ଗାଇସିଲାଟ-ବରଗଡ ଜିଲ୍ଲା ଗାଇସିଲାଟ ପଞ୍ଚାୟତ ସମିତିର ସାଧାରଣ ୯ ତମ ଅଧିବେଶନ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ସମିତି ଅଧୀନସ୍ଥ ୧୯ ଟି ପଞ୍ଚାୟତର ସମିତିସଭ୍ୟ ଓ ସରପଞ୍ଚଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ବିଧାୟକ ସନତ କୁମାର ଗଡିତିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ବିକଶିତ ଗାଁ ବିକଶିତ ଓଡ଼ିଶା ଏବଂ ବ୍ଳକସ୍ତରୀୟ ସମସ୍ତ ଉନ୍ନୟମୂଳକ କାର୍ୟ୍ୟର ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ।

ବିଭିନ୍ନ ବିଭାଗ ଯଥା ସାଧାରଣ ବଣ୍ଟନ , ଶିକ୍ଷା, ସମାଜ କଲ୍ୟାଣ, କୃଷି ଉଦ୍ୟାନ, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ମତ୍ସ୍ୟ ଚାଷ, ଗ୍ରାମ୍ୟ ଉନ୍ନୟନ୍ନ, ପୂର୍ତ୍ତ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ବିଦ୍ୟୁତ୍, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ସମସ୍ତ ଉନ୍ନୟନ୍ନ ମୂଳକ ପ୍ରକଳ୍ପ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

ବିଶେଷ କରି ମନରେଗା ଯୋଜନା ରେ ସରକାରଙ୍କ ନିୟମ ଅନୁସାରେ ଅଣକୁଶଳୀ ୬୦% ଓ ସାମଗ୍ରୀ ୪୦% ହିସାବରେ କୌଣସି କାମ ଅନୁମୋଦନ ନ ହେବାରୁ କୌଣସି ଉନ୍ନୟନ ମୂଳକ କାମ ହୋଇ ପାରୁନାହିଁ ବୋଲି ସରପଞ୍ଚ ଓ ସମିତି ସଭ୍ୟ,ସଭ୍ୟା ମାନେ କ୍ଷୋଭ ପ୍ରକାଶ କରିଥିଲେ । ପରେ ଏହା ଉପୋରକ୍ତ ଅଧିକାରୀଙ୍କ ସହିତ କଥା ବାର୍ତ୍ତା ହୋଇ ଏହାର ସମାଧାନ କରିବା ପାଇଁ ବିଡିଓ ମହାଶୟ ପ୍ରତିଶ୍ରୁତି ଦେଇଥିଲେ ।

ଏହି ସାଧାରଣ ବୈଠକରେ ପ୍ରଥମେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପାଣ୍ଡବ ନନ୍ଦ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ନିଲମଣି ବରିହା, ଜିଲ୍ଲାପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ , ଏମ.ପି ନମିନି ଘନ ଶ୍ୟାମ ସାହୁ , ବ୍ଲକ ସହକାରୀ କୃଷି ଅଧିକାରୀ ମଧୁସ୍ମିତା ମିଶ୍ର, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସବିତା ସାହୁ ଓ ଅନ୍ୟବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ପରିଶେଷରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀଷ୍ମ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।


