ସୁବିଧା ମୋବାଇଲ ଆପ୍ ବିଷୟରେ ତାଲିମ ନେଲେ ଜିଲା ସ୍ତରୀୟ ଅଧିକାରୀ ।
ବରଗଡ଼ – ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଦିତ୍ୟ ଗୋଏଲଙ୍କ ତତ୍ୱାବଧାନରେ ସମସ୍ତ ଜିଲାସ୍ତରୀୟ ଅଧିକାରୀ, ପୋଲିସ ବିଭାଗ, ବିଡ଼ିଓ ଏବଂ ତହସିଲଦାରଙ୍କ ପାଇଁ ସୁବିଧା ଆପ୍ ଏବଂ ଏହାର କାର୍ଯ୍ୟକାରିତା ବିଷୟରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି I ନିର୍ବାଚନ ଆୟୋଗ ଦ୍ୱାରା ବିକଶିତ ହୋଇଥିବା ଏହି ମୋବାଇଲ୍ ଆପ୍ଲିକେସନ୍ କିଭଳି ବ୍ୟବହାର କରିବା, ନାମାଙ୍କନ ଏବଂ ଅନୁମତି ପ୍ରକ୍ରିୟାରେ ପ୍ରାର୍ଥୀଙ୍କୁ ସାହାଯ୍ୟ କରିବା, ଆକାଉଣ୍ଟ୍ ସୃଷ୍ଟି କରି ପରିଚୟପତ୍ର ସହିତ କିଭଳି ଲଗ୍ ଇନ୍ କରିବା, ପ୍ରାର୍ଥୀଙ୍କ ନାମାଙ୍କନ ପରେ ଅନୁମତି କିଭଳି ଦେବା, ମତଦାନ ଦିବସର କାର୍ଯ୍ୟକଳାପ ଏବଂ ଭୋଟ ଗଣନା, ଇଣ୍ଡେକ୍ସ କାର୍ଡ, ଖର୍ଚ୍ଚ ମନିଟରିଂ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ଉକ୍ତ ତାଲିମ ଶିବିରର ମୁଖ୍ୟ ବିଷୟବସ୍ତୁ ଥିଲା I ସେହିପରି ସାଧାରଣ ନିର୍ବାଚନକୁ ସରଳ ଏବଂ ତୃଟିଶୂନ୍ୟ ଭାବେ ସମାପନ ପାଇଁ ପୁଲିଂ ଓ ପ୍ରିଜାଡିଙ୍ଗ ଅଧିକାରୀଙ୍କ ନିମନ୍ତେ ଆୟୋଜିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ୧୬ ମାର୍ଚ୍ଚରୁ ଆରମ୍ଭ ହୋଇ ୨୧ ମାର୍ଚ୍ଚରେ ସମାପ୍ତ ହୋଇଛି । ଏହି ତାଲିମ୍ ଶିବିର ପାଞ୍ଚୋଟି ପ୍ରଶିକ୍ଷଣ କେନ୍ଦ୍ର ଯଥା- ବରଗଡ ସରକାରୀ ପଲିଟେକ୍ନିକ୍, ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ, ଅଂଚଳ କଲେଜ ପଦ୍ମପୁର, ବିଜେପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଏବଂ ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଦୀର୍ଘ ୬ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ୧୩୯୭ ଗୋଟି ବୁଥ୍ ରେ ସଫଳ ମତଦାନ ନିମନ୍ତେ ସମୁଦାୟ ୧୦୧୧୦ଜଣ ପ୍ରିଜାଇଡିଂ ଏବଂ ପୁଲିଂ ଅଧିକାରୀଙ୍କୁ ତାଲିମ୍ ଦିଆଯାଇଥିବା ବେଳେ ୧୬୭୭ ଜଣ ଲେଖାଏ ପ୍ରିଜାଇଡିଂ ଅଧିକାରୀ, ପ୍ରଥମ ପୋଲିଂ ଅଧିକାରୀ, ଦ୍ଵିତୀୟ ପୋଲିଂ ଅଧିକାରୀ, ତୃତୀୟ ପୋଲିଂ ଅଧିକାରୀ, ଚତୁର୍ଥ ପୋଲିଂ ଅଧିକାରୀ ଏବଂ ପଞ୍ଚମ ପୋଲିଂ ଅଧିକାରୀ ଅଂଶ ଗ୍ରହଣ କରି ନିର୍ବାଚନ ପରିଚାଳନା, ବ୍ୟବସ୍ଥିତ ଭାବେ ପ୍ରଦର୍ଶନ କେନ୍ଦ୍ରରୁ ବୁଥ୍ ପର୍ଯ୍ୟନ୍ତ ଯିବା, ଇଭିଏମ-ଭିଭିପ୍ୟାଟର ସଂଯୋଗ, ଭୋଟ ଗ୍ରହଣ ସମୟରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ଏବଂ ସେକ୍ଟର ଅଧିକାରୀଙ୍କ ସହ ଯୋଗାଯୋଗ ରଖି ସଠିକ ତଥ୍ୟ ଦେବା ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ ନେଇଥିଲେ ।