
ପଦ୍ମପୁର – ରାଜ୍ୟସ୍ତରୀୟ ଭାରତ ସ୍କାଉଟ୍ ଗାଇଡ୍ ଶିବିର ଭୁବନେଶ୍ୱର ୟୁନିଟ୍ ଠାରେ ପାଞ୍ଚ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଉଡାନ୍ ଶିବିରରେ ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଳକର ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତାର ଗାଇଡ୍ କ୍ୟାପଟେନ୍ ସୋନାଲିକା ଶବରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ୭ ଜଣ ଗାଇଡ୍ ଓ ୩ ଜଣ ସ୍କାଉଟ୍ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ୨୫ ଗୋଟି ରାଜ୍ୟ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଏଥି ସକାଶେ ପ୍ରଧାନ ଶିକ୍ଷକ ଶ୍ରୀ କ୍ଷୀରସିନ୍ଧୁ ସୁନାଙ୍କ ଆୟୋଜିତ ସଭାରେ ମୋ ସ୍କୁଲ ଅଭିଯାନର ସଭାପତି ମକରଧ୍ବଜ ବଗାର୍, ପରିଚାଳନା କମିଟି ଅଧ୍ୟକ୍ଷ ଯୁକ୍ତ ଉପେନ୍ଦ୍ର ପଟେଲ, ଉପାଧ୍ୟକ୍ଷା ରୀନା ସିନ୍ଦୂରଙ୍କ ଉପସ୍ଥିତରେ ଗାଇଡ୍ କ୍ୟାପଟେନ୍ ଓ ସ୍କାଉଟ୍ ଗାଇଡ୍ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ବିଜୟର ସଙ୍କେତ ଫଳକ ଓ ପ୍ରମାଣପତ୍ର ପ୍ରଧାନ ଶିକ୍ଷକଙ୍କୁ ଗାଇଡ୍ କ୍ୟାପଟେନ୍ ପ୍ରଦାନ କରିଥିଲେ,ଯାହାକି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯିବ। ଅତିଥି ମାନେ ବିଦ୍ୟାଳୟର ଏତାଦୃଶ ଉନ୍ନତିରେ ପ୍ରଧାନ ଶିକ୍ଷକଙ୍କ ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ଶିକ୍ଷକ ପୁରନ୍ଦର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।



