Thursday, December 26, 2024
spot_imgspot_imgspot_img
Homeରାଜ୍ୟଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ – ବିଦାୟୀ ରାଜ୍ୟପାଳ ରଘୁବର ଦାସ ।

ଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ – ବିଦାୟୀ ରାଜ୍ୟପାଳ ରଘୁବର ଦାସ ।

ଭୂବନେଶ୍ୱର- ଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ ବୋଲି ବିଦାୟୀ ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ଓଡ଼ିଶାବାସୀ ତାଙ୍କୁ ଯେଉଁ ଅପାର ସ୍ନେହ, ଶ୍ରଦ୍ଧା ଓ ଖୁସି ପ୍ରଦାନ କରିଛନ୍ତି ସେଥି ନିମନ୍ତେ ସେ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟଯେ ବିଦାୟୀ ରାଜ୍ୟପାଳ ଶ୍ରୀ ଦାସ ବ୍ୟକ୍ତିଗତ କାରଣରୁ ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ମାନ୍ୟବର ରାଷ୍ଟ୍ରପତି ମହୋଦୟା ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି। ତାଙ୍କ ପ୍ରତି ଭରଷା ପ୍ରକଟ କରିବା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ସେବାର ସୁଅବସର ପ୍ରଦାନ କରିଥିବାରୁ ସେ ମାନ୍ୟବର ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ବିଦାୟୀ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ଓଡ଼ିଶାରେ ୧୩ ମାସରୁ ଅଧିକ ସମୟ ବିତାଇବା ପରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି ଗଭୀର କୃତଜ୍ଞତା ଓ ସମ୍ମାନ ସହିତ ବିଦାୟ ନେଉଛନ୍ତି।

ଏହି ରାଜ୍ୟ ପ୍ରାକୃତିକ ସମ୍ବଳ, ଅଦ୍ୱିତୀୟ ପ୍ରାକୃତିକ ସୁନ୍ଦରତା, ସୁବିସ୍ତୀର୍ଣ୍ଣ ସମୁଦ୍ର ତଟ, ସବୁଜ ବନାନୀ ଓ ଭବ୍ୟ ମନ୍ଦିର ପାଇଁ ସୁପ୍ରସିଦ୍ଧ। ନିଜର ସମୃଦ୍ଧ ସଂସ୍କୃତି, ଗୌରବଶାଳୀ ପରମ୍ପରା ପାଇଁ ଓଡ଼ିଶା ନିଜର ପରିଚୟ ସୃଷ୍ଟି କରିଛି। ଓଡ଼ିଶାର ଲୋକମାନଙ୍କ ଉତ୍ସାହ, ଅତୁଳନୀୟ ଆତିଥ୍ୟ ତାଙ୍କ ହୃଦୟରେ ଗଭୀର ଛାପ ଛାଡ଼ିଛି ବୋଲି ସେ ପ୍ରକାଶ କରିଛନ୍ତି। ପରମ୍ପରାକୁ ପାଥେୟ କରି ପ୍ରଗତି ଆଡ଼କୁ ଅଗ୍ରସର ହେବାରେ ଓଡ଼ିଶାର ପ୍ରଚେଷ୍ଟା ଓ ସଫଳତା ବାସ୍ତବିକ୍ ପ୍ରେରଣାଦାୟୀ। ମୁଁ ଓଡ଼ିଶାବାସୀଙ୍କର ଅଦମ୍ୟ ଭାବନାକୁ ଅତି ନିକଟରୁ ଦେଖିଛି ।

ଆହ୍ୱାନକୁ ସମ୍ମୁଖୀନ କରିବା, ପର୍ବପର୍ବାଣୀରେ ଉଲ୍ଲସିତ ହେବା ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମିଳିମିଶି କାମ କରିବା ଓଡ଼ିଶାବାସୀଙ୍କର ବିଶେଷ ପରିଚୟ। ଓଡ଼ିଶାବାସୀଙ୍କର ସେବା କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ବିଦାୟୀ ରାଜ୍ୟପାଳ କହିଛନ୍ତି। ଏବେ ସେ ବିଦାୟ ନେବାବେଳେ ଓଡ଼ିଶା ଓ ଏଠାକାର ଲୋକମାନଙ୍କ ସହ ତାଙ୍କର ସୁଖଦ ସ୍ମୃତି ଓ ଅନୁଭୁତି ଏବଂ ସେମାନଙ୍କ ପ୍ରତି ଗଭୀର ସମ୍ମାନ ସର୍ବଦା ତାଙ୍କ ସହିତ ରହିଥିବ। ପରିଶେଷରେ ବିଦାୟୀ ରାଜ୍ୟପାଳ ଶ୍ରୀ ଦାସ ଓଡ଼ିଶାର ନିରନ୍ତର ବିକାଶ ଓ ସମୃଦ୍ଧି କାମନା କରିଛନ୍ତି।

error: Content is protected !!