ବରଗଡ଼ – ରାଇସମିଲ ପାଉଁଶ (ରାଖଡ଼)ରେ ପଡି ଶରୀର ଅଧାରୁ ଅଧିକ ଜଳି ଜଲିଯିବା ପରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ନାବାଳକର ମୃତ୍ୟୁବରଣ ହେବା ଘଟଣାରେ ବୁଧବାର ଦିନ ଭେଡେନ ପୋଲିସ ହାତରେ ଗିରଫ ହେଲେ ଦୁଇଜଣ ରାଇସମିଲ ମାଲିକ। ସୂଚନା ମୁତାବକ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ମାନପୁର ପଞ୍ଚାୟତ ବୋଇପୁର ଗ୍ରାମର ଅନିଲ ଭଏନାଙ୍କ ନାବାଳକ ପୁଅ ପ୍ରତ୍ୟୁଷ ଭଏନା ଗତ ଫେବୃଆରୀ ମାସ 26 ତାରିଖରେ ଘରୁ ଗାଧେଇବାକୁ ବାହାରିଥିଲେ। ତେବେ ରାସ୍ତାରେ ଯାଉଥିବା ସମୟରେ ସାମ୍ନା ପଟରୁ ଏକ ଗାଡି ଆସିଯିବାରୁ ସେ ସେଥିରୁ ବର୍ତ୍ତିବାକୁ ଜାଇ ରାସ୍ତା କଡରେ ପଡିଯାଇଥିଲେ। ମାତ୍ର ରାସ୍ତା କଡରେ ନିକଟସ୍ଥ କାଲେଶ୍ୱର ରାଇସମିଲର ଜଳନ୍ତା ପାଉଁଶ ଫିଙ୍ଗା ଯାଇଥିଲା।ପ୍ରତ୍ୟୁଷ ସେଥିରେ ପଡିଯିବାରୁ ତାଙ୍କ ହାତ ଓ ଦୁଇ ଗୋଡ଼ ସମ୍ପୂର୍ଣ ଭାବରେ ଜଳି ଯାଇଥିଲା।

ପରିବାର ବର୍ଗ ତାଙ୍କୁ ତୁରନ୍ତ ବୁର୍ଲା ଚିକିତ୍ସାଲୟକୁ ନେଇଥିଲେ ଓ ସେଠାରେ ପ୍ରତ୍ୟୁଷଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା। ହେଲେ କଟକରେ ଚିକିତ୍ସିତ ଅବସ୍ଥାରେ ଗତ ଶୁକ୍ରବାର ଦିନ ପ୍ରତ୍ୟୁଷଙ୍କର ମୃତ୍ୟବରଣ ହୋଇଥିଲା। ପରିବାର ଲୋକେ ମିଲ ମାଲିକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କୁ କୌଣସି ସହାୟତା ଯୋଗାଇନଦେବା ଓ ଫୋନ ରିସିଭ ନକରିବାରୁ ଗାଁ କୁ ମୃତ ଶବ ପହଞ୍ଚିବାପରେ ଉତ୍ତେଜନା ଦେଖାଯାଇଥିଲା। ମଧ୍ୟରାତ୍ରିରେ ଘଟଣାକୁ ମିଲ ମାଲିକ ଆସି ନିଜ ଭୁଲ ସ୍ୱୀକାର କରିବା ସହିତ କିଛି ଆର୍ଥିକ ସହାୟତା କରିବାକୁ ନେଇ ଲିଖିତ ପ୍ରତିଶୃତି ଦେଇଥିଲେ ଏତିକିରେ ମାମଲାକୁ ରଫାଦଫା କରିଦିଆଯାଇଥିଲା।

ପୋଲିସ ମଧ୍ୟ ଘଟଣାର ତଦନ୍ତ କଲନାହିଁ କି କୌଣସି ଅଭିଯୋଗ ଦାଖଲ କଲା ନାହିଁ। ପ୍ରଦୂଷଣ ବୋର୍ଡ ହେଉ କି ପ୍ରଶାସନ ଅଧିକାରୀ କେହି ତଦନ୍ତ କରିବାକୁ ଗଲେନାହିଁ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସୋସିଆଳ ମିଡିଆରେ ଚର୍ଚାରେ କେନ୍ଦ୍ରବିନ୍ଦୁ ସାଜିଥିଲା। ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଥିଲା ତେବେ କୌଣସି ବଡ଼ ଆନ୍ଦୋଳନ ହେବା ପୂର୍ବରୁ ଭେଡେନ ଥାନା କେସ ନମ୍ବର ୮୪/୨୫ରେ ମାମଲା ରୁଜୁ କରି ମିଲ ମାଲିକ ଅନିଲ ଅଗ୍ରୱାଲ ଓ କନେୟାଲାଲ ଅଗ୍ରୱାଲ ନାମକ ଦୁଇଜଣ ମିଲ ମାଲିକଙ୍କୁ ଆଜି ଗିରଫ କରି କୋର୍ଟ ଚାଳନା କରିଛି।


