ପଦ୍ମପୁର-ରାଜବୋଡ଼ାସମ୍ବର ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଝାରବନ୍ଧ ବ୍ଲକ ଶିକ୍ଷାଅଧିକାରୀ ଶୁଭମ କୁମାର ପତି ଓ ସମ୍ମାନୀତ ଅତିଥି ଭାବରେ ଅତାବିରା ବ୍ଲକ ଶିକ୍ଷାଅଧିକାରୀ ମିଶ୍ରାଣୀ କୁମ୍ଭାର, ପୂର୍ବତନ ବ୍ଲକ ଶିକ୍ଷାଅଧିକାରୀ ଜନକ ଲାଲ ମେହେର ଯୋଗଦାନ କରିଥିଲେ।

ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରାଲମ୍ବ ପ୍ରସାଦ ପଟେଲ, ଡି.ପି.ଇ.ଓ ଜ୍ୟୋତିଷ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଶୁକ୍ରବାର ପ୍ରଥମାର୍ଦ୍ଧରେ ବାଳିକା ବିଭାଗ ଉଭୟ ବର୍ଗ (ଚଉଦ ଓ ସତର )ବର୍ଷର ଫାଇନାଲ ଅନୁଷ୍ଠିତ ହୋଇ ଉଭୟ ବର୍ଗରେ ପାଇକମାଲ ବ୍ଲକ ଚାମ୍ପିଅନ ହୋଇଥିଲେ। ଚଉଦ ବର୍ଷ ବର୍ଗରେ ଝାରବନ୍ଧ ଏବଂ ସତର ବର୍ଷ ବର୍ଗରେ ରାଜବୋଡ଼ାସମ୍ବର ବ୍ଲକ ରନର୍ସଅପ୍ ହୋଇଥିଲେ।

ରାଜେଶ ଖମାରୀ ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ ବିଭିନ୍ନ ବ୍ଲକରୁ ଆସିଥିବା ଖେଳ ଶିକ୍ଷକ ମାନେ ଖେଳ ପରିଚାଳନା କରିଥିଲେ। ବିଜୟୀ ଦଳଙ୍କୁ ଅତିଥି ମାନେ ଟ୍ରଫି ପ୍ରଦାନ କରିଥିଲେ। ଦ୍ଵିତିଆର୍ଦ୍ଧରେ ବାଳକ ମାନଙ୍କର ଉଭୟ ବର୍ଗର ଖେଳ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ଗ୍ରୁପ୍ ମ୍ୟାଚରେ ବିଜୟୀ ଦଳ ମାନଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ ଖେଳ ହୋଇ ଫାଇନାଲ ଅନୁଷ୍ଠିତ ହେବ।



