ପଦ୍ମପୁର-ଜଗତର ନାଥ ଜଗନ୍ନାଥଙ୍କ ବାର ମାସରେ ତେର ଜାତ ତେବେ ପ୍ରତିଟି ପର୍ବରେ ଭକ୍ତଙ୍କୁ ନିଜର ବିଭିନ୍ନ ଅଲୌକିକ ମାଙ୍ଗଳିକ ବେଶରେ ଦର୍ଶନ ଦେଇଥାନ୍ତି ପ୍ରଭୁ । ତେବେ ପ୍ରତିବର୍ଷ ବାହୁଡ଼ାଯାତ୍ରାର ପର ଦିନ ଶ୍ରୀହରି ଶୟନ ଏକାଦଶୀରେ ରଥ ଉପରେ ମହା ମୋକ୍ଷଦାୟୀ ସୁନା ବେଶରେ ସଜେଇ ହୋଇ ଭକ୍ତଙ୍କ ଉଦ୍ଧାର ପାଇଁ ଜଗତର ନାଥ ନିଜର ଅନନ୍ୟ ସୌମ୍ୟକ ଦର୍ଶନ ଦେଇଥାନ୍ତି। ସେହି ପରିପେକ୍ଷୀରେ ପଦ୍ମପୁର ସ୍ଥାନୀୟ ମେହେର ପଡାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ଥର କରି ରଥ ଉପରେ ଠାକୁରଙ୍କ ସୁନାବେଶ ଦର୍ଶନର ଆୟୋଜନ କରାଯାଇଥିଲା।

ମାନ୍ୟତା ଅନୁଯାୟୀ ଦିଅଁଙ୍କୁ ସୁନା ବେସ ରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହ ମୋକ୍ଷ ପ୍ରାପ୍ତି ହୋଇଥାଏ। ପ୍ରଥମ ଥର କରି ଚଳିତ ବର୍ଷ ପଦ୍ମପୁର ଜଗନ୍ନାଥଙ୍କ ମନ୍ଦିରରେ ଏହି ବେଶ ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ସାହୁପଡା ସ୍ଥିତ ଶ୍ରୀଗୋପାଳଜୀ ମନ୍ଦିର ଠାରୁ ମେହେର ପଡାସ୍ଥିତ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣ ରଥ ନିକଟକୁ ନାମ ସଂକୀର୍ତ୍ତନ ଶୋଭାଯାତ୍ରାରେ ସମସ୍ତ ଅଳଙ୍କାର ଅଣାଯିବା ସହ ଠାକୁରଙ୍କୁ ଭୂଷିତ କରାଯାଇଥିଲା । ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଥିଲା। ମନ୍ଦିର କମିଟି ପକ୍ଷରୁ ଦର୍ଶକଙ୍କ ସୁରକ୍ଷା ସହ ଶାନ୍ତି ଓ ସୁରୁଖୁରୁରେ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ସହ ଆସିଥିବା ଭକ୍ତଙ୍କ ପାଇଁ ଭୋଗର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।




