
ପଦ୍ମପୁର – ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ର ୪୧ ତମ ବାର୍ଷକ କ୍ରୀଡ଼ା ସମାରୋହ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ପ୍ରାରମ୍ଭରେ କଲେଜ ରୋଡ଼ ସ୍ଥିତ କାଳୀ ମନ୍ଦିରରୁ ପୂଜାର୍ଚ୍ଚନା କରି ମଶାଳ ଅଣାଯାଇଥିଲା l ସଭାପତି ଶ୍ରୀଯୁକ୍ତ ପୃଥ୍ବୀରାଜ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ରାଜବୋଡାସମ୍ବର ବ୍ଲକର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମେନକା ମେହେର ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ୪୧ ତମ ବାର୍ଷିକ କ୍ରୀଡ଼ା ସମାରୋହକୁ ଉଦ୍ଘାଟନ କରିବା ସହ ଧ୍ବଜାରୋହଣ କରିଥିଲେ । ମନୋବଳ ଦୃଢ ହେଲେ ସଫଳତା କେବେ ଅଟକାଇ ପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଖେଳୁଆର ମନୋଭାବକୁ ଜାଗ୍ରତ କରିବାର ମାର୍ଗଦର୍ଶନ କରିଥିଲେ l

ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥିି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିଲେ । ସ୍ୱାଗତ ସଂଗୀତ ଗାନ ପରେ ଜ୍ୟୋତି ପ୍ରବେଶ କରିଥିଲା । ଛାତ୍ରଛାତ୍ରୀ ମାନଙ୍କ ଶପଥ ପାଠ ପରେ ବ୍ୟାୟାମ ଯୋଗର ପ୍ରଦର୍ଶନ କରାଯାଇଥିଲା । ଅତିଥି ପ୍ରଦର୍ଶନ ଖେଳରେ କିଶୋର ବର୍ଗର ଭଉଣୀ ମାନଙ୍କ ୪୦୦ମି. ଦୌଡ଼ ପ୍ରତିଯୋଗିତା କରାଯାଇଥିଲା । ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର,ଯୁଗ୍ମ ସମ୍ପାଦକ ଡ. ଟିକେଶ୍ୱର ନାଏକ ଓ ମାତୃ ମଣ୍ଡଳୀର ସଦସ୍ୟାବୃନ୍ଦ ଉପସ୍ଥିତ ଥିବା ବେଳେ ସମ୍ପାଦକ ଜନକ୍ ଲାଲ୍ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।



