ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡ ଗ୍ରାମ ଦୁର୍ଗାପୂଜା ଉପଲକ୍ଷେ ଆନ୍ତ ରାଜ୍ୟ କବାଡି ପ୍ରତିଯୋଗିତା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହୋଇଥିଲା। ଆଜି ଖେଳର ଫାଇନାଲ ଅନୁଷ୍ଠିତ ହୋଇଥିଲା। ହେଲେ ମୃତ୍ୟୁ ଏମିତି ବି ଆସେ ଶୁଣିଲେ ବିଶ୍ୱାସ ହେଉନାହିଁ। ତରବୋଡ ଗ୍ରାମର ସାପ୍ତାହିକ ବଜାର ପ୍ରାଙ୍ଗଣରେ ପଡୋଶୀ ରାଜ୍ୟ ଛତିଶଗଡ଼ ମହାସମୁନ ଜିଲ୍ଲା ଡୁଡୁମଚୂଆଁ- ହାତିସରା ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେଉଥିଲା।
ଡୁଡୁମଚୂଆଁ ଦଳର ଖଗେଶ୍ୱର ରାଠିଆ ନାମକ ୨୬ ବର୍ଷର ଖେଳାଳି ନିଜ ରାଗ ଧରି ବିପକ୍ଷ ଦଳକୁ ଯାଇଥିଲେ। ସେଠାରେ ରାଗ ନେଇ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ପଡିଆରେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ତରବୋଡ଼ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।
ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ପ୍ରକାଶ। ଫାଇନାଲ ଖେଳ ଆଉ ମାତ୍ର କିଛି ସମୟ ବାକି ରହିଥିଲା। ଗୋଟିଏ ଖେଳାଳିଙ୍କ ଖେଳ ପଡିଆରେ ମୃତ୍ୟୁ ହେବା ନେଇ ଆୟୋଜକ କମିଟି ସହ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଅଛି। ଟୁର୍ଣ୍ଣାମେଣ୍ଟରେ ମୋଟ ୨୧ ଗୋଟି ଦଳ ଯୋଗ ଦେଇଥିଲେ।