Saturday, March 7, 2026
Homeରାଜ୍ୟମାଓବାଦୀଙ୍କ ଦ୍ବାରା ନିହତ ଗୃହରକ୍ଷୀଙ୍କ ପୁଅକୁ ନିଯୁକ୍ତି ପାଇଁ ଏସ୍.ପି.ଙ୍କୁ ଗୁହାରି ।

ମାଓବାଦୀଙ୍କ ଦ୍ବାରା ନିହତ ଗୃହରକ୍ଷୀଙ୍କ ପୁଅକୁ ନିଯୁକ୍ତି ପାଇଁ ଏସ୍.ପି.ଙ୍କୁ ଗୁହାରି ।

ବରଗଡ-୨୦୧୨ ମସିହାରେ ମାଓବାଦୀଙ୍କ ଦ୍ବାରା ନିହତ ବରଗଡ଼ ଜିଲ୍ଲା ପାଇକମାଳ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ନାରାୟଣ ସୁନାଙ୍କ ପୁଅ ଲମ୍ବୋଦର ସୁନାଙ୍କୁ ତାଙ୍କ ବାପାଙ୍କ ସ୍ଥାନରେ ନିଯୁକ୍ତି ଦେବାକୁ ମୃତ ନାରାୟଣଙ୍କ ପତ୍ନୀ ଲକ୍ଷ୍ମୀ ସୁନା ବରଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଗୁହାରି କରିଛନ୍ତି। ୨୦୧୨ ମସିହା ଅଗଷ୍ଟ ୧୩ ତାରିଖ ଥାନାରୁ ଡ୍ୟୁଟି ସାରି ସ୍ବର୍ଗତ ସୁନା ତାଙ୍କ ମାଝୀପାଲି ସ୍ଥିତ ଘରେ ଥିବାବେଳେ ରାତି ପ୍ରାୟ ୧୦ଟାରେ ୫୦ରୁ ୬୦ ଜଣ ମାଓବାଦୀ ତାଙ୍କ ଗାଁକୁ ଆସି ତାଙ୍କୁ ହତ୍ୟା କରିଥିଲେ। ଗାର୍ଡ ଅଫ୍ ଅନର୍ ପ୍ରଦାନ ସହ ସ୍ବର୍ଗତ ସୁନାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସେହି ସମୟରେ ପରିବାରର ଜଣଙ୍କୁ ନିଯୁକ୍ତି ଦିଆଯିବା ନେଇ ତତ୍କାଳୀନ ଆରକ୍ଷୀ ଅଧୀକ୍ଷକ ଅନୁପ କୃଷ୍ଣା ଓ ଏସ୍.ଡି.ପି.ଓ. ନୃପ ଚରଣ ଦଣ୍ଡସେନା ପ୍ରତିଶ୍ରୁତି ଦେଇଥିଲେ।

ତେବେ ପୁଅ, ଝିଅ ଛୋଟ ଛୋଟ ଥିବାରୁ ତାହା ହୋଇପାରି ନଥିଲା। ବର୍ତ୍ତମାନ ପାଇକମାଳ ଥାନାରେ ଗୃହରକ୍ଷୀ ପଦରେ ପୁଅ ଲମ୍ବୋଦରଙ୍କୁ ଅବସ୍ଥାପିତ କରିବାକୁ ସ୍ବର୍ଗତ ନାରାୟଣଙ୍କ ବିଧବା ପତ୍ନୀ ଲକ୍ଷ୍ମୀ, ବରଗଡ଼ ଏସ୍.ପି.ଙ୍କୁ ନିବେଦନ କରିଛନ୍ତି। ବର୍ତ୍ତମାନ ତାଙ୍କ ସାବାଳକ ପୁଅକୁ ପ୍ରତିଶ୍ରୁତି ମୁତାବକ ନିଯୁକ୍ତି ପ୍ରଦାନ କରିବାକୁ ସେ ଗୁହାରି କରିଛନ୍ତି। ତାଙ୍କ ସ୍ବାମୀ ଦେଶପାଇଁ ଜୀବନ ଦେଇଥିଲେ ଓ ପରିବାରର ଜଣଙ୍କୁ ନିଯୁକ୍ତି ପାଇଁ କୁହାଯାଇଥିଲା। ଏଥିପ୍ରତି ସହୃଦୟତାର ସହ ବିଚାର କରିବାକୁ ଲକ୍ଷ୍ମୀ ଲିଖିତ ଭାବେ ବରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

error: Content is protected !!