
ପଦ୍ମପୁର-ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ସରକାରୀ ଉଚ୍ଚ ବିଦ୍ୟାଳୟ ଚର୍ଦ୍ଦାପାଲି ବରଗଡ଼ ଜିଲ୍ଲା ଠାରେ ସୋମବାର ଦିନ ଏକ ବିଦ୍ୟାଳୟ ସ୍ତରୀୟ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତିକ ସ୍ବିସ ପଦ୍ଧତିରେ ଖେଳାଯାଇଥିବା ଛଅ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ୧୫ ଜଣ ଛାତ୍ରୀ ଏବଂ ୨୬ ଜଣ ଛାତ୍ର ଭାଗ ନେଇଥିଲେ।ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଶ୍ରୀ କାର୍ତ୍ତିକ ଶିକା ଏ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ୫.୫ ପଏଣ୍ଟ ପାଇ ଚମ୍ପିଆନ ହୋଇଥିବା ବେଳେ ଶ୍ରୀ ଡୋଳାମଣି ଭୋଇ ଓ ଜିତେନ୍ଦ୍ର ବରିହା ୪.୫ ପଏଂଟ ଲେଖାଏଁ ପାଇ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଲାଭ କରିଥିଲେ।

ଚତୁର୍ଥରୁ ଏକାଦଶ ସ୍ଥାନ ପାଇ ପୁରସ୍କାର ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବା ଖେଳାଳୀ ମାନେ ହେଲେ ମୋହିତ ଭୋଇ, ରାଜେଶ ଭୋଇ, ଫକୀର ବିଶ୍ବାଲ, ରିତେଶ କୁମାର ସେଠ, ସଂଯୁକ୍ତା ମହାନନ୍ଦ, ଜାନକୀ ପ୍ରସାଦ ସୁନା, ରେଖା ମହାନନ୍ଦ ଓ ପ୍ରୀତିମୟୀ ତାଣ୍ଡି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦୈତାରୀ ବିଶ୍ବାଲଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏ ଟୁର୍ଣ୍ଣାମେଣ୍ଟକୁ ବରିଷ୍ଠ ଜାତୀୟ ଆର୍ବିଟର କେଶରଂଜନ ପ୍ରଧାନ ପରିଚାଳନା କରିଥିଲେ। ଓଡିଶାର ଉପାନ୍ତ ଅଞ୍ଚଳରେ ଏପରି ଅଭିନବ ପ୍ରୟାସ ନିମନ୍ତେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବାସ୍ତବରେ ଧନ୍ୟବାଦାର୍ହ।



