ଗାଇସିଲାଟ – ଗାଇସିଲାଟ ବ୍ଲକ ଅନ୍ତର୍ଗତ ଚିଖିଲି ସ୍ଥିତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାମଲାଲ ବରିହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କ ଦଶମ ବ୍ଳକସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ଧଳ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିବାବେଳେ ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୌଭାଗ୍ୟ ପଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନୀଲ କୁମାର ବେହେରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଜୟକୁମାର ସାହୁ ସଭାରେ ସଭାପତିତ୍ୱ କରିଥିଲେ ।
ଗତ ମାସର ସଭା ଆୟୋଜନ କରିଥିବା କଟାବାହାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ବାରିକ ପ୍ରଧାନ ଶିକ୍ଷକମାନଙ୍କଦ୍ଵାରା ଦିଆଯାଇଥିବା ପରାମର୍ଶ ଉପରେ ନେଇଥିବା କାର୍ଯ୍ୟାନୁଷ୍ଠାନର ତଥ୍ୟ ଉପସ୍ଥାପନ କରିଥିଲେ । ବ୍ଲକ୍ ଏମ୍.ଆଇ.ଏସ୍. ସଂଯୋଜକ ଶ୍ରୀ ନବୀନ ଭୋଇ ୟୁ-ଡାଇସ୍ ପ୍ଲସ୍ ବିଷୟରେ ପ୍ରଧାନଶିକ୍ଷକମାନଙ୍କୁ ବୁଝାଇଥିଲେ ଓ ୟୁଡାଇସ୍ ଅପଡେଟ୍ ସ୍ଥିତି ପଚାରି ବୁଝିଥିଲେ । ଏ.ବି.ଇ.ଓ. ଶ୍ରୀଯୁକ୍ତ ଜୟକୁମାର ସାହୁ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଏବଂ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପାଇଁ ପ୍ରସ୍ତୁତି ବିଷୟ ଆଲୋଚନା କରିଥିଲେ ।ସାଧନକର୍ମୀ ବୁରୋମୁଣ୍ଡା ରାଜକୁମାର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ଉତ୍କର୍ଷ କାର୍ଯ୍ୟକ୍ରମ, ମାସିକ ପାଠ୍ୟକ୍ରମ ଯୋଜନା ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ ବିଷୟରେ ଆଲୋଚନା କରିଥିଲେ ।
ଅନ୍ୟତମ ସାଧନକର୍ମୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ହୋତା ଆକାଂକ୍ଷୀ କାର୍ଯ୍ୟକ୍ରମ, କ୍ଲବର କାର୍ଯ୍ୟକାରିତା ଏବଂ ଖାନ୍ ଏକାଡେମିର ଗଣିତ ଦକ୍ଷତା ବୃଦ୍ଧି ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଶେଷରେ ସମସ୍ତ ପ୍ରଧାନ ଶିକ୍ଷକ ଆୟୋଜକ ବିଦ୍ୟାଳୟର ପରିଦର୍ଶନ କରି ନିଜ ନିଜ ମତାମତ ରଖିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ଚିତ୍ତାକର୍ଷକ ସ୍ବାଗତ ଓ ବିଦାୟ ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚିଖିଲିର ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ସହଯୋଗରେ ସଫଳ ହୋଇଥିଲା । ଶେଷରେ ଡାଙ୍ଗବାହାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।