ଘର ପଛପଟେ ପତ୍ର ଢାଙ୍କି ମୃତଦେହ ଲୁଚାଇଥିଲା ଅଭିଯୁକ୍ତ ପଡ଼ୋଶୀ ହତ୍ୟାକାରୀକୁ ଉଠାଇନେଲା ପୋଲିସ ।

ବୌଦ୍ଧ(ସିମୁନ ନାଏକ)-ପୋଲିସ କନେଷ୍ଟବଳଙ୍କୁ ବିଭତ୍ସ ହତ୍ୟା । ଘର ପଛପଟୁ ମୃତଦେହ ଉଦ୍ଧର ସହ ଘଟଣାରେ ଜଡ଼ିତ ଜଣଙ୍କୁ ଅଟକ ରଖିଛି ପୋଲିସ । ପୁରୁଣାକଟକ ଥାନା ଯାଜପୁର ଗ୍ରାମର ବାଲିସାହି ଏକ ନିର୍ଦିଷ୍ଟ ଅଞ୍ଚଳରୁ ଦୁର୍ଗନ୍ଧ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା। ଛାନଭିନ ବେଳେ ଜଣଙ୍କ ଘର ବାଡ଼ିପଟେ ମୃତଦେହ ପତ୍ର ଢାଙ୍କି ହୋଇଥିବା ଶବ ପାଇଥିଲା ପୋଲିସ । ମୃତଦେହଟି ୨ ଦିନରୁ ଉର୍ଦ୍ଧ୍ବ ହେବା ନେଇ ଅନୁମାନ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ ଏସଡ଼ିପିଓ ଲରେନ୍ସ ରାଉତରାୟ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ତଦନ୍ତ । ଖବର ପାଇ ମୃତକଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିଲା ପୋଲିସ ।

ତଦନ୍ତ ବେଳେ ଜଣକୁ ଅଟକ ରଖି ପଚରାଉଚାର କରିଥିଲା ପୋଲିସ । ଅଟକ ଜଣଙ୍କ ହତ୍ୟାକରିଥିବା ନେଇ ପୋଲିସକୁ ସ୍ପଷ୍ଟ କରଥିବା କହିଛନ୍ତି ଏସଡ଼ିପିଓ । ତେବେ ଉକ୍ତ ମୃତଦେହ ଟି ଜଣେ ପୋଲିସ କନେଷ୍ଟବଳ ଉଦୟରଞ୍ଜନ ପଟ୍ଟନାୟକଙ୍କ ବୋଲି ଜଣାପଡିଥିବା ବେଳେ ତାଙ୍କ ନିଜ ଘର ଫୁଲବାଣୀ ପେଂଜିସାହିର ବୋଲି ଜଣାପଡ଼ିଛି । ସେ ଦୀର୍ଘଦିନ ହେବ ଯାଜପୁର ବାଲିସାହିରେ ଘରକରି ରହୁଥିବା ଜଣାପଡିଛି । ସେ ବାଲିଗୁଡା ଥାନାରେ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟଗତ କାରଣ ପାଇଁ ସେ ଗତ ବର୍ଷେ ଛୁଟିରେ ରହିଥିବା କୁହାଯାଇଛି । ତେବେ ସେ ତାଙ୍କର ୧୪ ବର୍ଷର ପୁଅ ସହ ରହୁଥିବା ପରିବାର ଲୋକେ କହିଛନ୍ତି ।

ସେ ନିକଟରେ ଚାକିରୀରେ ଯୋଗଦେବାକୁ ଥିବା ବେଳେ ତାଙ୍କର ହତ୍ୟା ହୋଇଛି । ତେବେ କାହିଁକି ଏଭଳି ବିଭତ୍ସ ହତ୍ୟାକଲା ହତ୍ୟାକାରୀ ? ହତ୍ୟାପରେ କାହିଁକି ଫେରାର ନ ହୋଇ ନଜାଣିଲା ଭଳି ରହୁଥିଲା ହତ୍ୟାକାରୀ । ମୃତ କନେଷ୍ଟବଳଙ୍କ ସହ କଣ ଶତ୍ରୁତା ହତ୍ୟାକାରୀର ? ଏଭଳି ଅନେକ ପ୍ରଶ୍ନ ଘେରରେ ରହିଥିବା ବେଳେ ତଦନ୍ତ ପରେ ଘଟଣା ଉପରୁ ପରଦା ହଟିବ । ମୃତ କନେଷ୍ଟବଳଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ମାମଲା ରୁଜୁ କରି ଘଟଣାର ଖିଅକୁ ଖୋଜୁଛି ପୋଲିସ । ଏନେଇ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଏସ୍ଡିପିଓ ଲରେନ୍ସ ରାଉତରାୟ ।



