Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଚତୁର୍ଥ ଶତାବ୍ଦୀର ବୌଦ୍ଧକିର୍ତ୍ତୀ-ଗନିଆଁପାଲି ବୁଦ୍ଧବିହାରମୁଛଲିନ୍ଦ ବୌଦ୍ଧ ଓ ଧର୍ମଚକ୍ର ପ୍ରବର୍ତ୍ତନ ମୁଦ୍ରା ସତ୍ତ୍ୱେ ପର୍ଯ୍ୟଟନରୁ ବଂଚିତ...

ଚତୁର୍ଥ ଶତାବ୍ଦୀର ବୌଦ୍ଧକିର୍ତ୍ତୀ-ଗନିଆଁପାଲି ବୁଦ୍ଧବିହାରମୁଛଲିନ୍ଦ ବୌଦ୍ଧ ଓ ଧର୍ମଚକ୍ର ପ୍ରବର୍ତ୍ତନ ମୁଦ୍ରା ସତ୍ତ୍ୱେ ପର୍ଯ୍ୟଟନରୁ ବଂଚିତ ।

ସହଜ ଗମନାଗମନରୁ ବଂଚିତ ନୃସିଂହନାଥ ଓ ଗନିଆଁପାଲି ବୌଦ୍ଧ ପୀଠ
କେବେ ଗଡ଼ିବ ସରକାରୀ ବସ୍‌?

ବରଗଡ଼-ବରଗଡ଼ ଜିଲ୍ଳା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗନିଆଁପାଲିରେ ରହିଛି ଚତୁର୍ଥ ଶତାଦ୍ଦୀର ବୌଦ୍ଧରାଜି । ଯାହାକି ମୁଚ୍ଛଳିନ୍ଦ ବୌଦ୍ଧ ବିହାର ଭାବେ ପରିଚିତ । ବିରଳ ମୁଛଳିନ୍ଦ ବୌଦ୍ଧ ଓ ଧର୍ମଚକ୍ର ପ୍ରବର୍ତ୍ତନ ମୁଦ୍ରା ମୂର୍ତ୍ତି ପାଇଁ ବିଶ୍ୱ ବିଦିତ ଥିଲେବି ଗାଁ କନିଆ ସିଂଘାଣୀ ନାକୀ ସଦୃଶ ପରିତ୍ୟକ୍ତାବସ୍ଥାରେ ପଡ଼ିରହିଛି । ତିନି ଦଶନ୍ଧି ପୂର୍ବରୁ ଅସଲି ବୁଦ୍ଧ ମୂତ୍ତି ଦ୍ୱୟକୁ ଭାଙ୍ଗି ଦୁର୍ବୃତ୍ତମାନେ ଚୋରୀ କରି ନେଇଥିଲେବି ବର୍ତ୍ତମାନ ସୁଦ୍ଧା ଏହାକୁ ଉଦ୍ଧାର କରାଯାଇ ପାରିନଥିବାରୁ ଗନିଆଁପାଲି ପ୍ରତି ଉପେକ୍ଷା ଜନଅଶାନ୍ତିର କାରଣ ପାଲଟିଯାଇଛି । ଗ୍ରାମବାସୀଙ୍କ ମନରେ ସୃଷ୍ଟି ମାନସିକ ଅଶାନ୍ତି ଓ କ୍ଷତକୁ ଲାଘବ କରିବ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ତଥା ଗ୍ରାମବାସୀଙ୍କ ଉଦ୍ୟମରେ ଦୁଇଟି ବୁଦ୍ଧ ମୂର୍ତ୍ତି ନିର୍ମାଣ କରାଯାଇ ୨୦୧୬ ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ପରେ ପୂଜାର୍ଚ୍ଚନା ଅବ୍ୟାହତ ହୋଇଥିଲେ ମଧ୍ୟ ପ୍ରଚାର ପ୍ରସାର ଅଭାବ, ରାସ୍ତାଘାଟର ଅଭାବ, ଗମନାଗମନ ଓ ଯୋଗଯୋଗର ଅବ୍ୟବସ୍ଥା ଯୋଗୁଁ ଆଜିବି ପୀଠଟି ପର୍ଯ୍ୟଟକଙ୍କ ନଜରରୁ ଦୂରେଇ ରହିଯାଇଥିବାରୁ ମୁଛଳିନ୍ଦ ବୌଦ୍ଧ ପୀଠ ପ୍ରତି ପ୍ରଶାସନିକ ଉଦାସୀନତା ଓ ସରକାରୀ ଉପେକ୍ଷା ଗନିଆଁପାଲିବାସୀଙ୍କୁ ଆନ୍ଦୋଳିତ କରିଦେଇଛି । ବରଗଡ ଜିଲ୍ଳା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗନିଆଁପାଲିରେ ରହିଛି ପ୍ରାଚୀନ ଯୁଗର ଐତିହାସିକ ବୌଦ୍ଧ ପୀଠ । ଅଙ୍ଗ ନଦୀ ଓ ମଗର ନାଳର ମଧ୍ୟବର୍ତ୍ତୀ ଉପତ୍ୟକାରେ ଏକ ସୁଦୃଶ୍ୟ ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଏହି ବୌଦ୍ଧ ବିହାର । ଏଠାରେ ଥିବା ପ୍ରାଚୀନ ବୌଦ୍ଧ ମୂର୍ତ୍ତି ଦ୍ୱୟକୁ ବହୁ ପୂର୍ବରୁ ଗନିଆଁପାଲି ଗ୍ରାମବାସୀ ନିଜ ଗ୍ରାମ୍ୟ ଦେବତା ବୁଡାରଜା ଏବଂ ଯୁଗିଜୁଗରୀ ଭାବରେ ପୂଜା କରି ଆସୁଥିଲେ । ୧୯୬୧ ମସିହାରେ ଇଂଲଣ୍ଡର ବିଖ୍ୟାତ ଐତିହାସିକ ତଥା ଗବେଷକ ଚାଲର୍ସ ଲୁଇ ଫେବ୍ରି ଏହାର ସନ୍ଧାନ ପାଇଁ ଏହି ପୀଠ ତଥା ମୂର୍ତ୍ତି ଦ୍ୱୟର ଅନୁଧ୍ୟାନ କରିଥିଲେ । ସେ ତାଙ୍କ ରଚିତ ପୁସ୍ତକ ‘ଦ ହିଷ୍ଟ୍ରି ଅଫ୍ ଦ ଆର୍ଟ ଅଫ୍ ଓଡିଶା’ରେ ଏହା ଖ୍ରୀଷ୍ଟିୟ ଚତୁର୍ଥ ଶତାଦ୍ଦୀର ବୌଦ୍ଧ ବିହାର ବୋଲି ବର୍ଣ୍ଣନା କରିବା ସହ ଏହି ବିହାରର ନାମ ମୁଚ୍ଛଳିନ୍ଦ ବୌଦ୍ଧବିହାର ବୋଲି ଉଲ୍ଲେଖ କରିଛନ୍ତି ।

ଏହି ମୂର୍ତ୍ତି ଦ୍ୱୟ ମଧ୍ୟରୁ ଡାହାଣ ପାଶ୍ୱସ୍ଥ ମୂର୍ତ୍ତିଟି ଦୁଲ୍ଳର୍ଭ ମୁଛଳିନ୍ଦ ବୌଦ୍ଧ ମୂର୍ତ୍ତି ଏବଂ ଅନ୍ୟଟି ଧର୍ମଚକ୍ର ପ୍ରବର୍ତ୍ତନ ମୁଦ୍ରାସୀନ ବୌଦ୍ଧ ମୂର୍ତ୍ତି ବୋଲି ଅଭିହିତ କରିଥିଲେ । ଐତିହାସିକ ଚାଲର୍ସ ଲୁଇସ ଫେବ୍ରିଙ୍କ ପରିଦର୍ଶନ ପରେ ଗନିଆଁପାଲି ବୌଦ୍ଧବିହାର ବିଶ୍ୱ ଦରବାରରେ ପରିଚିତ ହୋଇଥିଲା । ଗନିଆଁପାଲି ବୌଦ୍ଧ ବିହାରରେ ଥିବା ବୁଦ୍ଧମୂର୍ତ୍ତି ମଧ୍ୟରୁ ଡାହାଣ ପାଶ୍ୱର୍ରେ ବିରଳ ମୁଚ୍ଛଳିନ୍ଦ ମୂର୍ତ୍ତି ରହିଛି । ପାଂଚଟି ଫଣା ବିଶିଷ୍ଟ ସର୍ପ ମୁଚ୍ଛଳିନ୍ଦ ଉପରେ ଭଗବାନ ବିଷ୍ଣୁ ଧ୍ୟାନ ଅବସ୍ଥାରେ ଆସୀନ ଅଛନ୍ତି । ସେହିପରି ବାମପାଶ୍ୱର୍ରେ ଅବସ୍ଥିତ ରହିଛି ଧର୍ମଚକ୍ର ପ୍ରବର୍ତ୍ତନ ବୁଦ୍ଧମୂର୍ତ୍ତି ରହିଛି । ପଦ୍ମାସନରେ ଆସୀନ ଏହି ବୁଦ୍ଧମୂର୍ତ୍ତି ତଳେ ଚବିଶଟି ଅର ବିଶିଷ୍ଟ ଧର୍ମଚକ୍ର ଏବଂ ଦୁଇ ପାଶ୍ୱର୍ରେ ଦୁଇ ଗୋଟି ହରିଣ ଚିତ୍ର ମୂର୍ତ୍ତି ଖୋଦିତ ହୋଇଛି । ବୌଦ୍ଧ ଧର୍ମଗ୍ରନ୍ଥ ‘ବିନୟ ପେଟିକା’ ଅନୁସାରେ ତଥାଗତ ବୁଦ୍ଧ ଚରମ ଜ୍ଞାନର ସନ୍ଧାନ ପାଇଁ ତପସ୍ୟାରତ ଥିବା ବେଳେ ବର୍ଷା ଓ ଝଡରୁ ତାଙ୍କୁ ରକ୍ଷା କରିବା ପାଇଁ ସର୍ପରାଜ ମୁଚ୍ଛଳିନ୍ଦ ତାଙ୍କ ମୁଣ୍ଡ ଉପରେ ଫଣା ଟେକି ରହିଥିଲେ । ଏଭଳି ବିରଳ ମୂର୍ତ୍ତି ଭାରତରେ ବିରଳ ବୋଲି କୁହାଯାଏ ।୧୯୭୭ ମସିହାରେ ଐତିହାସିକ ପ୍ରଫେସର ଡ. ନବୀନ କୁମାର ସାହୁଙ୍କ ଦ୍ୱାରା ପ୍ରଥମେ ହୋଇଥିବା ସର୍ଭେରୁ ଏହି ତଥ୍ୟ ସାମନାକୁ ଆସିଥିଲା । ୧୯୭୮ ମସିହାରେ ଭାରତ ସରକାରଙ୍କ ଦ୍ୱାରା ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ଐତିହାସିକ ପ୍ରଫେସର ଡ. ନବୀନ କୁମାର ସାହୁ ଏ ଅଂଚଳରେ ଅନୁଧ୍ୟାନ କରିବା ସହ ଖନନ କରିଥିବା ବେଲେ ଏଠାରେ ଚତୁର୍ଥ ଶତାଦ୍ଧୀର ବୌଦ୍ଧ ବିହାର ଥିବାର ପ୍ରମାଣ ମଳିଥିଲା । ଏହାର ସଂପୂର୍ଣ୍ଣ ବିବରଣୀ ୧୯୮୨ରେ ପ୍ରଫେସର ଏସ୍ ସି ବେହେରାଙ୍କ ରଚିତ ପୁସ୍ତକ ‘ଇେଂଟରିମ ଏକ୍ଟାଭେସନ୍ ରିପୋର୍ଟସ’ରେ ଲିପିବଦ୍ଧ ହୋଇଛି ।

ଏହି ଖନନ ସମୟରେ ପ୍ରତ୍ନତାତ୍ୱିକ ଅନୁସନ୍ଧାନ କରି ଭୁଖନନ ଓ ସର୍ବେକ୍ଷଣ ପରେ ଦଶ/ପନ୍ଦର ଇଂଚ ଆକୃତିର ଇଟାରେ ନିର୍ମିତ କୋଠାରୀ ଗୁଡିକର ଭଗ୍ନାବଶେଷ ଆବିଷ୍କାର କରିଥିଲେ । ଏସବୁ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜିର ସ୍ୱଷ୍ଟ ପ୍ରମାଣ ଦିଏ । ତେବେ ଅବହେଳିତ ହୋଇ ପଡିଥିବା ଏହି ବୌଦ୍ଧ ପୀଠରେ ଗ୍ରାମବାସୀଙ୍କ ଦ୍ୱାରା ମୂର୍ତ୍ତିଦ୍ୱୟକୁ ପୂଜା କରାଯାଉଥିବା ବେଲେ ୨୦୦୮ ମସିହା ଜାନୁୟାରୀ ୩୧ ତାରିଖରେ ଏହି ପ୍ରାଚୀନ ଦୁଲ୍ଳଭ ମୂର୍ତ୍ତି ଦ୍ୱୟ ଚୋରୀ ହୋଇଯାଇଥିଲା । ଗୋଟିଏ ବୁଦ୍ଧ ମୂର୍ତ୍ତିର ମୁଣ୍ଡ ଭାଙ୍ଗି ନେଇ ଯାଇଥିବା ବେଲେ ଅନ୍ୟ ମୂର୍ତ୍ତିକୁ ତଳୁ କାଢ଼ି ନେଇ ଯାଇଥିଲେ । ଏନେଇ ବରଗଡ ଜିଲ୍ଳାରେ ଚହଳ ପଡି ଯାଇଥିବା ବେଳେ ପୁଲିସ ପ୍ରଶାସନ ଖୋଜିବାରେ ବିଫଳ ହେବା ପରେ ଶେଷରେ ଏହାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ମୂର୍ତ୍ତି ଦୁଇଟି ଉଦ୍ଧାର କରାଯାଇପାରି ନ ଥିବା ବେଲେ ଗ୍ରାମବାସୀମାନେ ଦୀର୍ଘ ଦିନ ହେବ ମୂର୍ତ୍ତି ଦ୍ୱୟର ଫଟୋ ଚିତ୍ରକୁ ପୂଜା କରିଆସୁଥିଲେ । ତେବେ ୨୦୧୬ରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ସହାୟତାରେ ତଥା ଗ୍ରାମବାସୀଙ୍କ ଉଦ୍ୟମରେ ଦୁଇଟି ନୂତନ ମୂର୍ତ୍ତି ନିର୍ମାଣ କରାଯାଇ ପ୍ରତିଷ୍ଠିତ କରାଯାଇଥିଲା । ଗନିଆଁପାଲି ବୌଦ୍ଧବିହାରର ଦକ୍ଷିଣ ଦିଗ ପ୍ରବେଶ ପଥରେ ବୀର ହନୁମାନ ତଥା ବିଭିନ୍ନ ଦେବାଦେବୀ ରୁପେ ପୂଜା ପାଉଥିବା ସ୍ତମ୍ଭରେ କିଛି ଶିଳାଲିପି ରହିଛି । ଏଠାରେ ଥିବା ଶିଳାଲିପି ହାତୀଗୁମ୍ପା ଶିଳାଲିପି ସହିତ ସାମଞ୍ଜସ୍ୟ ରହିଛି ବୋଲି ଗବେଷକମାନେ ମତ ଦିଅନ୍ତି । ବର୍ତମାନ ସୁଦ୍ଧା ଉକ୍ତ ଶିଳାଲିପିର ପାଠୋଦ୍ଧାର ହୋଇ ପାରି ନଥିବା ବେଳେ ଏ ଦିଗରେ ଆହୁରି ଗବେଷଣା କରାଗଲେ ଅନେକ ତଥ୍ୟ ମିଳି ପାରନ୍ତା ବୋଲି ତଥ୍ୟାଭିଜ୍‌୍ୟ ମହଲ ମତ ଦିଅନ୍ତି । ତେବେ ପ୍ରତିବର୍ଷ ବୁଦ୍ଧ ପୂର୍ଣ୍ଣିମା ତିଥିରେ ଏଠାରେ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଗନିଆଁପାଲି ବିଷୟରେ ଜାଣିଥିବା କିଛି ହାତଗଣତି ପର୍ଯ୍ୟଟକ ଆସି ଠୁଳ ହେଉଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିିତ କରିବା ପାଇଁ ଗନିଆଁପାଲି ବୌଦ୍ଧବିହାରର ସାମଗ୍ରିକ ଉନ୍ନତୀ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସ୍ଥାନୀୟ ସଚେତନବର୍ଗଙ୍କ ଏବେ ଆହ୍ୱାନ ପାଲଟିଯାଇଛି ।

ତତସହିତ ଚୋରୀ ମୂର୍ତ୍ତି ଦ୍ୱୟର ଉଦ୍ଧାର କରାଯାଉ ଏବଂ ଏହି ପୀଠର ଅଧିକ ପ୍ରତ୍ନତାତ୍ୱ୍ୱିକ ଅନୁସନ୍ଧାନ କରାଯାଇ ଗନିଆଁପାଲିକୁ ପର୍ଯ୍ୟଟନ ହବ୍ କରାଯାଉ ବୋଲି ବରଗଡ଼ବାସୀ ଦାବୀ କରିଛନ୍ତି । ପୌରାଣିକ, ଆଧ୍ୟାତ୍ମିକ ଓ ଧାର୍ମିକ କ୍ଷେତ୍ର ଭାବେ ଗନ୍ଧମାର୍ଦ୍ଧନ ପର୍ବତ ଶୃଙ୍ଖଳା ଓ ଏହାରି ବକ୍ଷରେ ଆଶ୍ରିତ ପ୍ରଭୁ ମାର୍ଜାରକେଶରୀଙ୍କ ନୃସିଂହନାଥ ପୀଠ ଭାରତବର୍ଷରେ ଏକ ବିରଳ ପୀଠ ମାନ୍ୟତା ହାସଲ କରିଛି । ସେହିଭଳି ଶହ ଶହ ବର୍ଷ ପୂର୍ବରୁ ସ୍ଥାପିତ ଗନିଆଁପାଲି ବୌଦ୍ଧ କିର୍ତ୍ତୀରେ ପୀଠାସୀନ ଥିବା ମୁଛଲିନ୍ଦ ବୌଦ୍ଧମୂର୍ତ୍ତି ଓ ଧମଚକ୍ର ମୂର୍ତ୍ତି ଯୋଗୁଁ ସାରା ବିଶ୍ୱରେ ବିରଳ ପୀଠ ଥିବା ବୌଦ୍ଧ ଧର୍ମାବଲମ୍ବୀମାନଙ୍କଠାରୁ ଜଣାପଡ଼ିଥିଲେ ମଧ୍ୟ ଉପଯୁକ୍ତ ପଦକ୍ଷେପର ଅଭାବରୁ ଆଜିଯାଏଁ ପୀଠଦ୍ୱୟ ତାଙ୍କ ସର୍ବୋଚ୍ଚ ହକ୍ ପାଇପାରିନାହାନ୍ତି । ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଅବହେଳାରୁ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାନୁରୂପ ଭାବେ ବୃଦ୍ଧି ପାଇପାରୁନଥିବା ବେଳେ ସାମାନ୍ୟ ଗମନାଗମନ କ୍ଷେତ୍ରରେ ଦୃଢ଼ ଇଚ୍ଛାଶକ୍ତିର ଅଭାବରୁ ଉଭୟ ପୀଠକୁ ସରକାରୀ ବସଟେ ସୁଦ୍ଧା ଚଳାଚଳ କରିପାରୁନାହିଁ । ଯାହାକୁ ନେଇ ବରଗଡ଼ବାସୀଙ୍କ ବାରମ୍ବାର ଦାବୀ ସତ୍ତ୍ୱେ ସରକାରୀ ଅଣଦେଖା ଆଜି ଘା’ରେ ପରିଣତ ହୋଇଯାଇଛି । ତ୍ରେତୟା ଯୁଗର ଜୀବନ୍ତ କିମ୍ବଦନ୍ତୀ ସହିତ ମୂଷିକ ଦୈତ୍ୟର ପରାଜିତଭୂମିର ମର୍ଯ୍ୟାଦା ବହନ କରୁଥିବା ପୌରାଣିକ ମାନ୍ୟତାପ୍ରାପ୍ତ ଗନ୍ଧମାର୍ଦ୍ଧନ ପର୍ବତ ସହିତ ପ୍ରାକୃତିକ ଜଙ୍ଗଲ ଓ ଶୋଭାରାଜି, ନୈସର୍ଗିକ ଝରଣାକୁ ଐତିହାସିକ ବୁଦ୍ଧକିର୍ତ୍ତୀ ପାଇଁ ନୃସିଂହନାଥ ପୀଠ ଓଡ଼ିଶାର ଏକ ପ୍ରମୂଖ ତୀର୍ଥକ୍ଷେତ୍ର, ସଂସ୍କୃତି କ୍ଷେତ୍ର, ପର୍ଯ୍ୟଟନ କ୍ଷେତ୍ର, ପୌରାଣିକ କ୍ଷେତ୍ର ଭଳି ଏକାଧିକ ମାନ୍ୟତା ପାଇଥିଲେବି ପରିବହନର ଅସୁବିଧା ପୀଠକୁ ଭକ୍ତ ଓ ପରିବ୍ରାଜକଙ୍କଠାରୁ ଦୂରେଇ ନେଇଛି ।

ସରକାର ଅତି ଉତ୍ତମ ମାନର ରାସ୍ତା ବିଜୁ ପକ୍କା ସଡ଼କ ନିର୍ମାଣ କରି ଗମନାଗମନର ସୁବନ୍ଦୋବସ୍ତ କରିଥିଲେବି ଯାତ୍ରୀ ପରିବହନ ବ୍ୟବସ୍ଥାର ଅଭାବ ପୀଠକୁ ଅପହଞ୍ଚ କରିଦେଇଛି । ନୃସିଂହନାଥ ମନ୍ଦିର ପ୍ରଶାସନ ସମେତ ଜଙ୍ଗଲ ବିଭାଗ, ବରଗଡ଼ ପ୍ରଶାସନ ତରଫରୁ ଏକାଧିକ ରହଣୀ ସ୍ଥଳ ନିର୍ମାଣ କରାଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ସେଠି ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଖଞ୍ଜି ଦେଇଥିଲେବି ସେଠି ପହଞ୍ôଚବା ପାଇଁ କୌଣସି ସ୍ଥାୟୀ ଓ ଭରସାମନ୍ଦ ବ୍ୟବସ୍ଥା ନଥିବାରୁ ସଂସ୍କୃତିପ୍ରେମୀ ଓ ପର୍ଯର୍୍ୟଟକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କାଁ ଭାଁ ଗୋଟେ ଦୁଇଟି ବେସରକାରୀ ବସ, ଜିପ ଆଦି ଚଳାଚଳ କରୁଥିଲେ ମଧ୍ୟ କାହାରି ଗ୍ୟାରେଣ୍ଟି ନଥିବାରୁ ଇଚ୍ଛୁକ ଲୋକେ ମନମାରି ଦେଉଛନ୍ତି । ୩ରୁ ୫ ହଜାର ଟଙ୍କା ବ୍ୟୟରେ ଗାଡ଼ିଭଡ଼ା କରି ଯିବାକୁ ବାଧ୍ୟ ଥିବାରୁ ସିଂହଭାଗ ଆସିବାକୁ ଚାହୁଁ ନାହାନ୍ତି । ଯଦିବା ଗାଡ଼ି ଭଡ଼ା କରିଯାଉଛନ୍ତି, ତେବେ ଭଡ଼ା ଅଧିକ ଥିବାରୁ ଦିନକ ଭିତରେ ବୁଲାବୁଲି, ଗାଧୁଆପାଧୁଆ ସହ ପୂଜାର୍ଚ୍ଚନା ସାରି ମନ୍ଦିର ଭୋଗ ପାଇ ଫେରି ଆସୁଛନ୍ତି । ଫଳରେ ନୃସିଂହନାଥ ତାର ବକ୍ଷରେ ଧରି ରଖିଥିବା ପ୍ରବଳ ତଥ୍ୟର ଉଚିତ ଏକ୍ସପ୍ଲୋର ହୋଇପାରୁନାହିଁ । ଏଭଳି ଦୁଃସ୍ଥିତିକୁ ଦୃଷ୍ଟିରେ ରଖି ବିଗତ ୯୦ ଦଶକରୁ ଗନ୍ଧମାର୍ଦ୍ଧନ ସୁରକ୍ଷା ପରିଷଦ ଓ କୋସଲ ସମନ୍ୱୟ ସମିତି ସମେତ ସଚେତନ ବରଗଡ଼ବାସୀ ନୃସିଂନାଥକୁ ସିଧାସଳଖ ବସ ଚଳାଚଳ ପାଇଁ ଦାବୀ କରି ଆସୁଥିଲେବି ଆଜିଯାଏଁ ଓଟିଡ଼ିସି, ପର୍ଯ୍ୟଟନ ନିଗମ ବା ଅନ୍ୟ କୌଣସି ସରକାରୀ ସଂସ୍ଥା ଆଗେଇ ଆସିନାହାନ୍ତି । ଏପରିକି ରାଜ୍ୟ ସଡ଼କ ପରିବହନ ନିଗମ ଓଏସଆରଟିସି ମଧ୍ୟ ନୃସିଂହନାଥକୁ ସ୍ଥାୟୀ ବସଟେ ଚଳାଇବା ପାଇଁ ଉଚିତ ମଣୁନଥିବାରୁ ସଚେତନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସେହିଭଳି ଗନିଆଁପାଲି ବୌଦ୍ଧବିହାର ମଧ୍ୟ ପର୍ଯ୍ୟଟନଠାରୁ ଦୂରେଇ ଯାଇଛି । କାଁ ଭାଁ କୋଉଠୁ ଶୁଣାଶୁଣି କରି ଗନିଆଁପାଲିକୁ ବୁଦ୍ଧ ଗବେଷକ ଓ ପର୍ଯ୍ୟଟକମାନେ ଧାଇଁ ଆସୁଥିଲେବି ପର୍ଯ୍ୟାପ୍ତ ସୁବିଧାର ଅଭାବରୁ କିଛି ସମୟ ରହି ଫେରିବାକୁ ବାଧ୍ୟ ହୋଇଯାଉଛନ୍ତି । ଗମନାଗମନ ପାଇଁ ନା ଉତ୍ତମ ସଡ଼କ ଅଛି ନା ଅଛି ପରିବହନ ବ୍ୟବସ୍ଥା । ୨୪ ଘଣ୍ଟାରେ ଚଳାଚଳ କରୁଥିବା ଗୋଟିଏ ମାତ୍ର ବସ ସ୍ଥାନୀୟ ଅଧିବାସୀଙ୍କ ପାଇଁ ନିଅଣ୍ଟ ପଡ଼ୁଥିବା ବେଳେ ନିଜ ସାଧ୍ୟରେ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ରହିବା ତ ଦୂରର କଥା, ଖାଇବା ପିଇବା ପାଇଁ ସାଧାରଣ ହୋଟେଲଟେବି ନଥିବାରୁ ସ୍ଥିତି ବେଶ କଳନୀୟ । ନା ପ୍ରଶାସନିକ ଅଧିକାରୀମାନେ ସ୍ଥିତି ପରିଦର୍ଶନ ପାଇଁ ଆସୁଛନ୍ତି ନା ପର୍ଯ୍ୟଟନ ବା ସଂସ୍କୃତି ବିଭାଗ । ସଂସ୍କୃତି ବିଭାଗ କେବଳମାତ୍ର ସାଇନବୋର୍ଡ଼ଟେ ମାରି ତାର କାମ ସାରି ଦେଇଥିବା ବେଳେ ଗନିଆଁପାଲି ବଦଳରେ ଗଣିଆପାଲି ଲେଖା ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅଶାନ୍ତି ବାରି ହୋଇଯାଉଛି । ବୁଦ୍ଧ ପୂର୍ଣ୍ଣିମା ପାଳନ ପାଇଁ ପୀଠଟି ଆସନ୍ତାକାଲି ଚଳଚଂଚଳ ହେବାକୁ ଥିଲେବି ବରଗଡ଼ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ସେହିଭଳି ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଗେଜେଟରେ ପୀଠଟି ସ୍ଥାନ ସୁଦ୍ଧା ପାଇନଥିବାରୁ ଆନ୍ତର୍ଜାତୀୟ ମାନ୍ୟତ୍‌ା ସମ୍ପନ୍ନ ମୁଛଳିନ୍ଦ ବୌଦ୍ଧକିର୍ତ୍ତୀରାଜି ପ୍ରତି ପ୍ରଶାସନିକ ଉଦନାସୀନତା, ସଂସ୍କୃତି ବିଭାଗର ଅପରଗତା ସ୍ପଷ୍ଟ ହୋଇଯାଉଛି ବୋଲି ଗ୍ରାମବାସୀଙ୍କ ଅଭିଯୋଗ ରାଜ୍ୟ ସରକାରଙ୍କ ପାଇଁ ଆହ୍ୱାନ ପାଲଟିଯାଇଛି । ପର୍ଯ୍ୟଟନ, ସଂସ୍କୃତିର ବିକାଶ ସମେତ ବସ ଚଳାଚଳ କ୍ଷେତ୍ରରେ ମଧ୍ୟ ଉପକୂଳ ଅଞ୍ଚଳ ତୁଳନାରେ ପଶ୍ଚିମାଞ୍ଚଳକୁ କରାଯାଉଥିବା ଅବହେଳା ସ୍ପଷ୍ଟ ଅନୁମେୟ ବୋଲି ଅଭିଯୋଗ କରି ବରଗଡ଼ ଜିଲ୍ଲାର ଯୁବଛାତ୍ର ଓ ସଚେତନବର୍ଗ ଯୁଦ୍ଧକାଳୀନ ଭିତ୍ତିରେ ବରଗଡ଼ରୁ ନୃସିଂହନାଥକୁ ବସ ଚଳାଇବା ପାଇଁ ଦାବୀ କରିଛନ୍ତି । ସେଥିପାଇଁ ଭୁବନେଶ୍ୱରରୁ ଏକ ଯୋଡ଼ା ଓଟିଡ଼ିସି ବସ ସମେତ ବରଗଡ଼ରୁ ନୃସିଂହନାଥକୁ ଦୈନିକ ଦୁଇଯୋଡ଼ା ସରକାରୀ ଏବଂ ବରଗଡ଼ରୁ ନୃସିଂହନାଥକୁ ଶୀତତାପ ନୀୟନ୍ତ୍ରୀତ ଲକ୍ଷ୍ମୀ ବସ ଚଳାଯାଉ ବୋଲି ଦାବୀ କରିବା ପରେ ପ୍ରଶାସନ ଓ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଯାଇଛି ।

error: Content is protected !!