ଗାଇସିଲେଟ-ଦୀର୍ଘ ଦିନ ହେବ ଗାଇସିଲେଟ ଠାରେ ଜଳ ଯୋଗାଣ ବନ୍ଦ ଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଉଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ ଫେଲ ମାରିଛି । ଗାଇସିଲାଟ କୁ ନିକଟସ୍ଥ ଅଙ୍ଗ ନଦୀ ରୁ ଜଳଯୋଗଣ ହୋଇଥାଏ । ଜଳଯୋଗାଣ କୁ ସୁନିଶ୍ଚିତ କରିବା ପାଇଁ ଭେଲୁଆଁପଦର ନିକଟରେ ଏକ ଆନିକଟ ନିର୍ମାଣ କରାଯାଇଛି । ଏହି ଆନିକଟ ର ସଂଚିତ ଜଳ ଗ୍ରାମକୁ ଯୋଗାଣ ହୋଇଥାଏ । କିନ୍ତୁ ଦୁଃଖର ବିଷୟ ଦୀର୍ଘ ବର୍ଷ ହେବ ଆନିକଟ ର ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ବାଲି ପୋତି ହୋଇ ପାଣି ଶୁଖି ଯାଇଛି ।ଜଳ ପରିଚାଳନା ର କୌଣସି ନିର୍ଦ୍ଦିଷ୍ଟ ନୀତି ନ ଥିବାରୁ କର୍ମଚାରୀ ମାନେ ମନଇଚ୍ଛା କେନାଲ ରେ ପାଣି ଛାଡି ଦେଉଛନ୍ତି ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳ ଯୋଗାଣ ବନ୍ଦ ଥିବାରୁ ଜନସାଧାରଣ ପାଣି ପାଇଁ ହାହାକାର ହୋଇ ପଡିଛନ୍ତି । ଏହାକୁ ଆଖି ଆଗରେ ରଖି ଗାଇସିଲେଟ ବୁରୋମୁଣ୍ଡା ଗ୍ରାମର ସଚେତନ ଯୁବକ ଯଜ୍ଞେଶ୍ଵର ପ୍ରଧାନଙ୍କ ନେତୃତ୍ୱରେ ଆଜି ପ୍ରାୟ ୩୦ ଜଣ ମହିଳା ଓ ପୁରୁଷ ମାନେ ଦିନ ୧୦ ଟା ସମୟରେ ବ୍ଲକ ରେ ଗରା ଓ ବାଲ୍ଟି ଧରି ଏକ ନିଆରା ଭାବରେ ବିଡ଼ିଓଙ୍କ ନିକଟରେ ପ୍ରତିବାଦ କରିବା ସହ ଆଗାମୀ ୭ ଦିନ ଭିତରେ ଯଦି ପିଇବା ପାଣିର ବ୍ୟବସ୍ଥା ନ ହେଲେ ବ୍ଲକ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟକୁ ତାଲା ମାରିବା ପାଇଁ ଚେତାବନୀ ଦେଇଛନ୍ତି । ତେବେ ବିଡିଓ ଅନେକ ସମୟ ଆଲୋଚନା କରି ବୁଝା ସୁଝା କରି ଏହାର ତୁରନ୍ତ ସମାଧାନ ଦିଗରେ ପ୍ରଶାସନ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେବାପରେ ଶାନ୍ତ ହୋଇଥିଲେ ସଚେତନ ନାଗରିକ ।


