Saturday, March 7, 2026
Homeଅଘଟଣଅବସରପ୍ରାପ୍ତ ଶିକ୍ଷକ ତଥା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସଦସ୍ଯ ଚନ୍ଦ୍ରମଣି ସାହୁଙ୍କ ପରଲୋକ।

ଅବସରପ୍ରାପ୍ତ ଶିକ୍ଷକ ତଥା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସଦସ୍ଯ ଚନ୍ଦ୍ରମଣି ସାହୁଙ୍କ ପରଲୋକ।

ପଦ୍ମପୁର-ପଦ୍ମପୁର ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଚନ୍ଦ୍ରମଣି ସାହୁଙ୍କ ବୁଧବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି। ସତୀଭଟା ଠାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଦ୍ବାରା ଆୟୋଜିତ ମକର ସଂକ୍ରାନ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ସତୀଭଟା ରୁ ପଦ୍ମପୁରକୁ ସାଇକେଲ ରେ ଫେରିଲା ସମୟରେ ପଛ ପଟୁ ଏକ ମୋଟର ସାଇକେଲ ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଦୁର୍ଘଟଣା ସ୍ଥଳରେ ଥିବା କିଛି ବ୍ୟକ୍ତି ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ସ୍ଥିତ ଡାକ୍ତରଖାନାକୁ ପହଞ୍ଚାଇ ଥିଲେ। ମାତ୍ର କିଛି ସମୟ ମଧ୍ୟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବାଇକରେ ଥିବା ତିନିଜଣଙ୍କ ମଧ୍ୟରୁ ଜଣେ ଗମ୍ଭୀର ଭାବେ ଆହତ ଥିବା ବେଳେ ଅନ୍ୟ ଦୁଇଜଣଙ୍କ ସନ୍ଧାନ ମିଳି ନାହିଁ। ଶ୍ରୀ ସାହୁ ଜଣେ ଅବସରପ୍ରାପ୍ତ ସରକାରୀ ଶିକ୍ଷକ ଥିବା ସହ ନିଜର ଜୀବନକୁ ଦେଶ ସେବା ପାଇଁ ସମ୍ପୂର୍ଣ୍ଣ ସମର୍ପିତ କରିଦେଇଥିଲେ।

ବାଲ୍ୟକାଳରୁ ହିଁ ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସହିତ ଜଡ଼ିତ ହୋଇ ସମାଜସେବାରେ ବ୍ରତୀ ହୋଇଯାଇଥିଲେ। ସାମାଜିକ ଜୀବନରେ ବିଭିନ୍ନ ସଙ୍ଗଠନ ସହିତ ଜଡ଼ିତ ରହିଥିବା ଚନ୍ଦ୍ରମଣି ସାହୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ବିଭିନ୍ନ ଦାୟିତ୍ୱ ନିର୍ବାହ କଲା ପରେ ବରଗଡ଼ ଜିଲ୍ଲାର ଜିଲ୍ଲା କାର୍ଯ୍ୟବାହ, ଜିଲ୍ଲା ସଂଘ ଚାଳକ ଭଳି ଅନେକ ଗୁରୁଦାୟିତ୍ୱରେ ରହିଥିଲେ ଏବଂ ଜୀବନର ଶେଷ ମୁହୂର୍ତ୍ତ ଯାଏଁ ମଧ୍ୟ ଜିଲ୍ଲା ସଦଭାବନା ପ୍ରମୁଖ ଭାବରେ କାର୍ଯ୍ୟରତ ଥିଲେ। ସେ ଜଣେ ଅତ୍ୟନ୍ତ ସରଳ, ନିଷ୍କପଟ, ମିଷ୍ଟଭାଷୀ ତଥା ନିଃସ୍ୱାର୍ଥପର ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ। ତାଙ୍କର ଶାନ୍ତ ସ୍ୱଭାବ ତଥା ସାଧାରଣ ଓ ନିରାଡ଼ମ୍ବର ଜୀବନଶୈଳୀ ସମସ୍ତଙ୍କୁ ବେଶ ପ୍ରଭାବିତ କରୁଥିଲା।

ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସକାରାତ୍ମକ ଭାବରେ କାମ କରିବାକୁ ସମସ୍ତଙ୍କୁ ସେ ପ୍ରେରଣା ଦେଉଥିଲେ। ତାଙ୍କର ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଦେଶସେବା ଏବଂ ଧର୍ମରକ୍ଷାରେ ସେ ନିୟୋଜିତ କରିଦେଇଥିଲେ। ତାଙ୍କର ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ନିଜସ୍ଵ ଘର ନିକଟବର୍ତ୍ତୀ ସତୀଭଟାରେ ଥିବା ବେଳେ ଶ୍ରୀ ସାହୁ ବିଗତ କିଛି ବର୍ଷ ହେଲା ପଦ୍ମପୁରରେ ଘର ତିଆରି କରି ବସବାସ କରୁଥିଲେ। ତାଙ୍କର ଦେହାନ୍ତର ଖବର ପାଇ ବହୁ ଦୂର ଦୁରାନ୍ତରୁ ଅନେକ ଲୋକ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ। ପୈତୃକ ଗ୍ରାମ ସତୀଭଟା ଠାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା, ଯେଉଁଥିରେ ତାଙ୍କର ପୁତ୍ର ବେଦମିତ୍ର ମୁଖାଗ୍ନି ଦେଇଥିବା ବେଳେ ନୂଆପଲି ସ୍ଥିତ ନବପ୍ରଭାତ ଗୁରୁକୂଳ ଆଶ୍ରମର ବ୍ରହ୍ମଚାରୀ ମାନେ ବୈଦିକ ରୀତିରେ ଅନ୍ତିମ ସଂସ୍କାରର ବିଧି ସମ୍ପନ୍ନ କରିଥିଲେ। ସେ ତାଙ୍କ ପଛରେ ନିଜର ସ୍ତ୍ରୀ, ଜଣେ ପୁଅ ଓ ଜଣେ ଝିଅଙ୍କୁ ଛାଡ଼ି ଚାଲିଯାଇଛନ୍ତି।

error: Content is protected !!