ପଦ୍ମପୁର-ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା। ଓମ୍ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଥିଲା ଶିବାଳୟ। ସବୁଠି ଶୁଭୁଥିଲା ଶିବ ପଞ୍ଚାକ୍ଷରୀ। ଚଳଚଞ୍ଚଳ ହୋଇଉଠିଥିଲା ଶୈବପୀଠ। ପବିତ୍ର ମହାଶିବରାତ୍ରି ପାଇଁ ସବୁଠି ଉତ୍ସବ। ଦର୍ଶନ ପାଇଁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା ।ମହାଶିବରାତ୍ରୀର ପବିତ୍ର ପର୍ବ ବ୍ରହ୍ମାଣ୍ଡର ବିନାଶକାରୀ ଏବଂ ସବୁଠାରୁ ଦୟାଳୁ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ। ହିନ୍ଦୁ ଧର୍ମରେ ମହାଶିବରାତ୍ରୀର ପର୍ବର ବିଶେଷ ମହତ୍ତ୍ୱ ରହିଛି। ମହାଶିବରାତ୍ରିର ରାତିରେ ଭୋଳାବାବା ଶିବଲିଙ୍ଗରେ ବାସ କରନ୍ତି ବୋଲି ମାନ୍ୟତା ରହିଛି। ଏହି ରାତି ମହାସିଦ୍ଧିଦାୟିନୀ। ତେଣୁ ସେହି ସମୟରେ କରାଯାଇଥିବା ପୂଜା ଏବଂ ଦାନ ନିଶ୍ଚିତ ଫଳପ୍ରଦ ହୋଇଥାଏ।

ଏହି ପରିପେକ୍ଷୀରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଜମରତଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିରିପାଲି ଶ୍ରୀ ଶ୍ରୀ ଧବଳେଶ୍ବର ବାବାଙ୍କ ପୀଠ ଠାରେ ମହା ଶିବରାତ୍ରି ତଥା ଜାଗର ଯାତ୍ରା ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି । ଦେବ ଦେବ ମହାଦେବଙ୍କ ଦର୍ଶନ ପାଇଁ ଶୈବ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗିରହିଥିଲା । ମନ୍ଦିର ପୂଜକ ଶ୍ରିପ୍ରସାଦ ମାଝୀଙ୍କ ତତ୍ତ୍ଵାବଧାନରେ ପଣ୍ଡିତ ବଳରାମ ପଣ୍ଡା ଦେବ ଦେବ ମହାଦେବଙ୍କ ସମସ୍ତ ନୀତି କାନ୍ତିରେ ପୂଜାର୍ଚ୍ଚନା ସମ୍ପର୍ନ୍ନ କରିଥିବା ବେଳେ ବିଳମ୍ବ ରାତ୍ରୀରେ ମହାଦୀପ ଉଠିଥିଲା । ତେବେ ସମସ୍ତ ଉପାସିଆ ମାନେ ଦୀପଜାଳି ଉଜାଗର ରହିଥିଲେ । ଭଜନ,କୀର୍ତ୍ତନ ଓ ପାରାୟଣ ମାଧ୍ୟମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ଓଁ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଥିଲା ମଦିର ପରିସର ।

ତେବେ ଏଠାରେ ବିଶ୍ୱାସ ରହିଛି ଅଖଣ୍ଡ ଦ୍ଵିପ ଜାଳିବା ଦ୍ଵାରା ଭକ୍ତମାନଙ୍କ ମନବାଞ୍ଛା ପୂର୍ଣ୍ଣ ହୋଇଥାଏ ତେଣୁ ଚଳିତ ବର୍ଷ ମନ୍ଦିର ପରିସରରେ ହଜାର ହଜାର ଭକ୍ତ ଅଖଣ୍ଡ ଦୀପ ଜାଳି ମାନସିକ କରିଥିଲେ । ଭକ୍ତ ମାନଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କମିଟି ପକ୍ଷରୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମିନାବଜାର,ପାରାୟଣ,ଅପେରା ସବୁଠାରେ ଲୋକଙ୍କ ଖୁବ ଭିଡ ପରିଲକ୍ଷିତ ହୋଇଥିବା ବେଳେ ମୁଖ୍ୟ ଆକର୍ଷଣ ପାଲଟିଥିଲା ଜଳନ୍ଧର ଦରବାର । ତେବେ ମହାରାଜ ଜଳନ୍ଧର ଭୂମିକାରେ ଭେଲୁଆପଦର ଗ୍ରାମର ଶେଷଦେବ ସାହୁ ଅଭିନୟ କରିଥିବା ବେଳେ ରାଜ ଅତିଥି ଭାବରେ ବରଗଡ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ,ଆଇନଜୀବୀ ଅଜିତ ଶତପଥୀ,ପ୍ରିତେଶ ବହିଦାର,ପ୍ରିତମ ମେହେର,ସରପଞ୍ଚ ବିଧୁ ଭୂଷଣ ଚାନ୍ଦ, ଭୋଜରାଜ ସିଂ ବରିହା, ସାମ୍ବାଦିକ ସୁଶାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

ଏହି ଭବ୍ୟ ଆୟୋଜନ ପାଇଁ ସାଂସଦ ଶ୍ରୀଯୁକ୍ତ ପୁରୋହିତ ଗ୍ରାମବାସୀ ଓ କମିଟିର ସଦସ୍ୟ ମାନଙ୍କୁ ଭୂରିଭୂରି ପ୍ରଶଂସା କରିବା ସହ ଆଗାମୀଦିନରେ ମନ୍ଦିରର ଉନ୍ନତି କ୍ଷେତ୍ରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କମିଟିର ପରାମର୍ଶ ଦାତା ସୁରେଶ ଚାନ୍ଦ ଦରବାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମନ୍ଦିର ପରିଚାଳନା କମିଟିର ସଭାପତି କରୁଣାକର ସାହୁ,ସମ୍ପାଦକ ମାନସ ପଣ୍ଡା,କୋଷାଧ୍ୟକ୍ଷ ଟୁନୁ ଚନ୍ଦ୍ର ବେହେରା,ଉପଦେଷ୍ଟା ଧନମାଲି ହାତୀ ଏବଂ କମିଟିର ଅନ୍ୟ ସମସ୍ତ ସଦସ୍ୟ, ଯୁବଗୋଷ୍ଠୀ ଏବଂ ଗୌନ୍ତିଆ ଭିକାରୀ କମାତୀ ଓ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଶାନ୍ତିଶୃଙ୍ଖଳାର ସହିତ ମହାଶିବରାତ୍ରି ମହୋତ୍ସବ ସମାପନ ହୋଇଥିଲା ।


