Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁରରେ ମଂଚ ନାଟକ ବା ଖୋଲା ରଙ୍ଗମଂଚର ୧୦୦ ବର୍ଷ ପୂର୍ତ୍ତି ପାଳିତ ।

ପଦ୍ମପୁରରେ ମଂଚ ନାଟକ ବା ଖୋଲା ରଙ୍ଗମଂଚର ୧୦୦ ବର୍ଷ ପୂର୍ତ୍ତି ପାଳିତ ।

ପଦ୍ମପୁର– ମଂଚ ନାଟକ ବା ଖୋଲା ରଙ୍ଗମଂଚ ଲୋକଙ୍କ ବେଶ ପସନ୍ଦ କାହିଁକି ନା ଏହା ଲୋକଙ୍କୁ କମ ସମୟ ମଧ୍ୟରେ ବେଶ ଆନନ୍ଦ ଦେଇଥାଏ । ଏହା କେବଳ ଆନନ୍ଦ ନୁହେଁ ସମାଜରେ ଘଟିଯାଉଥିବା ଘଟଣା ଗୁଡିକ ବିଷୟରେ ଅବଗତ କରିବା ସହ ଲୋକଙ୍କୁ ସଚେତନତା ବାର୍ତ୍ତା ମଧ୍ୟ ଦେଇଥାଏ । ଖୋଲା ରଙ୍ଗମଂଚ ନାଟକ ପରିବେଷଣର ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଛି ପଦ୍ମପୁରର ଅବର୍ଣ୍ଣିଗୁଡା ନାଟ୍ୟ ସଂସଦ । ପଦ୍ମପୁର ଉପଖଣ୍ଡ ସେ ସମୟରେ ରାଜବୋଡାସମ୍ବର ଜମିଦାରଙ୍କ ଅଧିନରେ ରହିଥିଲା । ୧୯୨୫ ମସିହାରେ ତତକାଲିନ ରାଜବୋଡାସମ୍ବର ଜମିଦାର ଲାଲ ରାଜେନ୍ଦ୍ର ନାରାୟଣ ସିଂ ବରିହା ପଦ୍ମପୁର ଅଂଚଳରେ ମଂଚ ନାଟକ ବା ଖୋଲା ରଙ୍ଗମଂଚର ଆରମ୍ଭ କରିଥିଲେ । ଆଜି ତାହା ଶହେ ବର୍ଷରେ ପର୍ଦାପଣ କରିଛି ।

ପଦ୍ମପୁରରେ ଏହାପରେ ଅନେକ ନାଟ୍ୟ ସଂସଦ ମାଧ୍ୟରେ କଳାକାର ମାନେ ତାଙ୍କର କଳା ପ୍ରଦର୍ଶନ କରି ରାଜ୍ୟ ତଥା ରାଜ୍ୟ ବାହାରେ ପଦ୍ମପୁରକୁ ବେଶ ଗୌରବାନ୍ୱିତ କରଛନ୍ତି । ସେମାନଙ୍କ ମଧ୍ୟରୁ କିଛି କଳାକାର ଜିବିତ ରହିଥିବା ବେଳେ ଅନେକ କଳାକାରଙ୍କ ଦେହାନ୍ତ ହୋଇ ସାରିଲାଣି । ସେହି ଦିବଙ୍ଗତ କଳାକାର ମାନଙ୍କୁ ସ୍ମୃତି ଚାରଣ କରି ମଂଚ ନାଟକର ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଛି ପଦ୍ମପୁରର ଅବର୍ଣ୍ଣିଗୁଡା ନାଟ୍ୟ ସଂସଦ । ତିନି ଦିବସୀୟ ଏହି ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ପଦ୍ମପୁର ଓକିଲ ସଙ୍ଘର ସଭାପତି ରାମରତନ ପୁରୋହିତ ଓ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରାଲମ୍ବ ପଟେଲ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।

କଳା ସଂସ୍କୃତିର ସହର ପଦ୍ମପୁର ମାଟିରେ କଳାକାର ପରିପୂର୍ଣ୍ଣ ହୋଇଥିବା ବେଳେ କଳା ପ୍ରେମୀଙ୍କ ସଂଖ୍ୟା ମଧ୍ୟ କମ ନୁହେଁ । ଶିତୁଆ ସନ୍ଧ୍ୟା ସହ ମନକୁ ଛୁଇଁ ଦେବା ଭଲି ନାଟକ କଳାପ୍ରେମୀଙ୍କୁ ବେଶ ଆକର୍ଷିତ କରିଥିଲା । ଦୀର୍ଘ ଦିନ ପରେ ପଦ୍ମପୁରରେ ମଂଚ ନାଟକ ବା ଖୋଲା ରଙ୍ଗମଂଚ ଚାଲିଥିବା କାରଣରୁ ଲୋକଙ୍କ ବେଶ ଉତ୍ସାହ ଦେଖିବାକୁ ମିଲିଥିଲା । ଉଦଘାଟନ ଉତ୍ସବରେ ଭୂବନେଶ୍ୱର ବିଦ୍ୟାକନକ ସୃଜାନୁଷ୍ଠାନର କଳାକାର ମାନେ ସ୍ୱର୍ଗତ ଗୋଦାବରିସ ମହାପାତ୍ରଙ୍କ ଓଡିଆ ସାହିତ୍ୟର ଚର୍ଚ୍ଚିତ ଗଳ୍ପ ମାଗୁଣିର ଶଗଡ ଓ ଜ୍ଞାନ ସ୍ଥିତ ପ୍ରତିବାଦ ନାଟ୍ୟ ଅନୁଷ୍ଠାନର ଶକୁନ୍ତଲା ନାଟ୍ୟ ରୂପାନ୍ତର ଦର୍ଶକଙ୍କୁ ବିମୋହିତ କରିଥିଲା ।

ଦ୍ୱିତୀୟ ଓ ତୃତୀୟ ଦିବସରେ ମଧ୍ୟ ଓଡିଶାର ସୁନାମଧନ୍ୟ ନାଟ୍ୟ ଅନୁଷ୍ଠାନ ତାଙ୍କ ନାଟକ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପଦ୍ମପୁରର ଅବର୍ଣ୍ଣିଗୁଡା ନାଟ୍ୟ ସଂସଦର ଏହି ପ୍ରଚେଷ୍ଠାକୁ ଜନସାଧାରଣ ତଥା ନାଟକ ପରିବେଷଣ ପାଇଁ ଆସିଥିବା କଳାକାର ମାନେ ମଧ୍ୟ ପ୍ରଶଂସା କରିଛନ୍ତି । କଳା ଓ ସଂସ୍କୃତିର ସହର ପଦ୍ମପୁରରେ ଗୋଟିଏ ସ୍ଥାୟୀ ନାଟ୍ୟ ମଣ୍ଡପ ତିଆରି ହୋଇପାରିଲେ କଳାକାର ଓ କଳାପ୍ରେମୀଙ୍କୁ ନାଟକ ପ୍ରତି ଆହୁରୀ ଉତ୍ସାହିତ କରିପାରିବ ।

error: Content is protected !!