ଅତାବିରା(ସୁରେନ୍ଦ୍ର କଠାର)-ଆଜି ଜର୍ଜ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ଲକ୍ଷପତି ଦିଦି ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଉନ୍ନୟନ ତଥା କାର୍ଯ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହାଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ସମ୍ମାନିତ ଅତିଥି ଭାବେ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଯଥା ଡିପିଏମ ଓଏଲଏମ ସ୍ମରଣିକା ମହାପାତ୍ର,

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରଣୀ ନେପାକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଶ୍ରୀଯୁକ୍ତ ପ୍ରସନ୍ନ ମିଶ୍ର, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ଅଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ସହକାରୀ ବନଖଣ୍ଡ ଅଧିକାରୀ ମଧୁସ୍ମିତା ସେଠୀ, ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର ସୁଷମା କରାଳି, ଡେପୁଟି ସିଇଓ ଓରମାସ ପ୍ରଶାନ୍ତ ହୋତା, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀ ତାହିର ହୁସେନ, ଡିପିସି ମିଶନ ଶକ୍ତି ସୀମା ଟିବା, ବୟନଶିଳ୍ପ ଉପନିର୍ଦ୍ଦେଶକ ଶ୍ରୀ ହୃଷୀକେଶ ମାହାଳି ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଦ୍ଵୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ଉପସ୍ଥିତ ସମସ୍ତ ଅଧିକାରୀମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ସର୍ବ ପ୍ରଥମେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ଵାଗତ ସମ୍ଭାଷଣରେ ମଞ୍ଚାସୀନ ସମସ୍ତ ଅଧିକାରୀ, ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଏବଂ ପ୍ରତ୍ୟେକ ବ୍ଲକରୁ ଆସିଥିବା ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନଙ୍କୁ ସ୍ଵାଗତ କରିଥିଲେ । ଶ୍ରୀ ଲୁହା ଲକ୍ଷପତି ଦିଦି ଯୋଜନା ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିବା ସହ ଆଜିର ଯୁଗରେ ମହିଳାମାନେ ପରିବାରରେ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି କହିଥିଲେ ।

ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ଶ୍ରୀ ଗୋୟଲ ତାଙ୍କ ଅଭିଭାଷଣରେ ୬୫୦୦୦ ଲକ୍ଷପତି ଦିଦି ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଏବଂ ବର୍ତ୍ତମାନ ସୁଦ୍ଧା ୨୨୦୦୦ ଲକ୍ଷପତି ଦିଦି ହୋଇସାରିଥିବା ସୂଚନା ପ୍ରଦାନ କରିଥିଲେ ତଥା ସମସ୍ତ ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନଙ୍କୁ ସରକାରଙ୍କର ବିଭିନ୍ନ ଯୋଜନାରେ ସାମିଲ ହୋଇ ନିଜକୁ ଲକ୍ଷପତି ଦିଦି କରିବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ ।

ଓଡିଶା ଜୀବିକା ମିଶନ ଅଧିକାରୀ ସ୍ମରଣିକା ମହାପାତ୍ର କହିଥିଲେ ଯେ ଯାହାର ବର୍ଷକୁ ୧ ଲକ୍ଷ, ମାସକୁ ୧୦,୦୦୦ କିମ୍ବା ତ୍ରୈମାସିକ ୩୦,୦୦୦ ଆମଦାନୀ ଥିବ ସେ ଲକ୍ଷପତି ଦିଦି ହୋଇପାରିବେ । ୨୦୨୫-୨୬ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଏବଂ ଏହା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ସୂଚନା ଦେଇଥିଲେ । ଉପସ୍ଥିତ ଥିବା ସମସ୍ତ ଅଧିକାରୀ ବୃନ୍ଦ ନିଜ ନିଜ ଅଧୀନରେ ଥିବା ବିଭାଗର ବିଭିନ୍ନ ଯୋଜନାମାନଙ୍କ ବିଷୟରେ ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନଙ୍କୁ ବୁଝାଇଥିଲେ ଏବଂ ଏହି ସବୁ ଯୋଜନାରେ ସାମିଲ ହୋଇ ନିଜକୁ ଲକ୍ଷପତି ଦିଦି କରିବା ପାଇଁ ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକରୁ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ଉପସ୍ଥିତ ରହିବା ସହିତ ନିଜ ନିଜ ପଞ୍ଚାୟତ ପାଇଁ ଯେଉଁମାନେ ସବୁ ନିଜ ଜୀବିକା ଜରିଆରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜି ନିଜକୁ ଜଣେ ଜଣେ ଲକ୍ଷପତି ଦିଦି ଭାବେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ସେମାନେ ନିଜର ଅଭିଜ୍ଞତା ସର୍ବ ସମ୍ମୁଖରେ ବାଣ୍ଟି ଥିଲେ । ଏହି ପରିପ୍ରେକ୍ଷୀରେ ୫ଜଣ ଲକ୍ଷପତି ଦିଦି ନିଜର ସଫଳ କାହାଣୀ ଉପସ୍ଥାପନା କରି ଅତିଥିମାନଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ ।


