ରାଇରଙ୍ଗପୁର(ଶ୍ଯାମଳେନ୍ଦୁ ପରିଡା)-ଆଦିବାସୀ ଅଧ୍ଯୁଷିତ ମୟୂରଭଞ୍ଜ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ସହର ରାଇରଙ୍ଗପୁର ର ଅନ୍ଯତମ ଅଗ୍ରଣୀ ସର୍ବପୁରାତନ ରାଇରଙ୍ଗପୁର ମହାବିଦ୍ଯାଳୟର ୬୧ତମ ବାର୍ଷିକ ଉତ୍ସବ କଲେଜ ଅଧ୍ଯକ୍ଷ ତଥା ସଭାପତି ସୁନିଲ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ଯଅତିଥି ଭାବେ ମାନ୍ଯବର ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ସମ୍ମାନିତ ଅତିଥି ରୂପେ ଭାରତୀୟ ଜନତା ପାର୍ଟି ରାଜ୍ଯ ସମ୍ପାଦକ ନବୀନ କୁମାର ରାମ, ରକ୍ଷା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଜାହାଜ ନିର୍ମାଣ କପୋରେସନ ସଂଜୀବ କୁମାର ମହାନ୍ତି, ମୁଖ୍ଯବକ୍ତା ଭାବେ ବିଶିଷ୍ଟ ସାରସ୍ବତ ସାଧିକା ପଦ୍ମଶ୍ରୀ ଡକ୍ଟର ଦମୟନ୍ତୀ ବେସ୍ରା, ସ୍ବତନ୍ତ୍ର ବକ୍ତା ରୂପେ ବାଙ୍ଗରିପୋଷି ଲକ୍ଷ୍ମୀକାନ୍ତ କଲେଜର ଅଧ୍ଯକ୍ଷା, ବିଶିଷ୍ଟ ଗାଳ୍ପିକା ଓ ପ୍ରାବନ୍ଧିକା ଡକ୍ଟର ପୁଷ୍ପା ପାତ୍ର, ସ୍ବତନ୍ତ୍ର ଅତିଥି ବାମନଘାଟୀ ଉପଖଣ୍ଡ ର ଉପଜିଲ୍ଲାପାଳ ତଥା ରାଇରଙ୍ଗପୁର କଲେଜ ପରିଚାଳନା କମିଟୀ ସଭାପତି ସୌମ୍ଯ ରଂଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ I

ମୁଖ୍ଯ ଅତିଥି ମାନ୍ଯବର ମୟୂରଭଂଜ ସାଂସଦ ନବଚରଣ ମାଝୀ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳା, ଲକ୍ଷ୍ଯସାଧନା ଓ କଠିନ ଅଧ୍ଯବସାୟ କରିବା ପାଇଁ ଉପଦେଶ ଦେବା ସହିତ ରାଇରଙ୍ଗପୁର ମହାବିଦ୍ଯାଳୟକୁ ସ୍ବୟଂଶାସିତ ରୂପେ ଗଢି ତୋଳିବା ପାଇଁ ପ୍ରତିଶୃତି ଦେଇଥିଲେ I ସଭାପ୍ରାରମ୍ଭ ପୂର୍ବରୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ଅତିଥିଗଣଙ୍କୁ ସମ୍ମାନିତ କରାଯାଇଥିଲା I ତଦପରେ ମହାବିଦ୍ଯାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରିଥିଲେ I ସଭାପତି ତଥା କଲେଜ ଅଧ୍ଯକ୍ଷ ସୁନୀଲ କୁମାର ଜେନା ସଭାପତୀୟ ବକ୍ତବ୍ଯ ଦେବା ସହିତ ସଭା ପରିଚାଳନା କରିଥିଲେ I ମୁଖ୍ଯବକ୍ତା, ସ୍ବତନ୍ତ୍ରବକ୍ତା ଓ ସମ୍ମାନିତ ଅତିଥିଗଣ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ଯରେ ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କରିଥିଲେ I

ଅଧ୍ଯାପକ ବିଭୂତି ଭୂଷଣ ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ଯାପକ ହେମନ୍ତ କୁମାର ଗିରି ଧନ୍ଯବାଦ ଅର୍ପଣ କରିଥିଲେ I ତଦ ପରେ ଅଧ୍ଯାପକ ଡକ୍ଟର ମିଲନ ମହାନ୍ତଙ୍କ ପରିଚାଳନାରେ ମହାବିଦ୍ଯାଳୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ କପ୍ ଦେଇ ପୁରସ୍କୃତ କରିଥିଲେ I ଏହି ଅବସରରେ ନାଟ୍ଯଗୁରୁ ଜଗନ୍ନାଥ ଗୋପାଳ ଓ ନୃତ୍ଯଗୁରୁ ସୁନୀଲ କୁମାର ରଜକଙ୍କୁ ସମ୍ମାନିତ କରାଯିବା ସହିତ ବିଶିଷ୍ଟ ସାରସ୍ବତ ସାଧିକା ସାହିତ୍ଯିକା ପଦ୍ମଶ୍ରୀ ଦମୟନ୍ତୀ ବେସ୍ରାଙ୍କର ଜନ୍ନଦିବସ ପାଳିତ ହୋଇଥିଲା I ରାଇରଙ୍ଗପୁର ମହାବିଦ୍ଯାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା I

ଏଥିରେ ଅଧ୍ଯାପକ ଆଲୋକ ରଂଜନ ପଟ୍ଟନାୟକ, ବୀରନାରାୟଣ ଚାଉ ପଟ୍ଟନାୟକ, ରାଜେଶ କୁମାର ରାମ, ଦାରାସିଂ ମହାନ୍ତ, ଜିତେନ୍ଦ୍ର ମହାନ୍ତ, ହେମେନ୍ଦ୍ର କୁମାର ରାଉତ, ଚନ୍ଦ୍ରକାନ୍ତ ମହାନ୍ତ, ଅଧ୍ଯାପିକା ଡକ୍ଟର ତନ୍ମୟୀ ରଥ, ତପତି ପରିଡା, ବନ୍ଦିତା ମହାନ୍ତ, ସୁମିତ୍ରା ପାତ୍ର, ପୂର୍ଣ୍ଣିମା ମାର୍ଣ୍ଡି ଓ ସସ୍ମିତା ଟୁଡୁ ପ୍ରମୁଖ ସହିତ କଲେଜର କର୍ମଚାରୀ ଏବଂ ଅଣକର୍ମଚାରୀ ସହଯୋଗ କରିଥିଲେ I ଏହି ଭବ୍ଯ ବାର୍ଷିକ ସମାବେଶରେ ରାଇରଙ୍ଗପୁର ମହାବିଦ୍ଯାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ଯାପକଅଧ୍ଯାପିକା ଓ ସ୍ଥାନୀୟ ଲୋକେ ବହୁ ସଂଖ୍ଯାରେ ଉପସ୍ଥିତ ରହିଥିଲେ I

