ପଦ୍ମପୁର – ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଦେଶରେ ଏକତା, ଅଖଣ୍ଡତା ଓ ଦେଶମାତୃକା ପ୍ରୀତିର ବାର୍ତ୍ତା ପ୍ରସାର କରିବା ସହ ସର୍ଦ୍ଦାର ପଟେଲଙ୍କ ଅମର ଆଦର୍ଶକୁ ସ୍ମରଣ କରିବା ପାଇଁ ଆସନ୍ତା ନଭେମ୍ବର ୨୧ ତାରିଖରେ ଆୟୋଜିତ ହେବାକୁ ଥିବା ଏକତା ପଦଯାତ୍ରାର ଭବ୍ୟ ଆୟୋଜନ ନିମନ୍ତେ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ସାଂସଦଙ୍କ ନିର୍ଦ୍ଦେଶ କ୍ରମେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ମାର୍ଗଦର୍ଶିକା ଅନୁଯାଇ ଏହି ମାସରେ ବିଭିନ୍ନ ପ୍ରତିଯୋଗିତା ଏବଂ ‘ଏକତା ପଦଯାତ୍ରା’ର ସଫଳ ଏବଂ ଭବ୍ୟ ଆୟୋଜନ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ବ ବଣ୍ଟନ, ପଦଯାତ୍ରାର ମାର୍ଗ ନିର୍ଧାରଣ, ଲଜିଷ୍ଟିକ୍ସ ଓ ଲୋକଙ୍କ ଅଂଶଗ୍ରହଣ ସହିତ ସମସ୍ତ ପ୍ରସ୍ତୁତି ନିମନ୍ତେ ବିସ୍ତୃତ ଆଲୋଚନା କରାଯାଇଥିଲା।

ପଦଯାତ୍ରାରେ ସୁରକ୍ଷା, ଯାତାୟତ ଓ ଭିଡ଼ ନିୟନ୍ତ୍ରଣ, ଆମ୍ବୁଲାନ୍ସ ବ୍ୟବସ୍ଥା, ଶିକ୍ଷାର୍ଥୀଙ୍କ ଅଂଶଗ୍ରହଣ ଓ ପ୍ରତିଯୋଗିତା ଆୟୋଜନ, ଅଂଚଳର ସଫା ସୁତୁରା,ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ମାଇ ଭାରତ କିଓସ୍କ ସ୍ଥାପନା ଏବଂ ପ୍ରଚାର ପ୍ରସାର ଓ ଡକ୍ୟୁମେଣ୍ଟେସନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ବୈଠକରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏକତା ପଦଯାତ୍ରାରେ ସମସ୍ତ ଜିଲ୍ଲବାସୀଙ୍କ ସହଭାଗିତା ଆହ୍ୱାନ କରିବା ସହ ସମସ୍ତ ଅଧିକାରୀଙ୍କୁ ସକ୍ରିୟ ଭାବେ ଅଂଶଗ୍ରହଣ କରି ଏହି କାର୍ଯ୍ୟକ୍ରମକୁ ଭବ୍ୟ ଆୟୋଜନ କରିବା ପାଇଁ ଆହ୍ୱାନ କରି କହିଥିଲେ ଯେ ଏହି ପଦଯାତ୍ରାରେ ସ୍ଵାଧୀନତା ସଂଗ୍ରାମୀ, ପୁର୍ବ ସେନା କର୍ମଚାରୀ, ବିଭିନ୍ନ ସଂଗଠନ, ସଂସ୍କୃତିକ ଦଳ, ଏନଜିଓ

ଓ ଅସରକାରୀ ସଂସ୍ଥାଗୁଡ଼ିକଙ୍କ ସହଭାଗିତା ସୁନିଶ୍ଚିତ କରି ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ ପରିଚୟ ସୃଷ୍ଟ କରିବା। ଯୁବ ବର୍ଗ ଏବଂ ସ୍ୱୟଂସାହାୟକ ଗୋଷ୍ଠୀ ମହିଳା ମାନଙ୍କ ସକ୍ରିୟ ଅଂଶଗ୍ରହରେ ସଂସ୍କୃତିକ ଦଳମାନେ ସରକାରଙ୍କ ବିଭିନ୍ନ ଯୋଜନା ଆଧାରିତ ଗୀତ, ନାଟକ ଓ ନୃତ୍ୟ ପ୍ରସ୍ତୁତ କରିବେ ଏବଂ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜିତ ହେବ ।ଏହାପରେ ଉପଜିଲ୍ଲାପାଳ ସ୍ନେହା ଆରଗୁଲା ସମସ୍ତ ବିଭାଗୀୟ ଅଧିକାରୀକୁ ମାର୍ଗଦର୍ଶିକା ଅନୁସାରେ ନିର୍ଧାରିତ ସମୟରେ ନିଜ ନିଜର ସମସ୍ତ ପ୍ରସ୍ତୁତି ସମାପ୍ତ କରିବା ଓ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।



