୍ଣ୍ଣ ବିଶ୍ୱାସ । ମାଟି ମାଆର ସୁରକ୍ଷା ପାଇଁ ସବୁଠୁ ବଡ଼ ଜନ ଆନ୍ଦୋଳନ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

error: Content is protected !!