Saturday, March 7, 2026
Homeରାଜ୍ୟମଲକେନ ଡ୍ୟାମର ୱାଚ ଟାୱାର ଉଦଘାଟିତ ।

ମଲକେନ ଡ୍ୟାମର ୱାଚ ଟାୱାର ଉଦଘାଟିତ ।

ଗାଇସିଲେଟ(ରିଙ୍କୁ ଦେବତା)-ପଦ୍ମପୁର ବନାଞ୍ଚଳ ଅନ୍ତର୍ଗତ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ସ୍ଥିତ ମଲକେନ ଡ୍ୟାମ ଠାରେ ଆଜି ଉଦଘାଟିତ ହୋଇଯାଇଛି ୱାଚ ଟାୱାର । ଏହି ଅବସରରେ ଆଜି ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡତିଆ,ସମ୍ମାନିତ ଅତିଥି ଭାବରେ ବନ ଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ ଦେବ ପଟ୍ଟନାୟକ ଯୋଗଦେଇ ୱାଚ ଟାୱାର ର ଶୁଭ ଉଦଘାଟନ କରିଥିଲେ । ବରଗଡ଼ ବନ ବିଭାଗ କାମ୍ଫା ଯୋଜନାରୁ ୩୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ନିର୍ମାଣ ହୋଇଥିବା ଏହି ୱାଚ ଟାୱାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ଜଙ୍ଗଲ ଅନୁଭୂତି ସାଉଁଟିବା ସହ ଏହା ଡ୍ୟାମ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ବିଧାୟକ ପ୍ରକାଶ କରିଥିବା ବେଳେ ଆଗାମୀଦିନରେ ଏହାର ବିକାଶ ଦିଗରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ବହୁମୁଖି ନିରୀକ୍ଷଣ ମିନାର ଜଙ୍ଗଲ ନିଆଁ ନିରୀକ୍ଷଣ,ହାତୀର ଗତିବିଧି ନିରୀକ୍ଷଣ ତଥା ଜଙ୍ଗଲ ସୁରକ୍ଷା ଦିଗରେ ଏହା ସହାୟକ ହୋଇ ପାରିବ ବୋଲି ବରଗଡ ବନଖଣ୍ଡ ଅଧିକାରୀ ସୂଚନା ଦେଇଥିଲେ । ପରେ ବିଧାୟକ ବୃକ୍ଷ ରୋପଣ କରିବା ସହିତ ଲୋକ ମାନଙ୍କୁ ଚାରା ପ୍ରଦାନ କରିଥିଲେ । ତେବେ ଏହି ଉଦଘାଟନ ଉତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ପଦ୍ମପୁର ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲା ପରିଚାଳନା କରିଥିବା ବେଳେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା,ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା,ବିଜେପି କର୍ମକର୍ତ୍ତା,ସାମାଜିକ କର୍ମୀ, ବନ ବିଭାଗର ସମସ୍ତ ଅଧିକାରୀ,ବୁଦ୍ଧିଜୀବୀ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ତେବେ ଅବହେଳିତ ହୋଇ ପଡିରହିଥିବା ମଲକେନ ଡ୍ୟାମରେ ବନ ବିଭାଗ ତରଫରୁ ଏଭଳି ଏକ ୱାଚ ଟାୱାର ନିର୍ମାଣ କରି ଥିବାରୁ ସ୍ଥାନୀୟ ବାସିନ୍ଦା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପଟ୍ଟନାୟକ ଓ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଜଗଦଲାଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।

error: Content is protected !!