ପଦ୍ମପୁର-ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପର ଜମି ଅଧିଗ୍ରହଣ କାମ ଖୁବଶୀଘ୍ର ଆରମ୍ଭ କରିବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାବି କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏହାସହ ପ୍ରକଳ୍ପ କାମ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ରେଳମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି । ଆଜି ସଂସଦରେ ଶୂନ୍ୟକାଳରେ ବରଗଡ଼-ନୂଆପଡ଼ା ପ୍ରକଳ୍ପ ବାବଦରେ ସାଂସଦ ପୁରୋହିତ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି ପ୍ରକଳ୍ପ ଦ୍ୱାରା ପଶ୍ଚିମ ଓଡ଼ିଶାର ବିକାଶ ହେବାସହ ରୋଜଗାରର ମାଧ୍ୟମ ହୋଇପାରିବ । ଗମନା ଗମନରେ ଲୋକଙ୍କର ଅନେକ ସୁବିଧା ହୋଇପାରିବ ବୋଲି ସେ କହିଛନ୍ତି । ଏହି ରେଳ ପ୍ରକଳ୍ପ ଦ୍ୱାରା ଆମ ଅଂଚଳର କଳା ସାହିତ୍ୟର ବିକାଶ ହେବ । ବାଣିଜ୍ୟ ବେପାର ବୃଦ୍ଧି ପାଇବ ବୋଲି ଗୃହରେ ସେ କହିଛନ୍ତି ।

ବହୁ ବର୍ଷ ଧରି ଏହି ରେଳ ପ୍ରକଳ୍ପ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ସରକାର ଧ୍ୟାନ ଦେଉନଥିଲେ । ବରଗଡ଼-ନୂଆପଡ଼ା ୧୩୮ କିଲୋମିଟର ରେଳପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୨ ହଜାର ୯୨୬ କୋଟି ଟଙ୍କା ଖର୍ଚ୍ଚ ଅନୁଦାନ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତିି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ।

