ପଦ୍ମପୁର– ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବା ସମୟରେ ଫାଟିଲା ଆମ୍ବୁଲାନ୍ସ ଚକ । ଦୀର୍ଘ ସମୟ ମରାମତି ପରେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେଲା ଆମ୍ବୁଲାନ୍ସ । ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ସାଲେପାଲି ଠାରେ ଜଣେ ୬୦ ବର୍ଷ ବୟସ୍କ ଶାନ୍ତି ସୁନା ନାମକ ମହିଳା ରାସ୍ତାରେ ଯାଉଥିବା ସମୟରେ ଟ୍ରକ ଧକ୍କା ଦେବା ଫଳରେ ମହିଳା ଜଣକ ଗୁରୁତର ହୋଇପଡିଲେ । ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮କୁ ଫୋନ କରିଥିଲେ ଓ ଆମ୍ବୁଲାନ୍ସ ଆସି ତାଙ୍କୁ ପଦ୍ମପୁର ଡାକ୍ତରଖାନା ନେବା ସମୟରେ ସଦାନନ୍ଦପୁର ଛକ ନିକଟରେ ଆମ୍ବୁଲାନ୍ସର ପଛଚକ ଫାଟି ଗଲା ।

ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଡ୍ରାଇଭର ଚକ ସଜାଡିବା ପରେ ପୁଣି ପଦ୍ମପୁର ଅଭିମୁଖେ ଆମ୍ବୁଲାନ୍ସ ଯାଇଥିଲା । ତେବେ ଯେତିକି ସମୟ ଆମ୍ବୁଲାନ୍ସ ଅଟକି ରହିଥିଲା ସେତିକି ସମୟ ଗୁରୁତର ମହିଳା ଜଣକ ବେଶ କଷ୍ଟ ଅନୁଭବ କରିଥିଲେ । ତେବେ ଆମ୍ବୁଲାନ୍ସ ଗୁଡିକ ପୂର୍ବରୁ କାହିଁକି ଯାଂଚ ହେଉନି । ଜଣେ ରୋଗୀ ଗୁରୁତର ଥିବା ସମୟରେ ଆମ୍ବୁଲାନ୍ସ ଦୀର୍ଘ ସମୟ ଅଚଳ ହୋଇ ରାସ୍ତାରେ ଅଟକିବା ଦ୍ବାରା ରୋଗୀଙ୍କ ଜୀବନ ପ୍ରତି ବିପଦ ରହୁଛି ।



