Saturday, March 7, 2026
Homeରାଜ୍ୟପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ଜମଲାରେ ଶୋକ ଦିବସ ପାଳନ ।

ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ଜମଲାରେ ଶୋକ ଦିବସ ପାଳନ ।

ପଦ୍ମପୁର – ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ଜମଲାରେ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱଜିତ ଟପ୍ନୋଙ୍କ ବିୟୋଗର ଦଶମ ଦିନ ତଥା ଦଶାହ କାର୍ଯ୍ୟ ଦିବସରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଅଧକ୍ଷ୍ୟତାରେ ଶୋକ ଦିବସ ପାଳିତ ହୋଇଯାଇଛି। ଶ୍ରୀ ବିଶ୍ୱଜିତ ଟପ୍ନୋ ସୁନ୍ଦରଗଡ ଜିଲ୍ଲାର ସାଙ୍କୋବାହାଲ ଗ୍ରାମର ଅଧିବାସୀ ଅଟନ୍ତି । ଗତ ୨୦୨୨ ମସିହା ଅଗଷ୍ଟ ୦୨ ତାରିଖ ଠାରୁ ଏହି ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ।

ଗତ ମାର୍ଚ୍ଚ ୧୩ ତାରିଖ ଦିନ ନିଜ ଗ୍ରାମକୁ ବାଇକ ଯୋଗେ ଯାଉଥିବା ସମୟରେ ଗୋଟିଏ ଯାତ୍ରୀବାହୀ ବସ ସହ ମୁହାଁମୁହିଁ ଧକ୍କା ହୋଇ ମୃତ୍ୟୁବରଣ କରିଥିଲେ । ସେ ଜଣେ ଛାତ୍ରବତ୍ସଳ, ମିଷ୍ଟଭାଷୀ, ସମୟାନୁବର୍ତ୍ତୀ ଓ କର୍ତ୍ତବ୍ୟ ପରାୟଣ ଶିକ୍ଷକ ହୋଇଥିବାରୁ ତାଙ୍କର ବିୟୋଗରେ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ ତଥା ଗ୍ରାମବାସୀଙ୍କ ମନରେ ଗଭୀର ଶୋକଛାୟା ଖେଲି ଯାଇଥିଲା ।

ପ୍ରଥମେ ତାଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଶିକ୍ଷାର୍ଥୀମାନେ ବହୁ କଷ୍ଟରେ କୋହ ସମ୍ଭାଳି ତାଙ୍କର ଅଭିଭାଷଣ ରଖିଥିଲେ । ତାଙ୍କର ସ୍ଵର୍ଗାରୋହଣ ବିଦ୍ୟାଳୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରଧାନ ଶିକ୍ଷକ ତାଙ୍କ ଅଭିଭାଷଣରେ ମତ ରଖିଥିଲେ । ସେ ଶିଖାଇ ଯାଇଥିବା ଗୁଣକୁ ପିଲାମାନେ ଜୀବନରେ ପ୍ରୟୋଗ କଲେ ତାଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ହେବ ବୋଲି କହି ସଭା ସାଙ୍ଗ କରାଯାଇଥିଲା ।

error: Content is protected !!