ଗାଇସିଲେଟ-ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବ ରେ ନବ ନିର୍ବାଚିତ ବରଗଡ଼ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କୁ କ୍ଳବର ସମ୍ପାଦକ କାହ୍ନୁ ଚରଣ ମାଝି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ଦେବଦତ୍ତ କ୍ଲବ ସମ୍ପାଦକ ଶ୍ରୀଯୁକ୍ତ କାହ୍ନୁ ଚରଣ ମାଝି ଦେବଦତ୍ତ କ୍ଲବ ର କାର୍ଯ୍ୟକ୍ରମ ବିଷୟରେ ସାଂସଦ ମହୋଦୟଙ୍କୁ ଅବଗତ କରିଥିଲେ । ୧୯୯୨ ମସିହା ରେ କାହ୍ନୁ ଚରଣ ମାଝୀଙ୍କ ନେତୃତ୍ୱରେ ଗ୍ରିଣ୍ଡୋଲମାଲ ଗ୍ରାମର କିଛି ଯୁବକଙ୍କୁ ନେଇ ଗଢ଼ି ଉଠିଥିଲା ଦେବଦତ୍ତ କ୍ଲବ ।
୩୨ ବର୍ଷ ଧରି ପ୍ରଥମେ ବରଗଡ଼ ଜିଲ୍ଲା ରୁ ଆରମ୍ଭ କରି ପରେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବାରେ ନିରନ୍ତର ପ୍ରୟାସ କରିଆସୁଅଛି । ବିଭିନ୍ନ ସରକାରୀ ବେସରକାରୀ ଅନୁଦାନକାରୀ ସଂସ୍ଥା ମାନଙ୍କ ମାଧ୍ୟମ ରେ ଅନୁଦାନ ଆଣି ଅନେକ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ କରିବାରେ ସହାୟକ ହୋଇଛି । ଗ୍ରାମାଞ୍ଚଳ ଲୋକଙ୍କ ବିକାଶ ଯଥା ଦାଦନ ଶ୍ରମିକଙ୍କ ସୁରକ୍ଷା, ନାରୀ ସୁରକ୍ଷା,ପରିବେଶ ସୁରକ୍ଷା,ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା,ପ୍ରାକୃତିକ ସମ୍ପଦର ସଦବିନିଯୋଗ,ମହିଳା ଓ ଶିଶୁ ମାନଙ୍କ ଅଧିକାର,ସ୍ବାସ୍ଥ୍ୟ,ପରିମଳ,ଆଦିବାସୀ ମାନଙ୍କ ବିକାଶ,ମିଲେଟ ମିଶନ,ଜଳ ବିଭାଜିକା,ଚାଷୀ ଓ ପାରମ୍ପାରିକ ଚାଷ ଉପରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଲୋକଙ୍କ ମାଧ୍ୟମ ରେ କରିଆସୁଅଛି ।
ତେବେ ସାଂସଦ ଶ୍ରୀଯୁକ୍ତ ପୁରୋହିତ ଦେବଦତ୍ତ କ୍ଲବ ବିଷୟରେ ପୂର୍ବରୁ ଜାଣିଥିବା ସହ ଏଭଳି କାର୍ଯ୍ୟ ପାଇଁ କ୍ଲବର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଦେବା ସହ ଆଗାମୀଦିନରେ ଦେବଦତ୍ତ କ୍ଲବର ଉତ୍ତୋରତ୍ତର କାମନା କରିଥିଲେ । ବର୍ତମାନ ସମୟରେ NGO ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କିଭଳି ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବାରେ ଦେବଦତ୍ତ କ୍ଲବ ସଫଳ ହେବ ସେଥିପାଇଁ ସାଂସଦ ଭାବରେ ସବୁବେଳେ ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ଶ୍ରୀଯୁକ୍ତ ପୁରୋହିତ ପ୍ରକାଶ କରିଥିଲେ । ପରିଶେଷରେ ଶେଷଦେବ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।