Saturday, April 19, 2025
spot_imgspot_imgspot_img
Homeରାଜ୍ୟରାମେଶ୍ବର ମନ୍ଦିର ଠାରେ ୩୫ ତମ ସାମୁହିକ ବ୍ରତପୋନୟନ,ଉତ୍ସବ ହଜାର ହଜାର ଲୋକଙ୍କ ସମାଗମ।

ରାମେଶ୍ବର ମନ୍ଦିର ଠାରେ ୩୫ ତମ ସାମୁହିକ ବ୍ରତପୋନୟନ,ଉତ୍ସବ ହଜାର ହଜାର ଲୋକଙ୍କ ସମାଗମ।

ସୁବର୍ଣ୍ଣପୁର-ଶିବ ରାତ୍ରୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ମନ୍ଦିରରେ ଅନେକ ପ୍ରକାରେ ସେବା ଭକ୍ତି ଦେଖିବାକୁ ମିଳିଥାଏ । କିଏ ଦୀପଟିଏ ଜାଳି ନିଜର ମାନସିକ ପୁରଣ ପାଇଁ ମହାଦେବଙ୍କୁ ଗୁହାରୀ କରୁଥିବା ବେଳେ କିଏ ଭୋଗ ଚଢାଇ ଗୁହାରୀ କରିଥାଏ । ଆଉ କିଏ ନିର୍ଜଳା ଉପବାସ କରି ଭଗବାନଙ୍କୁ ଗୁହାରୀ କରିଥାଏ । ହେଲେ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିଆରା ସେବା ଭାବ ଥିବା ଜଣେ ମଣିଷ । ମାନବ ସେବାକୁ ମାଧବ ସେବା ଭାବରେ ବ୍ରତି କରି ଆଜକୁ ୩୫ବର୍ଷ ହେବ ଗରିବ ବ୍ରାହ୍ମଣ ଯୁବକମାନଙ୍କୁ ସାମୁହିକ ବ୍ରତପୋନୟନ କରି ଉଦାହରଣ ପାଲଟିଛନ୍ତି ସହରର ଶ୍ରୀବତ୍ସ ମଲ୍ଲିକ ।

ବୈଦିକ ରିତୀ ନିତିରେ ଚାଲିଛି ମନ୍ତ୍ରପାଠ ସାଙ୍ଗକୁ ହୋମ କର୍ମ । ଗୋଟେ କି ଦୁଇଟି ନୁହେଁ ପଛକୁ ପଛ ଚାଲିଛି ୧୨ ଜଣ ଯୁବକଙ୍କ ବ୍ରତପୋନୟନ । ଚାଲିଛି ପଂଚଗ୍ରାସୀ ସହ ପଇତା ପିନ୍ଧା । ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ତ୍ରୀବେଣି ସଙ୍ଗମଠାରେ ଥିବା ରାମେଶ୍ୱର ମନ୍ଦିରର । ମନ୍ଦିର ବେଢାରେ ଏକା ସାଙ୍ଗରେ ୧୨ ଜଣଙ୍କ ବ୍ରତ ଚାଲିଥିବାବେଳେ ଏହାର ଆୟୋଜନ କରିଛନ୍ତି ସହହର ସମାଜସେବୀ ଶ୍ରୀବତ୍ସ ମଲ୍ଲିକ । ମାନବ ସେବା ହିଁ ମାଧବ ସେବା ବାର୍ତା ଦେଇ ଦିର୍ଘ ୩୫ ବର୍ଷ ହେଲା ସେ ଏହି ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିଆସୁଥିବା ବେଳେ ଗରିବ ବ୍ରାହ୍ମଣ ପରିବାରମାନେ ଉପକୃତ ହୋଇଥିବା କହିଛନ୍ତି ।

ଗରିବ ବ୍ରାହ୍ମଣ ପରିବାରର ଆଥିକ ଅସୁବିଧାରୁ ବ୍ରତ ହୋଇ ପାରିନଥିବାବେଳେ ସମସ୍ତଙ୍କ ପାଇଁ ନିଜେ ସମସ୍ତ ଖର୍ଚ୍ଚ ବହନ କରି ଆୟୋଜନ କରିଛନ୍ତି ଏହି ସାମୁହିକ ବ୍ରତ । ଏହି ସାମୁହିକ ବ୍ରତରେ ସୁବର୍ଣ୍ଣପୁର ଜିଲ୍ଲା ସମେତ ପଡୋଶି ବରଗଡ, ବଲାଙ୍ଗିର, ସମ୍ବଲପୁର, ବୌଦ୍ଧ ପରି ଜିଲ୍ଲାର ବ୍ରାହ୍ମଣ ଯୁବକ ହୋଇଛନ୍ତି ବ୍ରହ୍ମଚାରୀ । ଏହି ଆୟୋଜନର ସମସ୍ତ ଭୋଗଠୁ ଆରମ୍ଭ କରି ସମସ୍ତ କପଡା ଲତାର ଖର୍ଚ୍ଚ ବହନ କରିଥାନ୍ତି ଶ୍ରୀ ମଲ୍ଲିକ । ପ୍ରତି ବର୍ଷ ଶୀବରାତ୍ରୀ ଅବସରରେ ଆୟୋଜିତ ହେଉଥିବା ଏହି ସାମୁହିକ ବ୍ରତ ଦ୍ୱାରା ଶତାଧିକ ଗରିବ ବ୍ରାହ୍ମଣ ପରିବାର ଯୁବକମାନେ ବ୍ରହ୍ମଚାରୀ ହେବାର ସୌଭାଗ୍ୟ ପାଇଥାନ୍ତି ।

ତା ସହ ସମସ୍ତଙ୍କ ପାଇଁ ଭୋଜି ଭାତର ମଧ୍ୟ ସୁବ୍ୟବସ୍ଥା ହୋଇଥାଏ । ଧୁମଧାମରେ ପାଳିତ ହେଉଥିବା ଏହି ସାମୁହିକ ବ୍ରତ ଆୟୋଜନ ପାଇଁ ଉଦ୍ୟୋକ୍ତାଙ୍କୁ ପ୍ରସଂଶା କରିଛନ୍ତି ବୁଦ୍ଧିଜୀବି । ସେପଟେ ଏହି ବ୍ରହ୍ମଚାରୀମାନଙ୍କୁ ପଇତା ପିନ୍ଧାଇ ନିଜକୁ ଧନ୍ୟ ମନେ କରିବା ସହ ଅନ୍ୟ ପାଇଁ ପାଲଟିଛନ୍ତି ଉଦାହରଣ । ସେବା, ଦାନ ଓ ଧର୍ମର ବିଭିନ୍ନ ମାଧ୍ୟମ ଥିବାବେଳେ ଏପରି ଏକ ନିଆରା ପରମ୍ପରାକୁ ଆପଣାଇ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଶ୍ରୀବତ୍ସ ମଲ୍ଲିକ । ଏହି ମହାନ କାର୍ଯ୍ୟ ପାଇଁ ସେ ବେଶ ପ୍ରଶଂସା ସାଉଁଟିଥାନ୍ତି ଲୋକଙ୍କ ପାଖରୁ ।

error: Content is protected !!