
ପଦ୍ମପୁର – ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ‘ଆତ୍ମନିର୍ଭର ଭାରତ’ ଅଭିଯାନ ଅନ୍ତର୍ଗତ ଏକ ଭବ୍ୟ ଶପଥ ପାଠ ସମାରୋହ ଅନୁଷ୍ଠିତ ହୋଇଯାଇଛି । “ଆତ୍ମନିର୍ଭର ଭାରତ ଦିଗରେ ଏକ ପଦକ୍ଷେପ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ବର ଦାଶ ସଭାପତିତ୍ୱ କରି ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସେ ନିଜ ଅଭିଭାଷଣରେ କହିଥିଲେ ଯେ, ସ୍ୱଦେଶୀ ଜ୍ଞାନକୌଶଳର ପ୍ରସାର ଓ ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ହିଁ ଏକ ସମୃଦ୍ଧ ଭାରତ ଗଠନର ମୂଳଦୁଆ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିକ୍ଷକ କର୍ମଚାରୀ ସଂଘର ସମ୍ପାଦକ ସନ୍ତୋଷ କୁମାର ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ ।

ଦେଶକୁ ଆର୍ଥିକ ଓ ଶିଳ୍ପ କ୍ଷେତ୍ରରେ ସ୍ୱୟଂସମ୍ପୂର୍ଣ୍ଣ କରିବା ପାଇଁ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଏବଂ ଶତାଧିକ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଏକ ସାମୂହିକ ଶପଥ ପାଠ କରିଥିଲେ । ଶେଷରେ ଶିକ୍ଷକ କର୍ମଚାରୀ ସଂଘର ସଭାପତି ପ୍ରମୋଦ କୁମାର ତ୍ରିପାଠୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଭାରତକୁ ବିଶ୍ୱସ୍ତରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଢ଼ିତୋଳିବା ପାଇଁ ଯୁବପିଢ଼ିର ଦୃଢ଼ ସଂକଳ୍ପ ଓ ନିଷ୍ଠା ଅପରିହାର୍ଯ୍ୟ ବୋଲି ଏହି ଅବସରରେ ମତପ୍ରକାଶ ପାଇଥିଲା । ଏହି ସମାରୋହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ସ୍ୱଦେଶୀ ଚେତନା ଜାଗ୍ରତ କରିବାରେ ସଫଳ ହୋଇଥିଲା ।



