Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବରଗଡ଼ରେ ଲୋକ କବିରତ୍ନ ହଳଧର ନାଗଙ୍କ ଉପରେ ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ର ।

ବରଗଡ଼ରେ ଲୋକ କବିରତ୍ନ ହଳଧର ନାଗଙ୍କ ଉପରେ ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ର ।

ଓଡ଼ିଶାର ଅସ୍ମିତା, ଅଭିବ୍ୟକ୍ତି ଓ ଆବେଗର ପ୍ରତୀକ ପଦ୍ରଶ୍ମୀ ହଳଧର ନାଗ- ଧର୍ମେନ୍ଦ୍ର ପ୍ରଧାନ ।

• ଲୋକକବି ହଳଧର ନାଗଙ୍କ ଉପରେ ଲିଖିତ କିଛି ପୁସ୍ତକ, ଗ୍ରନ୍ଥାବଳୀ ଏବଂ ସଂକଳନ ଉନ୍ମୋଚିତ
• ପଦ୍ରଶ୍ମୀ ହଳଧର ନାଗ ହେଉଛି ଭାରତର ଜଣେ ଉଜ୍ଜ୍ୱଳ ରତ୍ନ
• ଜନୈକ ବ୍ୟକ୍ତିକୁ ଲେଖାରେ ସକ୍ରିୟ କରିବାର ମାଧ୍ୟମ ହେଉଛି ସାହିତ୍ୟ
• ବୌଦ୍ଧିକ ତରଙ୍ଗକୁ ନିରନ୍ତର ସଞ୍ଚାଳିତ କରି ନୂଆ ଆବେଗ ତିଆରି କରିବାର ନାଁ ହେଲା ସାହିତ୍ୟ
• ସମସ୍ତଙ୍କ ମଧ୍ୟରେ ସାହିତ୍ୟ ଥାଏ ତଥା ସାହିତ୍ୟର ଆବଶ୍ୟକତା ରହିଥାଏ
• ହଳଧର ନାଗଙ୍କ ସାହିତ୍ୟ ରଚନାରେ ଥିବା ଦର୍ଶନ ଓ ତତ୍ତ୍ୱର ପଟାନ୍ତର ନାହିଁ
• ମାତୃଭାଷାରେ ମୌଳିକ ଚିନ୍ତନର ସଠିକ୍ ପରିପ୍ରକାଶ ହୋଇଥାଏ
• ଛାତ୍ରଛାତ୍ରୀଙ୍କର ସୃଜନଶୀଳତା ବିକଶିତ କରିବାକୁ ହେଲେ ମାତୃଭାଷାରେ ଶିକ୍ଷା ଦେବା ଜରୁରୀ

ବରଗଡ଼ – ଲୋକ କବିରତ୍ନ, ଯାଦବ ରତ୍ନ ଆଦି ଅନେକ ସମ୍ମାନରେ ଭୂଷିତ ପଦ୍ରଶ୍ମୀ ହଳଧର ନାଗ ହେଉଛି ଭାରତର ଜଣେ ଉଜ୍ଜ୍ୱଳ ରତ୍ନ । ଓଡ଼ିଶାର ଅସ୍ମିତା, ଅଭିବ୍ୟକ୍ତି ଓ ଆବେଗର ଅନ୍ୟତମ ପ୍ରତୀକ । ସମ୍ବଲପୁରୀ ଭାଷାକୁ ସୁସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ଶନିବାର ବରଗଡ଼ ବରହାଗୁଡ଼ା ଠାରେ ସମ୍ବଲପୁରୀ ଭାଷାର ପ୍ରଥିତଯଶା ଲୋକକବି ପଦ୍ମଶ୍ରୀ ହଳଧର ନାଗ ଓ ତାଙ୍କ ସାହିତ୍ୟ ସଂକ୍ରାନ୍ତରେ ଆୟୋଜିତ ଦ୍ୱି-ଦିବସୀୟ ଜାତୀୟ ଆଲୋଚନା ଚକ୍ର “ହଲଧର – ସଜନ ଆର୍ ଦର୍ସନ” କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ସାହିତ୍ୟ ଅନୁଷ୍ଠାନ ଅଭିମନ୍ୟୁ ସାହିତ୍ୟ ସଂସଦ, ଘେଁସ ଏବଂ କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନ, ବରଗଡ଼ର ମିଳିତ ଉଦ୍ୟମରେ ଆୟୋଜିତ ଏହି ସେମିନାରକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ବରଗଡ଼ ଭଳି ସାରସ୍ୱତ କେନ୍ଦ୍ରସ୍ଥଳୀରେ ଏହି ସେମିନାର ସ୍ୱାଗତଯୋଗ୍ୟ ।

ଲୋକକବି ହଳଧର ନାଗଙ୍କ ସାହିତ୍ୟକୁ ନେଇ ଦୁଇଦିନ ଧରି ଆୟୋଜିତ ହେଉଥିବା ଏହି ବହୁଭାଷୀ ଜାତୀୟ ସେମିନାରରେ ଓଡ଼ିଶା ତଥା ଓଡ଼ିଶା ବାହାରର ଅନେକ ଗବେଷକ ଯୋଗ ଦେବା ପ୍ରଶଂସନୀୟ । ଏହା ସମ୍ବଲପୁରୀ ଭାଷାକୁ ସର୍ବଭାରତୀୟ ସ୍ତରରେ ପରିଚିତ କରିବାରେ ବିଶେଷ ସହାୟକ ହେବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜନୈକ ବ୍ୟକ୍ତିକୁ ଲେଖାରେ ସକ୍ରିୟ କରିବାର ମାଧ୍ୟମ ହେଉଛି ସାହିତ୍ୟ । ବୌଦ୍ଧିକ ତରଙ୍ଗକୁ ନିରନ୍ତର ସଞ୍ଚାଳିତ କରି ନୂଆ ଆବେଗ ତିଆରି କରିବାର ନାଁ ହେଲା ସାହିତ୍ୟ । ସାହିତ୍ୟ ଅମର । ସମସ୍ତେ ସାହିତ୍ୟିକ ହୋଇପାରନ୍ତିନି । କିନ୍ତୁ ସମସ୍ତଙ୍କ ମଧ୍ୟରେ ସାହିତ୍ୟ ଥାଏ ତଥା ସାହିତ୍ୟର ଆବଶ୍ୟକତା ରହିଥାଏ । କ୍ୱଚିତ୍ ଲୋକମାନେ ସେହି ବିଚାର ଓ ଆବେଗକୁ ଲୋକଭାଷା ବା ମାତୃଭାଷାରେ ପରିପ୍ରକାଶ କରିବାର କ୍ଷମତା ରଖିଥାନ୍ତି । ସେହିଭଳି ଜଣେ ବ୍ୟକ୍ତିବିଶେଷ ହେଉଛନ୍ତି ହଳଧର ନାଗ । ତାଙ୍କର ସାହିତ୍ୟ ରଚନାରେ ଥିବା ଦର୍ଶନ, ତତ୍ତ୍ୱର ପଟାନ୍ତର ନାହିଁ ।

ତାଙ୍କର ଲେଖନୀ ଚାଳନା ଆହୁରି ପ୍ରଶଂସିତ ହେବା ନେଇ ସବୁ ସ୍ତରରେ ଉଦ୍ୟମ ହେବା ଦରକାର ।ସେ ଆହୁରି କହିଛନ୍ତି ଯେ ମାତୃଭାଷାରେ ମୌଳିକ ଚିନ୍ତନର ସଠିକ୍ ପରିପ୍ରକାଶ ହୋଇଥାଏ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ପ୍ରଣୀତ ହୋଇଥିବା ଜାତୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସବୁ ଭାଷାକୁ ରାଷ୍ଟ୍ରୀୟ ଭାଷା ବୋଲି ଅଭିହିତ କରିଛନ୍ତି । ଓଡ଼ିଆ ଭାଷା ଓ ସମ୍ବଲପୁରୀ ଭାଷା, ଉଭୟ ରାଷ୍ଟ୍ରୀୟ ଭାଷା । ଛାତ୍ରଛାତ୍ରୀଙ୍କର ସୃଜନଶୀଳତା ବିକଶିତ କରିବାକୁ ହେଲେ ମାତୃଭାଷାରେ ଶିକ୍ଷା ଦେବା ଜରୁରୀ । ଭାରତକୁ ପୁଣି ଥରେ ବିଶ୍ଵର ଶିଖରରେ ପହଞ୍ଚାଇବାକୁ ହେଲେ ଆମକୁ ଭାରତୀୟ ଭାଷାକୁ ଅଗ୍ରାଧିକାର ଦେବାକୁ ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ ।ଏହି ଅବସରରେ ଶ୍ରୀ ପ୍ରଧାନ ହଳଧର ନାଗଙ୍କ ଉପରେ ଲିଖିତ କିଛି ପୁସ୍ତକ, ଗ୍ରନ୍ଥାବଳୀ ଏବଂ ସଂକଳନକୁ ଉନ୍ମୋଚନ କରିଥିଲେ । ରାଜ୍ୟ ଉଚ୍ଚ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ସମେତ ବରଗଡ଼ ସାଂସଦ, ବିଧାୟକଗଣ ଏବଂ ଜନପ୍ରତିନିଧିମାନେ ପ୍ରମୁଖ ଉପସ୍ଥିତ ଥିଲେ ।

error: Content is protected !!