ପଦ୍ମପୁର-ବର୍ତ୍ତମାନ ବରଗଡ଼ ଜିଲ୍ଲାରେ ବେଆଇନ ନିଶା କାରବାର ବୃଦ୍ଧି ପାଉଥିବାରୁ ତାହାର ବିଭିନ୍ନ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ନିଶାଶକ୍ତ ଡ୍ରାଇଭର ମାନେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅନେକ କ୍ଷୟକ୍ଷତି ଘଟୁଛି।ଅନେକ ଧନଜୀବନ ନଷ୍ଟ ମଧ୍ୟ ହେଉଛି।ଏହାଛଡ଼ା ଅପରାଧ ନିୟନ୍ତ୍ରଣରେ ପୋଲିସର ନିଷ୍କ୍ରିୟତା ମଧ୍ୟ ପଦାରେ ପଡ଼ୁଛି ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି। ଏମିତି ଘଟଣା ଦେଖିବାକୁ ମିଳିଛି ପଦ୍ମପୁର ଅଞ୍ଚଳରେ। ଗତ ୨୪ ତାରିଖ ମଧ୍ୟାହ୍ନ ୧୨ ଟା ସମୟରେ ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଖଇରପାଲି ଗ୍ରାମରେ ପପୁ ମେହେର ନାମକ ଗୋଟିଏ ଚାରି ବର୍ଷର ଛୁଆ ଘର ସାମ୍ନାରେ ଖେଳୁଥିବା ସମୟରେ ହଟାତ ଏକ ବୋଲେରୋ ଗାଡି ଆସି ଛୁଆ କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।

ପରିବାର ଲୋକ ତୁରନ୍ତ ହସ୍ପିଟାଲ ନେଇଥିଲେ, ବର୍ତ୍ତମାନ ଛୁଆ ର ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି। ପରିବାର ଲୋକ ଉଚ୍ଚ ତର ଚିକିତ୍ସା ସହ ଫେରାର ଗାଡି ଚାଳକ କୁ ଧରାଯାଉ ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ, ହେଲେ କିଛି ସୁଫଳ ମିଳିନପାରିବାରୁ ଗ୍ରାମର ଶତାଧିକ ମହିଳା ପୁରୁଷଙ୍କ ସମେତ ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ଵର ପଦ୍ମପୁର ଆଦର୍ଶ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଉପଯୁକ୍ତ ଚିକିତ୍ସା ସହ ଫେରାର ହୋଇଥିବା ଗାଡି ଚାଳକକୁ ଧରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ୨୪ ଘଣ୍ଟା ମଧ୍ଯରେ ଦୋଷୀକୁ ଗିରଫ କରିବା ପାଇଁ ପ୍ରତିଶୃତି ଦେବା ପରେ ଦୀର୍ଘ ପାଞ୍ଚ ଘଣ୍ଟା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା ।


