ଗାଇସିଲେଟ-ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ କେନ୍ଦୁମାଲ ଗ୍ରାମର ଖେଳ ପଡିଆଠାରେ ରୋଜଗାର ଦିବସ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଅର୍ପିତା ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏପିଓ କେତନ ପଧାନ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଏସିପି ରାଜେନ୍ଦ୍ର ପଣ୍ଡା,ପିଇଓ କାର୍ତିକେଶ୍ଵର ବେହେରା,ଗ୍ରାମ ରୋଜଗାର ସେବକ ରୀନା ପାଣ୍ଡେ ପ୍ରମୁଖ ଯୋଗ ଦେଇଥିଲେ ।ପ୍ରତ୍ୟେକ ଅଣକୁଶଳୀ ଶ୍ରମିକମାନଙ୍କୁ କାର୍ଯ୍ୟ ଯୋଗାଇ ଦେବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଇଚ୍ଛୁକ ଥିବା ଅଣକୁଶଳୀ ଶ୍ରମିକମାନଙ୍କୁ କାର୍ଯ୍ୟ ଆବେଦନ କରିବାର ସୁଯୋଗ ଦେବା ସହିତ ମହଜୁଦ ଥିବା ପ୍ରକଳ୍ପ ବିଷୟରେ ଅବଗତ କରିବା ସହ ବିଭିନ୍ନ ଆପତ୍ତି ଅଭିଯୋଗର ସମାଧାନ ମଧ୍ୟ କରାଯାଇଥିଲା ।

ଦାଦନ ନ ଯାଇ ଗାଁରେ ରହି କାମ କରିବା ପାଇଁ ଶ୍ରମିକମାନଙ୍କୁ ଏପିଓ ଶ୍ରୀଯୁକ୍ତ ପଧାନ ପରାମର୍ଶ ଦେଇଥିଲେ । ତେବେ ସରପଞ୍ଚ ଅର୍ପିତା ପଣ୍ଡା ନିଜ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଆଠ ଗୋଟି ଗ୍ରାମର ଶ୍ରମିକ ମାନେ କିଭଳି ଭାବରେ ଅଧିକରୁ ଅଧିକ କାମ ପାଇ ପାରିବେ ଏବଂ ବ୍ୟକ୍ତିଗତ ସ୍ତରରେ ମନରେଗା ଯୋଜନାରେ କାମ କରୁଥିବା ସମସ୍ତ ଶ୍ରମିକ ମାନଙ୍କୁ ଗାଈ ଗୁହାଳ,ଛେଳି ଗୁହାଳ,ଫାର୍ମ ପଣ୍ଡ,ଜମି ମରାମତି ଆଦି କାର୍ଯ୍ୟ ଯୋଗାଇଦେବା ପାଇଁ ଏପିଓଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ମେଟ ସରୋଜ କୁମାର ମିଶ୍ର,ହେମାସାଗର ବଢେଇ,ସାବିତ୍ରୀ ସାହୁ ଗ୍ରାମର ପ୍ରାୟ ଶତାଧିକ ଶ୍ରମିକମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ସମାରୁ ସାହୁ ପରିଚାଳନା କରିଥିବା ବେଳେ ପରିଶେଷରେ ନାଏବ ସରପଞ୍ଚ ଉପେନ୍ଦ୍ର ବିଭାର ଧନ୍ୟବାଦ ଅର୍ପଣ କରିଥିଲେ ।



