ପଦ୍ମପୁର-ନୂତନ ଅପରାଧିକ ଆଇନ ଉପରେ ପଦ୍ମପୁର ପୋଲିସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସଂସଦରେ ପାରିତ ଭାରତୀୟ ଦଣ୍ଡ ସଂହିତା, ନାଗରିକ ସଂହିତା, ଓ ସାକ୍ଷ୍ୟ ବିଧି ଆଇନ ଲାଗୁ ହେବା ପରିପ୍ରେକ୍ଷୀରେ ପଦ୍ମପୁର ଥାନା ପୋଲିସ ପକ୍ଷରୁ ଏକ ସଚେତନତା ଶିବିର ସ୍ଥାନୀୟ ସଚେତନ ନାଗରିକ, ପଞ୍ଚାୟତ ସଦସ୍ୟ ଓ ବୁଦ୍ଧିଜୀବି ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଆଦର୍ଶ ଥାନା ଅଧିକାରୀ ମମତା ନାଏକ ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ମହୁଲପାଲି ସରପଞ୍ଚ ପଙ୍କଜିନୀ ବେହେରା ଯୋଗଦେଇ ନୂତନ ଆଇନର ଉପଯୋଗୀତା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ।

ବ୍ରିଟିଶ ଅମଳରୁ ବଳବତ୍ତର ଥିବା ଏହି ଆଇନ ସାମ୍ପ୍ରତିକ ସାମାଜିକ ସମସ୍ୟା ପରିପ୍ରେକ୍ଷୀରେ କ୍ରମ ବର୍ଦ୍ଧିଷ୍ଣୁ ଅପରାଧର ନିରାକରଣ ପାଇଁ ସହାୟକ ହେବ ବୋଲି ମତାମତ ପ୍ରକାଶ ପାଇଥିବା ବେଳେ ମାନବିକ ଅଧିକାର ତଥା ନାଗରିକଙ୍କ ର ଅଧିକାରର ସୁରକ୍ଷା ଉପରେ ମଧ୍ୟପ୍ରଶ୍ନ ଉଠା ଯାଇଥିଲା । ପ୍ରମୁଖ ଗ୍ରାମବାସୀ ବିଭିନ୍ନ ଆଇନ ସମସ୍ୟା ଉପରେ ଥାନା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଥାନାର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସବ ଇନ୍ସପେକ୍ଟର ଭକ୍ତ ସାହୁ ସ୍ଵାଗତ ଅଭିଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ।



