Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିନୂଆଖାଇ : ପଶ୍ଚିମ ଓଡ଼ିଶାର ଅମଳୋତ୍ସବ ଓ ସାମଜିକ ସମନ୍ୱୟର ପର୍ବ ।

ନୂଆଖାଇ : ପଶ୍ଚିମ ଓଡ଼ିଶାର ଅମଳୋତ୍ସବ ଓ ସାମଜିକ ସମନ୍ୱୟର ପର୍ବ ।

ଶ୍ଚିମ ଓଡ଼ିଶାର ସବୁଠାରୁ ପ୍ରମୁଖ ପର୍ବମାନଙ୍କ ମଧ୍ୟରେ ଗଣ୍ୟ ହେଉଛି ନୂଆଖାଇ। ଏହା କେବଳ ଗୋଟିଏ ସାସ୍କୃତିକ ପର୍ବ ନୁହେଁ, ବରଂ ଗଭୀର କୃଷିଭିତ୍ତିକ ପରମ୍ପରାର ପ୍ରତୀକ। “ନୂଆ” ଅର୍ଥ ନୂତନ ଏବଂ “ଖାଇ” ଅର୍ଥ ଭୋଜନ। ସେଥିପାଇଁ ନୂଆଖାଇର ଅର୍ଥ ନୂଆ ଧାନ୍ୟର ସ୍ୱାଦ ଗ୍ରହଣ। ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ନୂଆପଡ଼ା, ବୌଦ୍ଧ, ଦେବଗଡ଼ ସହ ପଶ୍ଚିମ ଓଡ଼ିଶାର ସମସ୍ତ ଅଞ୍ଚଳରେ ଏହା ପାଳିତ ହୋଇଥାଏ। ପର୍ବଟି କେବଳ କୃଷିକୁ ସ୍ମରଣ କରେ ନୁହେଁ, ବରଂ ପ୍ରକୃତି, ପୂର୍ବଜ ଓ ଦେବତାଙ୍କ ପ୍ରତି କୃତଜ୍ଞତାର ଅର୍ପଣ ସହିତ ସାମାଜିକ ସମନ୍ୱୟକୁ ସୁଦୃଢ କରେ।

ବୈଦିକ ଆଧାର
ନୂଆଖାଇର ପ୍ରାରମ୍ଭ ବୈଦିକ ଯୁଗରେ ହେଇଥିବା ପ୍ରମାଣ ଉବଲବ୍ଧ ରହିଛି। ଋଗ୍ବେଦ, ଯଜୁର୍ବେଦ ଓ ଅଥର୍ବବେଦରେ ନବାନ୍ନ (ନୂତନ ଧାନ୍ୟ ଅର୍ପଣ) ରୀତିର ଉଲ୍ଲେଖ ମିଳେ। ଲୋକମାନେ ଖାଇବା ପୂର୍ବରୁ ନୂଆ ଧାନ୍ୟକୁ ଦେବତାଙ୍କୁ ଅର୍ପଣ କରିବାକୁ ପବିତ୍ର କର୍ତ୍ତବ୍ୟ ବୋଲି ବିବେଚନା କରୁଥିଲେ।

ଏହା ସହ ପ୍ରଲମ୍ବନ ଯଜ୍ଞର ଗୁରୁତ୍ୱ ଉଲ୍ଲେଖନୀୟ। ଏହି ଯଜ୍ଞରେ ନୂଆ ଧାନ୍ୟ ଭୋଜନ ପୂର୍ବରୁ ଅନ୍ନପୂର୍ଣ୍ଣା, ଇନ୍ଦ୍ର, ପୃଥିବୀଙ୍କୁ ଅର୍ପିତ ହୋଇଥାଏ। ଏଥିରେ ଖାଦ୍ୟକୁ ପବିତ୍ର ବୋଲି ସ୍ଥାନ ଦିଆଯାଇଥାଏ।

ନୂଆଖାଇରେ ଆଜି ପର୍ଯ୍ୟନ୍ତ ଏହି ପରମ୍ପରା ପାଳିତ ହୋଇଥାଏ—ଇଷ୍ଟ ଦେବୀ-ଦେବତାଙ୍କୁ ପ୍ରଥମେ ନୂଆ ଧାନ୍ୟ ଅର୍ପଣ କରି ପରେ ଲୋକେ ସେଥିରେ ଭାଗିଦାର ହୋଇଥାନ୍ତି।

କୃଷିଗତ ଗୁରୁତ୍ୱ
ନୂଆଖାଇ କୃଷିଜୀବନ ସହିତ ଅବିଚ୍ଛିନ୍ନ ଭାବେ ଜଡିତ। ଭାଦ୍ରବ ମାସର ପଞ୍ଚମୀ ତିଥିରେ (ଭାଦ୍ରବ–ଶୁକ୍ଳ ପଞ୍ଚମୀ) ପର୍ବଟି ପାଳିତ ହୋଇଥାଏ। ଏହା ଖରିଫ ଫସଲ (ପ୍ରଧାନତଃ ଧାନ) ପ୍ରଥମେ ପକାଇବା ସହିତ ଯୋଡ଼ାହୋଇଥାଏ।

କୃଷିସମ୍ବନ୍ଧୀୟ ମୂଳାଧାର:
୧) ପ୍ରଥମ ଫସଲର ଉତ୍ସବ – ଧାନ, ମଣ୍ଡିଆ, କଳା, କାଙ୍ଗୁ ଆଦିର ପ୍ରଥମ ଧାନ୍ୟ କାଟାଯାଏ।
୨) ନବାନ୍ନ – ନୂଆ ଧାନ୍ୟ ପକାଇ ଇଷ୍ଟଦେବୀଙ୍କୁ ଅର୍ପଣ।
୩) ଋତୁ ପରିବର୍ତ୍ତନ – ବିହନ ବୁଣା କାମର ଶେଷ ଓ ଫସଲର ଆରମ୍ଭ।
୪) ସାମାଜିକ ସମ୍ମିଳନ– “ନୂଆଖାଇ ଜୁହାର” ମାଧ୍ୟମରେ ପରିବାର, ପଡ଼ୋଶୀ, ଆତ୍ମୀୟଙ୍କ ସହ ସମ୍ପର୍କ ସୁଦୃଢ।
୫) ଚିରନ୍ତନ ଜୀବନଦର୍ଶନ – ମାଟି, ବିହନ, ବର୍ଷା ଓ କୃଷିଯନ୍ତ୍ର ପ୍ରତି ସମ୍ମାନ।

ନବପଥେ (ନୂଆଖାଇର ନଅଟି ପ୍ରସ୍ତୁତି)
ନୂଆଖାଇରେ ନବପଥେ କୁହାଯାଉଥିବା ୯ଟି ପର୍ଯ୍ୟାୟ ପାଳନ କରାଯାଏ—

୧) ବେହେରେନ – ପର୍ବର ତାରିଖ ନିର୍ଦ୍ଧାରଣ।
୨) ଲଗ୍ନ ଦେଖା – ଅନୁଷ୍ଠାନର ଶୁଭ ସମୟ ନିର୍ଣ୍ଣୟ।
୩) ଡକା ହକାଲି – ସମାଜ ଓ ଆତ୍ମୀୟଙ୍କୁ ଆମନ୍ତ୍ରଣ।
୪) ସଫା ସୂତ୍ର – ଘର-ଅଗଣା ସଫା।
୫) ଲିପା ପୁଚା – ଗୋବର-ମାଟିରେ ଘର ଲିପିକା ଓ ସଜ୍ଜା।
୬) ଘିନା ବିକା – ନୂଆ ବସ୍ତ୍ର, ପାତ୍ର, ପ୍ରୟୋଜନୀୟ ସାମଗ୍ରୀ କ୍ରୟ।
୭) ନୂଆ ଧାନ୍ୟ ଖଣେ – ପ୍ରଥମ ଫସଲ କଟା।
୮) ନୂଆଖାଇ – ନୂଆ ଧାନ୍ୟକୁ ଦେବୀ-ଦେବତାଙ୍କୁ ଅର୍ପଣ।
୯) ଜୁହାର ଭେଟ – ପରିବାର, ପଡ଼ୋଶୀ, ଆତ୍ମୀୟଙ୍କ ସହ ଜୁହାର, ଆଶୀର୍ବାଦ ଓ ସାଧୁବାଦ ବିନିମୟ।

ସାମାଜିକ ଓ ସାହିତ୍ୟିକ ମାନ୍ୟତା

ପରିବାରିକ ଏକତା – ଦୂରରୁ ଆସିଥିବା ପରିବାର ସଦସ୍ୟମାନେ ଏହି ଦିନରେ ଏକତ୍ରିତ।

ବଡ଼ଙ୍କ ପ୍ରତି ସମ୍ମାନ – “ନୂଆଖାଇ ଜୁହାର” ମାଧ୍ୟମରେ କନିଷ୍ଠମାନେ ବଡ଼ଙ୍କୁ ନମସ୍କାର କରି, ଆଶୀର୍ବାଦ ପାଆନ୍ତି।

ସାଂସ୍କୃତିକ ପ୍ରକାଶ – ସମ୍ବଲପୁରୀ ଗୀତ, ଡାଲଖାଇ, ରସରକେଳି, କରମାନାଚ୍ୟାଦି ନୃତ୍ୟ-ସଙ୍ଗୀତର ଆୟୋଜନ।

କୃଷିଜୀବନର ପରିଚୟ – ଆଧୁନିକ ସମାଜରେ କୃଷିପରମ୍ପରାକୁ ଜୀବନ୍ତ ରଖିବା।

ନୂଆଖାଇ କେବଳ ଏକ ଅମଳୋତ୍ସବ ନୁହେଁ, ଏହା ବେଦିକ ପରମ୍ପରା, କୃଷିଚକ୍ର ଓ ସାମାଜିକ ସମନ୍ୱୟର ସଙ୍ଗମ। ପ୍ରଲମ୍ବନ ଯଜ୍ଞର ସ୍ମୃତିକୁ ଧାରଣ କରି, ଏହା ଖାଦ୍ୟକୁ ଦେବତାଙ୍କ ସହ ପ୍ରଥମେ ବାଣ୍ଟିବାର ପ୍ରାଚୀନ ସିଦ୍ଧାନ୍ତକୁ ପୁନର୍ଜୀବନ ଦେଉଛି। ପଶ୍ଚିମ ଓଡ଼ିଶା ପାଇଁ, ନୂଆଖାଇ ହେଉଛି ଖୁସି, ଆତ୍ମପରିଚୟ, ଦୃଢତା ଓ କୃତଜ୍ଞତାର ପର୍ବ।

“ମାଟି, ଚାଷୀ ଓ ଦେବତା—ଏହି ତିନିଟି ସୂତ୍ରକୁ ଏକତ୍ର କରିଥିବା ଅବିନାଶୀ ପର୍ବ ହେଉଛି ନୂଆଖାଇ।”

ନନ୍ଦୀ କିଶୋର ଷାଣ୍ଢ
ଗ୍ରାମ-ସାଲେପାଲି
ଭାୟା-ଜରାସିଂହା
ଜି:- ବଲାଙ୍ଗିର
ପିନ୍-୭୬୭୦୬୭
ମୋବାଇଲ:- ୯୬୬୮୬୩୨୨୦୦

error: Content is protected !!