ଗାଇସିଲେଟ-ଗାଇସିଲେଟ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ରାଜ୍ୟ ଗ୍ରାମୀଣ ବିକାଶ ପ୍ରତିଷ୍ଠାନ ଭୁବନେଶ୍ୱର ଆନୁକୁଲ୍ୟରେ ଜିଲ୍ଲାପରିଷଦ ବରଗଡ଼ ସହଯୋଗରେ ବାଲ୍ୟ ବିବାହ ମୁକ୍ତ ଗ୍ରାମପଞ୍ଚାୟତ ଗଠନ ପାଇଁ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଜିପିଡିଓ ବିନୟ କିଶୋର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଡ଼ିଓ ଶ୍ରୀଯୁକ୍ତ ଭିସ୍ମଦେବ ମାଝୀ ,ତାଲିମ ଦାତା ଭାବରେ ତପନ କୁମାର ପାତ୍ର ସୁରକ୍ଷା ଅଧିକାରୀ ଯୋଗ ଦେଇଥିଲେ । ସମାଜରେ ନାରୀ ଆଜି ବି ଅବହେଳିତ । ନାରୀ ଓ କିଶୋରୀ ଝିଅ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଜ୍ଞାନ ଯୁଗରେ ଆଜି ବି ବହୁ ଜାଗାରେ ନାରୀ ଅସୁରକ୍ଷିତ ।

ନାରୀ ବଢ଼ିଲେ ଦେଶ ବଢେ। କିନ୍ତୁ ଦୁଃଖର ବିଷୟ ଆଜି ବି ସମାଜରେ ବାଲ୍ୟ ବିବାହ ପରି କୁସଂସ୍କାର ଭରି ରହିଛି । ବାଲ୍ୟ ବିବାହ ଯୋଗୁ କମ୍ ବୟସରୁ ସାଂସାରିକ ଜୀବନରେ ବାନ୍ଧି ହୋଇ ନିଜର ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲିଦେବା ସହ ନିଜର ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ହୋଇଥାନ୍ତି । ବାଲ୍ୟ ବିବାହ ବନ୍ଦ କରିବା ପାଇଁ ଦୀର୍ଘ ଦିନ ଧରି ସରକାରୀ ସ୍ତରରେ ବିଭିନ୍ନ ପ୍ରୟାସ ଜାରି ରହିଥିଲେ ମଧ୍ୟ ସଚେତନତାର ଅଭାବ ଓ ପୁଅ ଝିଅଙ୍କ ମଧ୍ୟରେ ଥିବା ଅହେତୁକ ଭେଦ ଭାବ ଯୋଗୁ ସେପରି ଆଖିଦୃଶିଆ ସଫଳତା ମିଳି ପାରୁନି ।

ତେବେ ସେହି ବାଲ୍ୟ ବିବାହ ପ୍ରଥାକୁ ରୋକିବା ପାଇଁ ହେଲେ ଗ୍ରାମାଞ୍ଚଳ ସ୍ତରରେ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ ବୋଲି କହିବା ସହ ବିଭିନ୍ନ ପ୍ରକାର ଉଦାହରଣ ଦେଇ ଶ୍ରୀଯୁକ୍ତ ପାତ୍ର ତାଲିମ ପ୍ରଦାନ କରିଥିଲେ । ଏବଂ ଯଦି ନିଜ ଅଞ୍ଚଳରେ ଏଭଳି ଘଟଣା ଘଟେ ତେବେ ତୁରନ୍ତ ଶିଶୁ ସହାୟତା କେନ୍ଦ୍ର ୧୦୯୮ ରେ କଲ କରି ଜଣାଇବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ୧୯ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ, ପିଇଓ, ଶିକ୍ଷକ,ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା, ସିଆରପି, ଅଙ୍ଗନୱାଡ଼ି କର୍ମୀ, ଉପସ୍ଥିତ ଥିଲେ ।



